Unknown

 

 

 

 

 

 

 

 

 

 

ସୁରଙ୍ଗୀ କାବ୍ୟ

ଶ୍ରୀ ଚିନ୍ତାମଣି ମହାନ୍ତି

 

ପ୍ରଥମ ସର୍ଗ

-ନଟବାଣୀ-

 

ଉତ୍କଳ-ଭାରତୀ

ଚିର ପ୍ରିୟଧାମ,

ଶାଶ୍ୱତୀ-ବୀରତି-

ମାଳିନୀ ଗଞ୍ଜାମ ।

ରାଜେ ତାହା ବକ୍ଷେ

ସୁରଙ୍ଗୀ ନଗରୀ,

ମାନସେ ମନୋବି

ସ୍ୱର୍ଣ୍ଣପଦ୍ମ ସରି ।

ଗିରି-ଗଭାମୟୀ

କାନନ-କୁନ୍ତଳା,

ସୁଷମାର ସୀମା

ଶସ୍ୟ-ସୁଶ୍ୟାମଳା ।

ନିତ୍ୟ ନବଚିତ୍ର-

କୁଶଳା ପ୍ରକୃତି,

ଅବର ନୀଳାଦ୍ରି

ରାଜକବି କୃତୀ,

ଉଭେ ତାର ବେଶ-

କାରୀ, ବେଶକାର,

ତେଣୁ ଶୋଭାରାଜ୍ୟେ

ଟେକ ଛବି ତାର ।

ଗିରି, ଉପତ୍ୟକା,

ନଦ, ନଦୀ, ବନ,

ଦିବ୍ୟ, ଦେବାଳୟ

ବିଶ୍ରାମ ଭବନ,

କ୍ରୀଡ଼ାଗାର, ବେଦୀ

ଉପବନ, ସେତୁ,

ଏ ସକଳ ତାର

ମଧୁରିମା ହେତୁ ।

ନିସର୍ଗ, କୃତ୍ରିମ

ଦଶ୍ୟ ଏକାଧାରେ,

ଦୁର୍ଲଭ ଏସନ

ସିନା ଅନ୍ୟଠାରେ ।

ବିଧୁବଶୀ ନୃପ

ପାଳନେ ପବିତ୍ର,

ସର୍ବାଂଶେ ନଗରୀ

ଗଞ୍ଜାମେ ସୂତୀଥ ।

ସୂରଙ୍ଗୀ ସୁଷମା

ନାହିଁ ପଟାନ୍ତର,

ମାତ୍ର ଜଳବାୟୁ

କଟୁ ସ୍ୱଳ୍ପତର ।

କେତକୀ କୁସୁମେ

କେ ଜାଣି କିପାଇଁ,

ରଖିଲେ ବିଧାତା

କଣ୍ଟକେ ଜଡ଼ାଇ ।

ତାଙ୍କରି କରଣୀ

ଜଣା ତାଙ୍କୁ ଏକା,

ଛାର ନର ତାହା

ଭାବି ହୁଏ ଭେକା ।

ସଂସାରେ କାହାକୁ

ସର୍ବଗୁଣାନ୍ୱିତ,

କରିବାକୁ ବିଧି

ପ୍ରାୟଶଃ କୁଣ୍ଠିତ ।

ଉତ୍ତରେ ବାହୁଡ଼ା

ତଟିନୀ ସୁନ୍ଦରୀ,

ବହିଯାଏ ‘‘ବଡ଼-

ନଦୀ’’ ଆଖ୍ୟା ଧରି ।

ମାର୍ଜ୍ଜିତ ହୀରକ

ଚାପସରୀ ପ୍ରାୟେ,

କୌବେରୀ ୧ କଣ୍ଠେ

ସେ ଦୃରୁ ଶୋଭାପାଏ ।

ନିବସନ୍ତି ତୀରେ

ଶ୍ରୀ ନନ୍ଦିକେଶ୍ୱର,

ନୃସିଂହରାଜଙ୍କ

ସଂସ୍ଥାପିତ ହର ୨ ।

 

୧- ଉତ୍ତର ଦିଗ ।

୨- ନୃସିଂହରାଜ ନାମକ ସୁରଙ୍ଗୀର ଜନୈକ ରାଜାଙ୍କଦ୍ୱାରା ଏହି ଶିବଲିଙ୍ଗ ସ୍କୃତିଷ୍ଠିତ

 

ମହିମା ତାଙ୍କର

ଚୌଦିଗେ ବିଶ୍ରୁତ,

ପାଦୋଦକ ଯଥା

ସାକ୍ଷାତ ଅମୃତ ।

ହତାଶ ରୋଗୀଏ

ରୋଗମୁକ୍ତି ଆଶେ,

ଦିଅନ୍ତି ଧାରଣା

ଆସି ତାଙ୍କ ପାଶେ ।

କଲେ ତାଙ୍କଠାରେ

ମାନସ ବୃଷଭ,

ପଳାଏ ପ୍ରମାଦ

ହୋଇଣ ନିଷ୍‌ପ୍ରଭ ।

ନାନା ବନସ୍ପତି-

ସୁମଞ୍ଜୁଳ କୁଞ୍ଜେ,

ବସନ୍ତି ଶଙ୍କର

ଘେନି ବୃଷପୁଞ୍ଜେ ।

ସ୍ତରେ ସ୍ତରେ ତହିଁ

ଫୁଟି ପ୍ରତିହାସ, ୧

ଶୁଦ୍ଧ ସ୍ୱର୍ଣ୍ଣବର୍ଣ୍ଣେ

କରେ ପ୍ରତିହାସ ।

ଧରିଛି ରାବଣହସ୍ତ ୨

ଅଳ୍ପ ଦୂରେ,

ପୁଷ୍ପରୂପ ରୌପ୍ୟ-

ଆଲଟ ଛାମୁରେ ।

 

୧- କନିଅର ।

୨- ସପ୍ତଫେଣୀ ।

୩- ଛଞ୍ଚାଣମାନେ ପଥିକ କେଉଟମାନଙ୍କ ଭାରରୁ ଶୁଖୁଆ

ନେଇଯାଇ ପର୍ବତରେ ବସି ଖାଆନ୍ତି । ଏଣୁ ପର୍ବତର ନାମ

ଶୁଖୁଆଖାଇ ହୋଇଅଛି ।

 

ପିତ୍ତଳନିର୍ମିତ

ମହାଫଣିଗଣ,

ଅବସ୍ଥିତ ପାର୍ଶ୍ୱେ

ସତତ ଉଫ୍‌ଣ ।

ଊର୍ଦ୍ଧ୍ୱେ ନାନା ଛନ୍ଦେ

ରହି ଜଟାଜୁଟ,

ସୁଜିଅଛି ଶିରେ

ଶଶାଙ୍କ-ମୁକୁଟ ।

ମନ୍ଦିର ପଶ୍ଚାତେ

ଛାଇ ବେଦୀବକ୍ଷ,

ବିରାଜିତ ଶିଳା-

ବୃଷଭ ଅସଂଖ୍ୟ ।

ପ୍ରାଚୀନ ସେ ବେଦୀ

କିନ୍ତୁ ନୂଆ ଦିଶେ,

ଈଶାନ ବାହନ

ଗବାଳୟ କି ସେ ?

ହରିଚନ୍ଦନାଗ୍ୟ

ଶ୍ରୀ ଚୈତନ୍ୟଚନ୍ଦ୍ର,

ସୁରଙ୍ଗୀ-କୈରବ-

ପ୍ରକାଶକ ଚନ୍ଦ୍ର ।

ସ୍ଥାପି ଯାଇଛନ୍ତି

ଏଥି ବିପ୍ର ଗ୍ରାମ,

ଧରେ ସେ ‘‘ଚୈତନ୍ୟ-

ଚନ୍ଦ୍ରପୁର’’ ନାମ ।

ଗୋଦାବରୀ ତଟେ

ପଞ୍ଚବଟୀ ପରି,

ବାହୁଦା ପ୍ରତୀରେ

ଶୋଭେ ସେ ନଗରୀ ।

ଛିନ୍ନ ରେଖାବତ

ତହୁଁ ନନ୍ଦିଗ୍ରାମ,

ଅସ୍ପଷ୍ଟ ଆଭାସ

ଦିଶେ ଅଭିରାମ ।

ଦରିଦ୍ରର ଆଶା

ଅସ୍ପଷ୍ଟ ଯେସନ,

କ୍ଷଣେ ଦିଶି, କ୍ଷଣେ

ହୁଏ ଅଦର୍ଶନ ।

ପୂର୍ବରେ ‘‘ଶୁଖୁଆ-

ଖାଇ’’ ବିରାଜିତ’’

ବହୁ ବଜ୍ରନଖ-

ଶଞ୍ଚାଣେ ପୂରିତ ।

ବସନ୍ତି ଗୋପନେ

ସେ ଶୈଳେ ସର୍ବଦା,

ଦେବୀ ଦିଗମ୍ବରୀ

ଅଭୟ କରଦା ।

ମୃଗୟାର୍ଥେ ତହିଁ

ସେ କରେ ଗମନ,

ଦେବୀଙ୍କ ପ୍ରଭାବେ

ହୁଏ ସେ ବିପନ୍ନ ।

ନିଷିଦ୍ଧ ପାରିଧି

ଏଣୁ ସେ ପର୍ବତେ,

ନିର୍ଭୟେ ଜନ୍ତୁଏ

ଭ୍ରମନ୍ତି ନିରତେ ।

ବହୁ ତରୁଲତା

ବହୁ ଶୃଙ୍ଗେ ପୁରି,

ଧରେ ଗିରି ମର୍ତ୍ତ୍ୟେ

ଅମର୍ତ୍ତ୍ୟ ମାଧୁରୀ ।

କେଉ ଚୂଡ଼ା ବକ୍ର

ଫଣିଫଣାକୁତି,

ଧରେ କେ ଭୈରବ

୪ ସୈରିଭର ମୂର୍ତ୍ତି

ଅର୍ପିଛି କା କନ୍ଧେ

ଉପବୀତ ଝର,

କେ ଗୁପ୍ମ-ଜଟିଳ

କେହି ବା ଟଙ୍ଗର ।

୪- ମହିଷ

ମାଡ଼ି ଶ୍ୱେତ ଦୁର୍ବା

ଟାଙ୍ଗରେ ବିରଳେ,

ଓଟାରେ ଦର୍ଶକ-

ଦିଦୁକ୍ଷା ପ୍ରବଳେ ।

ଆହା ସେ ସୁଷମା

ଶୋଭା-ଗ୍ରନ୍ଥଟୀକା,

ଶିବ-ଶିରେ କି ସେ

ଚନ୍ଦନ ଛିଡ଼ିକା ।

ପ୍ରାତେ କୀଶେ ୫

ତହିଁ ବିକଟ କୁହାଟ

ସହ ବିରଚନ୍ତି

ସମର ବିରାଟ ।

ଭେଦି ସେ ଚହଳ

ହୁଏ ସମୁତ୍ଥିତ,

ବେଳେ ବେଳେ ପିକ-

ବଧୁ-ମଧୁଗୀତ ।

୫-ବାନରଗଣ ।

କାଠିନ୍ୟେ ମାଧୁର୍ଯ୍ୟ

କରିଣ ଆହ୍ୱାନ,

କରୁଛି କି ଶାନ୍ତି

ଉପଦେଶ ଦାନ ।

ଏଥୁ ଏ ଧାରଣା

ଜାତ ହୁଏ ମନେ,

ଥାଏ ମଧୁରତା

କାଠିନ୍ୟ ବେଷ୍ଟନେ ।

ଥାଆନ୍ତା କି ନତୁ

ମଧୁ-ସୁଧାଜିତ,

ଭୀମଦଂଶୀ ଉଗ୍ର

ସରଘା ବେଷ୍ଟିତ ?

ଅବା ନାରିକେଳ

ଶସ୍ୟେ ସୁକୋମଳ,

ଥାନ୍ତା କି ଆଚ୍ଛାଦି

କର୍କଶ ବତ୍‌କଳ ।

ଶୋହେ ଖଣ୍ଡେ ଦୂରେ

ନନ୍ଦନ କାନନ,

ଗିରି-ସୁନ୍ଦରୀଙ୍କ

ବେଳି ଉପବନ ।

ପିଆଳ, ହିନ୍ତାଳ,

ରସାଳ, ବକୁଳ,

ନାରିକେଳ, ଭାତ,

ପୁନ୍ନାଗ, ନିଚୂଳ ୬

୬- ହିଞ୍ଜଳ ଗଛ

ଆଦି ବହୁଶାଖ

ଶାଖୀ ବହୁତର,

ପାଶେ ପାଶେ ଉଭା

ଛନ୍ଦି କରେ କର ।

ମଧ୍ୟେ ରାଜମାର୍ଗ

ଗଇରିବ ଅତି

ବନ ଭେଦି କିବା

ବହେ ସରସ୍ୱତୀ ।

ଦିଶେ ତହୁଁ ପତ୍ର

ଅନ୍ତରାଳ ଭେଦି,

କାଳଗୁଡ଼ି ଟଙ୍କେ

ସୀତାଦେଇ ୧ ବେଦୀ ।

ନୀଳ ସମତଳ

ବିଶାଳ ପାଷାଣ,

ଆସ୍ତରଣ ପରି

ଅଛି ଲମ୍ବମାନ ।

 

୧- ପ୍ରଚଳିତ କାମ ସୀତାଦେଈ ଚାଞ୍ଚଡ଼ା । ଏଠାରେ ରାଜପରିବାରମାନଙ୍କର ବାର୍ଷିକ ଭୋଜି ହୁଏ ।

 

ଦୁରୁ ଦିଶେ ତାହା

ବିପୁଳ ବିରାଟ,

ଶୁଖେ କି କାନନ-

ଲକ୍ଷ୍ମୀ ନୀଚ୍ଚପାଟ ।

ସୈନ୍ୟ ଠଣାକୁଳ

ଠଣା ଗ୍ରାମଠାରେ,

ସ୍ଥିତ ପୁଲାଶୁଣୀ

ରସାଳ ଛାୟାରେ ।

ରାଜ୍ୟ ଅଧିଷ୍ଠାତ୍ରୀ

ଅଟନ୍ତି ଏ ଦେବୀ,

ଲଭନ୍ତି ଅଭୀଷ୍ଟ

ଲୋକେ ତାଙ୍କୁ ସେବି ।

ପୁରାକାଳେ ଦେବୀ

ଯୁଦ୍ଧ ସମୟରେ,

ରଖୁଥିଲେ ରାଜ୍ୟ

ଚଢ଼ି ହୟବରେ ।

ସେହତୁ ଅବଧି

ଦେବୀ ବରଭୁଜା

ଗାଉଛନ୍ତି ରାଜ-

କୁଳେ ଅଗ୍ରପୂଜା ।

ରଖି ପ୍ରତିନିଧି

ନୃପତି ସଦନେ,

ବିଜେ ଏବେ ଦେବୀ

ରମ୍ୟ ଲୌହବନେ ୨ ।

୨- ଏହା ଗୋଟିଏ ଆମ୍ର ଉଦ୍ୟାନ ।

ଉଭା ଚାଳଗୁଡ଼ି

ଘନଚୁମ୍ବୀ ଚୂଡ଼,

ଧରେ ଶରେ ଦୀପ୍ତ ୩

କୃଷ୍ଣାଭ୍ର ମହୁଡ଼ ।

ଅନିନ୍ଦ୍ୟ ସୁନ୍ଦର

ସେ ମନ୍ଦରବର,

ଦ୍ୱିତୀୟ ମହେନ୍ଦ୍ର-

ଗିରି ଗଞ୍ଜାମର ।

 

୩- ତାଳଚୂଡ଼ି ସୁରଙ୍ଗୀର ସର୍ବୋଚ୍ଚ ପର୍ବତ । ପୁରାକାଳରେ ଏହି ପର୍ବତରୁ ସଙ୍ଗୀତ ତାଳ ଶବ୍ଦ ଶୁଣାଯାଉଥିବାରୁ ଏହାର ନାମ ତାଳଗୌଡ଼ି ହୋଇଥିଲା; ସଂପ୍ରତି ଅପବ୍ରଷ୍ଟ ହୋଇ ‘‘ତାଳଚୂଡ଼ି’’ ହୋଇଅଛି । ଏ ପର୍ବତରେ କୃଷ୍ଣାଭ୍ର ଖଣି ଅଛି ।

 

ଧରେ ଗିରି ଶିରୀ

ଯଥା ମତଙ୍ଗଜ,

ମହୀ ଭେଦି ଊର୍ଦ୍ଧ୍ୱେ

ଉଠେ କି ବିଗୁଜ ?

କାହିଁ ମୋର ଶକ୍ତି

ଅତି ଅକିଞ୍ଚିତ,

ଗାଇବି ସେ ଗିରି

ମହାଶକ୍ତି ଗୀତ ।

ସେ ଶକ୍ତି ସହିତେ

ମୋ ଶକ୍ତି ତୁଳନା

ବାରାନିଧି ସହ

ଯଥା କୁଶକଣା ୪ ।

ସୁରଙ୍ଗୀ ଶକ୍ତିର

ସେହୁ ମାନଦଣ୍ଡ,

ତା ଯୋଗୁଁ ସୁରଙ୍ଗୀ-

ସ୍ୱାତନ୍ତ୍ର୍ୟ ଅଖଣ୍ଡ-

୪- ଜଳକଣା ।

 

ଥିଲା ପୂର୍ବକାଳେ,

ଅଟେ ତାହା ତେଣୁ,

ସୁରଙ୍ଗୀର କଳ୍ପ-

ବଟ କାମଧେନୁ ।

ବ୍ରହ୍ମ ଲୋମକୁପେ

କୋଟି ବିଶ୍ୱ ପରି,

ଧରେ ଗଣ୍ଡଶୈଳ

ଶରୀରେ ଶିଖରୀ ।

ବିସୋରି ସାପତ୍ନ୍ୟ

ସୁଷମା, ସମ୍ପତ୍ତି,

ମୈତ୍ରୀ ଭାବେ ନଗେ

କରନ୍ତି ବସତି ।

ରସାଳ, ପନସେ

ଅପାଦି ଶିଖର,

ମଣ୍ଡି ଗିରିବର

ଦିଶେ ଚାରୁତର ।

ଚୂଡ଼ା ପରେ ଚୂଡ଼ା

ଶୋଭେ ଅଗଣନ,

ସୃଜେ ତହିଁ ପରେ

ଉପଚୂଡ଼ା ଘନ ।

ଚାହୁଁ ଚାହୁଁ ଶ୍ୱେତ-

ପଜ୍ଜନ୍ୟ ପଲକେ,

ଚରିଯାଏ ଯେବେ

ପର୍ବତ କଟକେ,

ତଦ୍ଦର୍ଶନେ ଆସେ

ଏ ଉତ୍‌ପ୍ରେକ୍ଷା ଆପେ,

ତାମସ ହୃଦେ କି

ସତ୍ତ୍ୱଗୁଣ ବ୍ୟାପେ ।

ଘନେ ଦେଖି ନାଚେ

ଘନବନ୍ଧୁ କେକୀ,

ଇନ୍ଦ୍ରଧନୁ ଗଞ୍ଜି

ଚାରୁପୁଚ୍ଛ ଟେକି ।

ହୁଅନ୍ତି ଉଦେ ସେ

ଗିରିଶୃଙ୍ଗେ ରବି,

ପ୍ରକାଶି ଅତୁଳ

ନିତ୍ୟ ନବ ଛବି ।

ଉଦୟ-ଅଚଳ

ସେହୁ ସୁରଙ୍ଗୀର,

ପ୍ରାତଃଛବି ତାର

ଜିଣେ କବି ଗୀର ।

ଅର୍ଦ୍ଧ ଶୁଳ୍କ, ଅର୍ଦ୍ଧ

ଶ୍ୟାମଳେ ବିଛୁରି,

ଧରେ ହରହରି

ମିଳନ ମାଧୁରୀ ।

ମୁକ୍ତ ହୋଇ କ୍ରମେ

ଗିରି ଅନ୍ତରାଳୁ,

ହୁଏ ଯେତେବେଳେ

ରବି ଗିରିତାଳୁ,

ପୂର୍ଣ୍ଣ ରାହୁଗ୍ରାସୁ

ମୁକ୍ତ ହେଲା ପରି,

ଆଭାସଇ ବାଳ-

ହିଙ୍ଗୁଳିତ ହରି ।

ଅବା ପ୍ରାଚୀଭାଲେ

ଦିଶେ ଝିଲିମିଲି,

ପଦ୍ମରାଗ ରଚୀ

ଚଟୁଳ ଟିକିଲି ।

ଚଳ ଘନଛାୟା

ଖରା ଉଭୟର,

ଘଟେ ଗିରିଦେହେ

ବିଚିତ୍ର ସମର ।

ଆଚମ୍ବିତେ ରୌଦ୍ରେ

ଗ୍ରାସ କରେ ଛାଇ,

ପରକ୍ଷଣେ ଖରା

ଦିଏ ତାକୁ ଖାଇ ।

ଗ୍ରାସମାନେ ଜାତ

ହୋଇ ପରସ୍ପରେ,

ପୁଣି ଗ୍ରାସେ ରତ

ହୁଅନ୍ତି ସତ୍ୱରେ ।

ହେରି ହେରି ଏହି

ମହାଦୃଶ୍ୟ ଚିତ୍ର

ହୁଏ ହୃଦ ମଧ୍ୟେ

ଏ ଭାବ ଉଦିତ-

ମୃତ୍ୟୁ ପାଇ ଜୀବ

ଜନ୍ମି ଏ ମତ୍ତ୍ୟରେ,

ଜନ୍ମଲାଭ ଅର୍ଥେ

ପୁଣି ଏଥି ମରେ ।

ମରଣର ଯଥା

ଜନମ କାରଣ,

ତଥା ଜନମର

ନିଦାନ ମରଣ ।

ଧରେ ବହୁ ଦଲୀ୧

ଗର୍ଭେ ଧରାଧର,

ପ୍ରକୃତି-ରାଣୀଙ୍କ

ଗୁପ୍ତ ଗନ୍ତାଘର ।

ବାହାରିଲା ପ୍ରାୟ

ବଲ୍ମୀକରୁ ବ୍ୟାଳ

ବହିଆସେ ନିମ୍ନେ

ବହୁ ଝରମାଳ ।

୧- ଦରୀ ଶବ୍ଦଳ ।

 

ପ୍ରତି ଗୁହା, ପ୍ରତି

ଚୂଡ଼ା, ପ୍ରତି ଝର

ମହାଶିକ୍ଷା, ମହା

ଦୃଶ୍ୟର ଆକର ।

ଅଧିକନ୍ତୁ ମହା-

ଭାବ ଭନ୍ନେଷକ,

ଏଣୁ ମହୀଧର

ନୀରବ ଶିକ୍ଷକ ।

ଅଚଳ ବଟିରେ

ସ୍ଥିତ ଶିଳାଗଳୀ,

ଧରେ ଆଖ୍ୟ ‘‘ସାତ

ବଖରିଆ’’ ଦଲୀ ।

ଅପ୍ରଶସ୍ତ ଗର୍ଭ

ଗଭୀର ବିଶେଷ,

ଭୀଷଣ ଆଶ୍ଚର୍ଯ୍ୟ

ସୁନ୍ଦର ପ୍ରବେଶ ।

ନାହିଁ ଗହଳର

କିଛିହିଁ ସଂସର୍ଗ,

ସେ ଶାଶ୍ୱତ ସ୍ଥାନ

ସ୍ୱରଗର ସ୍ୱର୍ଗ ।

ଅବା ବନଦେବୀ

ଶୟନ କୁଟୀର,

କିମ୍ବା ଗିରି ଗୁପ୍ତ-

ସୁତିକା ମନ୍ଦିର ।

ମାଳତୀ ନିଆଳି

ପାଟଳୀ ଲତିକା

ଆବର ଅସ୍ଫୋତା ୨

ଲତାକୁଳ-ଟୀକା,

ପ୍ରିୟସଖି ପ୍ରାୟ

ମଣି ପରସ୍ପରେ,

ଆଲିଙ୍ଗି ଅଛନ୍ତି

ଏକକୁ ଅପରେ ।

୨- ବଣମଲ୍ଲୀ

କବି, ଯୋଗିଯୋଗ୍ୟ

ସେ ସ୍ଥାନ ସୁନ୍ଦର,

ଆନ ପକ୍ଷେ ସିନା

ବିଶ୍ରୀ, ଭୟଙ୍କର ।

ଆକର୍ଷେ ସେ ଦୁଢ଼େ

ସାଧକର ମନ,

ଓଟାରେ କଳ୍ପନା

ଭାବକୁ ଯେସନ ।

ଗୁହା ପରେ ଗୁହା,

ଗୁହା ତାହା ପରେ,

ଭୟ ସୁଦ୍ଧା ତହିଁ

ନ ପଶେ ଭୟରେ ।

ଅନ୍ଧାର ଅନ୍ଧାର-

ପ୍ରିୟ ଚମଚଟା,

ବେନିଙ୍କର ତାହା

ଚିରସ୍ଥାୟୀ ପଟା ।

କେଉ ଶୋଭାଶିଷ୍ୟ

ବିଜନତା-ଭକ୍ତ,

ନ ହେବ ଏ ସ୍ଥାନ

ପ୍ରତି ଅନୁରକ୍ତ ।

ଏ ଦେବ-ବାଞ୍ଛିତ

ଧାମ ଯେଉଁ ଜନ,

ନ ଦେଖିଛି ସାର୍ଥ

ନୁହେଁ ତା ନୟନ ।

ପ୍ରଚ୍ଛନ୍ନେ ସେ ସ୍ଥଳୁ

ଝରେ ଯେ ଅମିୟ,

ଲେଖନୀୟ ନୁହେଁ

ନିଶ୍ଚେ ତା ପାନୀୟ ।

ସାତ ବଖରିଆ

ଦଲୀ ବାମେତରେ,

ସ୍ଥିତ ଆନ ଗୁମ୍ଫା

ଅଚଳ କଣ୍ଠରେ ।

ପ୍ରସ୍ତର ବିତାନ

ନିମେ ଶିଳାଡ଼ଙ୍ଗା,

ପୂର୍ଣ୍ଣ ତହୁଁ ସଦା

ଦ୍ରବମୟୀ ଗଙ୍ଗା ।

କାହୁଁ ଆସି ଜଳ

ରହିଛି ସଞ୍ଚିତ,

ଭାବିଲେ ସେ ତଥ୍ୟ

ଶୂନ୍ୟେ ଭ୍ରମେ ଚିତ୍ତ ।

ଧନ୍ୟ ପ୍ରଭୁ ତବ

ଅଜ୍ଞେୟ କୌଶଳ,

ପର୍ବତ ଶିଖରେ

ରହିଅଛି ଜଳ !

ନିଶ୍ଚେ ଏହା ତବ

ମହିମା ମହତ୍ତ୍ୱ,

ନରର କି ଚାରା

ବୁଝିବ ସେ ତତ୍ତ୍ୱ ।

ଦୁରାରୋହ ଶିଳା-

ବନ୍ଧୁର ଅୟନେ,

ବସି ବସି ଧରି

ଧରି ଯାନ୍ତି ଜନେ ।

ମାତ୍ର ସଉରାଏ

ଅବଲୀଳାକ୍ରମେ

ଡେଇଁ ଡେଇଁ ଯାନ୍ତି

କପି ଯଥା ଗମେ ।

ବୃଦ୍ଧ ପ୍ରୌଢ଼ ଯୁବା

ବାଳକ ସକଳ,

କରୁଛନ୍ତି ପଥ

ଅଭ୍ୟାସେ ସରଳ ।

ଜୀବର ଦ୍ୱିତୀୟ

ପ୍ରକୃତି ଅଭ୍ୟାସ,

ଘୁଞ୍ଚାଏ ସେ କର୍ମ-

ପଥୁ ପ୍ରାସ ତ୍ରାସ ।

କଲା ପ୍ରାୟ ନତ୍ର

ବଦନ ବ୍ୟାଦାନ

ଅଦୂରେ ‘‘କୁମ୍ଭୀର-

ଗୁମ୍ଫା’’ ବିଦ୍ୟାମାନ ।

ବହୁ ଋଷି ତହିଁ

କରୁଥିଲେ ତପ,

ନାହାନ୍ତି ସେ ଋଷି

ଅଛି ମାତ୍ର ଗପ ।

ଉଠୁଥିଲା ଯହୁଁ

ବ୍ରହ୍ମସ୍ତୁତି ଗାନ,

ହୋଇଅଛି ଏବେ

ଆହା ସେ ଶ୍ମଶାନ !

ଦେଉଅଛି ସାକ୍ଷ୍ୟ

ଏବେ ସେ ସତତ,

କାଳର କୁଟିଳ

ଗତି ଏହା ସତ ।

ଯେଉଁ କାଳ ଆଣେ

ସୌଭାଗ୍ୟ ସମ୍ପତ୍ତି

କିଏ ପୁଣି ସେହି

ଦୁର୍ଭାଗ୍ୟ ଦୁର୍ଗତି ।

କ୍ରୁର କାଳର ଏ

ମହା ପ୍ରତାରଣା,

ଜିଣେ ଅବହେଳେ

ମାନବ କଳ୍ପନା ।

ଅଦୂରେ ‘‘ମାଙ୍କଡ଼-

ଝର’’ ବିରାଜଇ,

ଗିରିପାଦ ଧୋଇ

ନିମ୍ନେ ଆସେ ବହି ।

ମର୍କଟ ଆକୃତି

ଶିଳା ତଳୁ ଜଳ,

ବହେ କଳ କଳ

ଜଳେ ଅନଗଳ ।

ଅଗ୍ରେ ଶିଳାବେଦି

ଦିଶଇ ସୁସଞ୍ଚ,

କି ସେ ନିର୍ଝରଣୀ-

ଦେବୀ ସଭାମଞ୍ଚ ।

ବହୁ ତରୁଲତା

ନତ ପୁଷ୍ପଭାରେ,

ସୁଜିଛନ୍ତି ଛାୟା-

ମଣ୍ଡପ ସେଠାରେ ।

ଶାଖାମୃଗଦଳ

ତୀବ୍ର ଉପଦ୍ରବେ,

ଥାଏ ନାହିଁ ଶାନ୍ତି

ସେ ସ୍ଥାନରେ ଲବେ ।

ଛାଡ଼ି ଉଚ୍ଚେ ରୁଦ୍ର

କିଳିକିଳା ନାଦ,

କରନ୍ତି ସତତ

ଆମୋଦ ଆହ୍ଲାଦ ।

କାହାପ୍ରତି ତିଳେ

ଭୟ ଭ୍ରାନ୍ତି ନାହି,

ମନୁଷ୍ୟ ଦେଖିଲେ

ହୁଅନ୍ତି ଖତାଇ ।

ନ କଲେ ହେଁ କେହି

କିଛି ଅପକାର,

ତେବେ ନ ଛାଡ଼ନ୍ତି

ଜାତୀୟ ବେଭାର ।

ଖଳର ସ୍ୱଭାବ

ସିନା ଏହିଭଳି,

ବଳେ ବଳେ ଅର୍ଜେ

ଅନଥକ କଳି ।

କ୍ଷେତ୍ରପାଳଙ୍କର

ଅଥର୍ବ ମନ୍ଦିର

ଚଉଦ୍ୱାରଶୋଭୀ

ଛବିଳ ରୁଚିର ।

ଶିଳା-ପୀଠ ପୃଷ୍ଠେ

ସ୍ତମ୍ଭ, ତଦୁପରେ-

ଖର୍ବ ଦେବାଳୟ

ଦିବ୍ୟ ଶୋଭା ଧରେ !

ଫଣା ପରେ ମହୀ

ମହାଭାର ବହି,

କୂର୍ମପୁଷ୍ଠେ ବିଜେ

ଅବା ଶେଷ ଅହି ।

ଚତୁର୍ଭୁଜ ମୂର୍ତ୍ତି

ଦେବ କ୍ଷେତ୍ରପାଳ,

ଜଗୁଛନ୍ତି କ୍ଷେତ୍ର

ବସି ଚିରକାଳ ।

ତାଳଗୁଡ଼ି ତଳେ

ରାଜେ ବୃନ୍ଦାବନ ୧

ବାସ୍ତବରେ ତାହା

ଉପ-ବୃନ୍ଦାବନ ।

୧- ଏହା ଗୋଟିଏ ରମଣୀୟ ଉଦ୍ୟାନ ।

ଅଥବା ନଗେନ୍ଦ୍ର

ନଗେନ୍ଦ୍ରାଣୀଙ୍କର,

ପ୍ରମୋଦ-କାନନ

ପ୍ରମୋଦ ଆକର ।

ଘନଛାୟାଯୁକ୍ତ

ଚିର ସୁଶୀତଳ,

ପରିମଳମୟ

ସୁନିର୍ମଳ ସ୍ଥଳ ।

ବିଜନତା ଦେବୀ

ଅରୂପଧାରିଣୀ,

ମହାଯୋଗେ ରତ

ତହିଁ ଏକାକିନୀ ।

ମନୁ ଶୋକ ଚିନ୍ତା

କରେ ସଂହନନ,

ନିଶ୍ଚେ ସେହୁ ମର୍ତ୍ତ୍ୟେ

ନନ୍ଦନ କାନନ ।

ନାରୀକେଳ, ଆମ୍ବ

ପନସ, ବଞ୍ଜୁଳ ୨,

ପ୍ରିୟକ ୩, ପୀତନ୪

ନିଚୂଳ ୫, ପିଜୁଳ ୬

ଚମ୍ପକ, ଚାମ୍ପେୟ ୭

ଶମୀ, ଶେଫାଳିକା,

ତନ୍ଦୁକ, ସମ୍ପାକ ୮,

ଗାୟତ୍ରୀ ୯, କ୍ଷୀରିକା ୧୦

 

୨- ଅଶୋକବୃକ୍ଷ ।୩- କଦମ୍ବଗଛ ।୪- ଆମ୍ବଡ଼ାଗଛ ।୫- ହିଞ୍ଜଳ ଗଛ ।୬- ଝାଉଁ ଗଛ ।୭- ନାଗେଶ୍ୱର ଗଛ ।୮ ସୁନାରୀଗଛ ।୯- ଖଇରଗଛ ।୧୦- କ୍ଷୀରକୋଳି ଗଛ ।

 

ନାଗେଶ୍ୱର, ଜମ୍ବୁ,

ଲେମ୍ବୁ, କୋବିଦାର ୧,

କକୁଭ୨, କର୍କନ୍ଦୁ୩

ବିଲ, କର୍ଣ୍ଣିକାର ।

ଛୁରୀଅନା, ନିମ୍ବ,

ନ୍ୟଗ୍ରୋଧ୪, ଗୁବାକ,

ତମାଳ, ଇକୁଚ ୫

ଖର୍ଜୁର- ବିଶାଖ ୬

 

୧- କଞ୍ଚନ ଗଛ । ୨- ଅର୍ଜୁନଗଛ ।୩- ବରକୋଳି ଗଛ ।

୪- ବଟବୃକ୍ଷ ।୫- କେଉଠଗଛ । ୬- ଶାଖାହୀନ ।

 

ତାଳ ତମାଳାଦି

ବହୁ ପାଦପରେ,

ବୃନ୍ଦାବନ ତୋଟା

ସୌମ୍ୟ ଶିରୀ ଧରେ,

ଆଚ୍ଛାଦିଛି କାହିଁ

ନିବିଡ଼େ ଅଟବୀ

ମଧୁଗନ୍ଧା-ମଧୁ-

ବାନ୍ଧବୀ-ମାଧବୀ ।

ଦୋହଲେ ସମୀରେ

ଧୀରେ ଶିର ଚାଳି,

ଅଳି-ପାଳି-ପ୍ରିୟ-

ଅଳିକା-ନିଆଳି ।

ଭଜ୍ଜୁଳିଛି ଦିଗ

କାହିଁ ବା ମାଳତୀ,

ନାଗରୀ-ବ୍ରତତୀ-

କୁଳ-ଚକ୍ରବର୍ତ୍ତୀ ।

ମେଲିଛି ବଧୁରୀ

ସୁଷମା-ବିପଣୀ,

ସୁନ୍ଦରୀ-ଅଧର-

ରକ୍ତିମା ଚୋରଣୀ ।

ପ୍ରକାଶିଛି କାନ୍ତି

ଜୟାହୁଙ୍ଗଳାଙ୍ଗୀ

ମଣିବକ ୭-କୁଳ-

ପାଂଶୁଳା ବାରଙ୍ଗୀ ।

୭- ପୁଷ୍ପ ।

ଦିବସ ଭାଗର

ଚତୁର୍ଯାମ ଯାକ,

ଶୁଭୁଥାଏ ବନେ

ନାନା ପକ୍ଷୀ ଡାକ ।

କରନ୍ତି କାନନେ

ନିତ୍ୟ ମୁଖରିତ,

ଷଡ଼୍ମସ୍ୱରେ ଗାଇ

ମୟୂରେ ସଙ୍ଗୀତ ।

ବନବଇଁଶିଆ

କଜ୍ଜଳପାତିଆ,

ବାଏ କଣ୍ଠ-ବଂଶୀ

ରାତି ପାହାନ୍ତିଆ ।

ପିଟିଦିଏ ଥରେ

ଥରେ ଡମ୍ବକାଉ ୮,

ପ୍ରଭାତୀ ନାଗରା

ହୋଇ ଟାଉ ଟାଉ ।

୮- କୁମ୍ଭାଟୁଆ ।

ଚିର ଦ୍ୱନ୍ଦ୍ୱପ୍ରିୟ

ଖଳ ସାତଭାୟା,

ଦୋଦୁଲ୍ୟ-କୁଲାୟ-

କୋଳବାସୀ ବାୟା,

ଢାଳୁଥାନ୍ତି କର୍ଣ୍ଣ-

ମୁଣ୍ଡେ ଦିନ ସାରା,

ହଳାହଳମୟ

କୋଳାହଳ ଧାରା ।

ଚିତ୍ରପଟ ଫେଡ଼ି

ଉଡ଼େ ଭରଦ୍ୱାଜ ୯

କରେ ପକ୍ଷିବେଣ୍ଟ ୧୦

ଛକି ଛକି ବାଜ ୧୧

ଟଙ୍କାରଇ ଫୁଲ

ଚୁଇଁ ଏକତାରା,

ଘୁମୁରେ ଗଭୀରେ

ତରୁଖୋଲେ ପାରା ।

 

୯-ଉଦଉଦଳିଆ । ୧୦- ପକ୍ଷୀ ଶିକାର । ୧୧- ଛଞ୍ଚାଣ ପକ୍ଷୀ ।

 

ହଳଦୀବସନ୍ତ

କୂଜନ୍ତି ପ୍ରଚୁର,

ରୂପ ପୁଣି ସ୍ୱର

ଭରେ ଯା ମଧୁର ।

ଦୂରନ୍ତ କାକୋଳ ୧୨

କଠୋରେ ବୋବାଇ,

ଦିଏ ସେ ସୁଶ୍ରାବ୍ୟ-

କାକଳି ବୁଡ଼ାଇ ।

୧୨- ଶାଖାହୀନ ।

କାଠଖୁମ୍ପା କାଠ

ହାଣେ ଥଣ୍ଟ ପିଟି,

ବଂଶବନୁ ତୁତି

ମାରୁଥାନ୍ତି ସିଟି ।

କପୋତ ହୁଙ୍କାରେ

କମ୍ପେ ବନବକ୍ଷ,

ତିତ୍ତିରୀ, ଟିଟ୍ଟିଭ

ସ୍ୱନନ୍ତି ଅସଂଖ୍ୟ ।

ଷଡ଼ଋତୁ ସହ

ବସନ୍ତ ସେ ବନେ,

ବିଳସେ ସର୍ବଦା

ମହା ହୁଷ୍ଟ ମନେ ।

ଧନ୍ୟ ହେବ ନିଶ୍ଚେ

ନିରେଖି ସେ ବନ,

ଶାଶ୍ୱତ-ସୌନ୍ଦର୍ଯ୍ୟ-

ପିପାସୁ-ନୟନ ।

ଉଦ୍ୟାନ ମଧ୍ୟରେ

‘‘ବିଚିତ୍ର ମଣ୍ଡପ’’

ଅବସ୍ଥିତ ବହି

ସୂକ୍ଷ୍ମ-ଶିଳ୍ପ-ଦର୍ପ ।

ଆବର ବିଶ୍ରାମ-

ମଣ୍ଡପ ଅନେକ,

ବଢ଼ାଇଅଛନ୍ତି

ଉଦ୍ୟାନର ଟେକ ।

ତୋଟା ଉପକଣ୍ଠେ

ତାଳଗୁଡ଼ି ପାଦେ,

ବହେ ‘‘କିଆଝର’’

ଝର ଝର ନାଦେ ।

ଊର୍ଦ୍ଧ୍ୱେ ତାର ‘‘କୁଞ୍ଜ-

ବିହାରୀ’’ ୧୩ ମନ୍ଦିର

ଅସମ୍ପୂର୍ଣ୍ଣ ରହି

ଦିଶଇ ରୁଚିର ।

 

୧୩- ରାଜ ନୀଳାଦ୍ରି ହରିଚନ୍ଦନ ଏହି ଝର ଉପରେ ପଞ୍ଚ ଦେବାଳୟ ନିର୍ମାଣ କରାଇ ତହିଁରେ କୃଷ୍ଣବିହାରୀ ଦେବଙ୍କୁ ସ୍ଥାପନ କରିବାର ଅଭିଳାଷ କରିଥିଲେ । ମାତ୍ର ରାଜାଙ୍କର ଆକସ୍ମିକ ମୃତ୍ୟୁ ଘଟିବାରୁ ଉକ୍ତ ପଞ୍ଚ ଦେବାଳୟ ଅର୍ଦ୍ଧ ପ୍ରସ୍ତୁତ ଭାବରେ ଅବଧି ରହିଅଛି ।

 

ଦେଖିଲେ ତାହାର

ଭାସ୍କର୍ଯ୍ୟ ଅଦ୍ଭୁତ,

ପ୍ରତେ ହୁଏ ଯଥା

ବିଶ୍ୱକର୍ମା କୃତ ।

ନିର୍ମଳ, ଶୀତଳ

ପୂତ ଝର ପୟ,

ତୁଳନା ତାହାର

ସଂଯତ ହୃଦୟ ।

ଝର ଶିରେ କ୍ଷୁଦ୍ର

ଗୁମ୍ଫା ବିଦ୍ୟମାନ,

ଧରେ ସେ ‘‘ପଳାଶ-

ଦଲୀ’’ ଅଭିଧାନ ।

ଚୌପାଶେ ପ୍ରକାଶ

ଛନ୍ଦି ଶାଖାପୁଞ୍ଜ,

ସୃଜିଛନ୍ତି ତହି

ସାରସ୍ୱତ କୁଞ୍ଜ

ବିଷ୍ଣୁପାଦ ତଳୁ

ମନ୍ଦାକିନୀ ପ୍ରାଏ,

କିଂଶୁକ ମୂଳରୁ

ଝର ବହିଯାଏ ।

ଧର୍ମପଥେ ବିଘ୍ନ

ପ୍ରାୟ କଣ୍ଟାବନ,

କରିଅଛି ଗୁମ୍ଫା-

ମୁଖ ସମାଚ୍ଛନ୍ନ ।

କୁସୁମ ଚନ୍ଦନ

ତୁଳସୀ ସୌରଭେ,

ପୂର୍ଣ୍ଣ ଥିଲା ଗୁମ୍ଫା

ଗରଭ ପୂରବେ ।

ଝର୍ଝର ନିନାଦେ

ପୂର୍ବେ ପ୍ରସ୍ରବଣ,

କରୁଥିଲା ମହା-

କାଳେ ସମ୍ଭାଷଣ

ମାତ୍ର ଏବେ ଆହା

ନୀରବ ନୀରସ,

ଭେଦିବ କେ ଭଲା

ନିୟତି ରହସ୍ୟ ।

କାନନ ଏକାଂଶେ

ପର୍ବତ ଗହ୍ୱରେ,

ନିବସନ୍ତି ‘‘ବନ-

ଦୁର୍ଗା’’ ନିର୍ଜ୍ଜନରେ ।

ଦେବୀଙ୍କ ଦୁର୍ଜୟ

ବାହନ କେଶରୀ,

ବିଦାରେ ଆଶ୍ରିତ

ଅମଙ୍ଗଳ-କରୀ ।

ଜନକ ଚମ୍ପକେ

କୁସୁମ ପରାଗେ,

ଦେବୀ ପାଦପଦ୍ମ

ମଣ୍ଡନ୍ତି ସରାଗେ ।

ନିଯୋଗୀ ସେବକ

ପରି କନିଅର,

ଧରି ଭଭା ସ୍ୱର୍ଣ୍ଣ-

ମହୁରୀ ନିକର ।

ତରାଟ ଟପର

ଧରିଣ କୋରକ,

ବାଏ ମୃତ୍ୟୁଞ୍ଜୟ-

ଜାୟା-ଜୟଶଙ୍ଖ ।

କନକ-ଗଉରୀ

ସତୀ ସହଚରୀ *

ବସିଅଛି ବହୁ

ଏକମୁନା ଧରି ।

ଆସିଲେ କୁସୁମ-

ଲମ୍ପଟ ଷଟ୍‌ପଦ,

ରଖିବ ସତୀତ୍ୱ

ସୃଜି ତା ବିପଦ ।

*କୁରୁବଳ

ଆସ୍ଥାନ ମଣ୍ଡପ

ଭେଦି ଏକ ଝର,

ବହିଆସେ ଧୋଇ

ଦେବୀଙ୍କ ପୟର ।

ପାରିବ ସେ ସ୍ଥାନ

ମୋହି ମୁନି ମନ,

ବିବୁଧ ବାଞ୍ଛିତ

ପ୍ରଶାନ୍ତ ପାବନ ।

ଅପରଂଶେ ସ୍ଥିତ

ତଡ଼ାଗ ସୁନ୍ଦର,

ମାନସ ସଦୃଶ

ମାନ-ସରୋବର ।

ବନ-ଲକ୍ଷ୍ମୀଙ୍କର

ହୀରକ ଦର୍ପଣ,-

ସ୍ୱରୁପ ସେ ସର

ଦିଶେ ଶୋଭାବନ ।

‘‘ମକର ମଣ୍ଡପ’’

ତୀରେ ମନୋରମ,

ବିନ୍ଦୁସରତୀରେ

ଶିବାଳୟୋପମ ।

ସୂକ୍ଷ୍ମ ଶିଳ୍ପ ତାର

ହରିନିଏ ଚିତ୍ତ,

ସୂଚିକାରେ କି ସେ

ହୋଇଛି ଖୋଦିତ ।

ପ୍ରାଚୀନ ଉତ୍କଳ

ଶିଳ୍ପ-ଚାତୁରୀର,

ମୁକସାକ୍ଷୀ ସେହି

ସ୍ଥବିର ମନ୍ଦିର ।

ମଣ୍ଡପର କାଳ-

ଚର୍ବିତ-କଙ୍କାଳ,

ହୋଇଅଛି ଏବେ

କପି-କ୍ରୀଡ଼ାଶାଳ ।

ତହୁଁ ଖଣ୍ଡେ ଦୂର

ହେଲେ ଅଗ୍ରସର,

ଗତିପଥେ ପଡ଼େ

‘‘ବକମ ନିର୍ଝର’’ ।

ପର୍ବତ ଅତଟୁ

ଝରି ଆସି ନୀର,

ବଂଶବନ ଭେଦି

କୁଣ୍ଡେ ହୁଏ ସ୍ଥିର ।

ବକମ ଇନ୍ଧନ

ହେବାରୁ ପତିତ,

ଦିଶେ କୁଣ୍ଡଜଳ

ଘନ ସିନ୍ଦୁରିତ ।

ଫଗୁ ଜଳ ଅବା

ସଞ୍ଚିଛି ଲତିକା,

ଭେଟିଲେ ବସନ୍ତେ

ମାରିବ ପିଚିକା ।

କିମ୍ବା ବନ-କାକୀ

କପାଳ ନୟନ,

କରିଛନ୍ତି ମହା-

କ୍ରୋଧେ ଉନ୍ନୀଳନ ।

ଧର୍ମଭେକୀ ଭଣ୍ଡ

ବୈଷ୍ଣବର ଶିରୀ,-

ଫଳମାଳେ ମଣ୍ଡି

ଧରିଛି ଡିମିରି ।

ବିଦ୍ରୁମର ବହୁ

ଧଣ୍ଡା ୧ ବାନ୍ଧି ଗଲେ,

ଉଭାଫଳବନ୍ତ

ଖର୍ଜ୍ଜୁରେ ଅଚଳେ ।

ପିଚୁମର୍ଦ୍ଦେ ଫଳ

ପାଚିଛି ବିସ୍ତର,

ମଧୁର ଭର୍ତ୍ସନା

ପ୍ରାୟ କଟୁତର ।

୧- ହୀରା ।

ସିନ୍ଦୁରମୁଣ୍ଡିର

ସମୟଜ୍ଞାପକ,

କଣ୍ଠ-ଘଣ୍ଟା ତହିଁ

ବାଜେ ଠକ ଠକ ।

ପାରାଭାଡ଼ି ଶୃଙ୍ଗ

ପାରଭାଡ଼ି ପରି,

ଶୂନ୍ୟଗର୍ଭ ତାର

ସୁବିଶାଳ ଦରୀ ।

ଫିଟାନ୍ତି ଯେ କାଳେ

ବାରୁଣୀ କପାଟେ,

ପଛୋଟି ନେବାକୁ

ଦିବସ-ସମ୍ରାଟେ ।

ଅସ୍ତଗାମୀ ରବି

କନକ କିରଣେ,

ବୋଳି ହୋଇ ବନ୍ୟ

ପାରାବତଗଣେ,

ଦିଗ ଦିଗନ୍ତରୁ

ନଭେ ଭାସି ଭାସି,

ପଶନ୍ତି ସେ ଶୃଙ୍ଗେ

ଦଳେ ଦଳେ ଆସି ।

ଯଥା କୋଟି କୋଟି

ଜୀବେ ଏକାଧାରେ,

ପଶନ୍ତି ପ୍ରତ୍ୟହୁ

ଭବ-କାରାଗାରେ ।

ଶୃଙ୍ଗଶିରେ ବର

ଅଛି ଛତା ଧରି,

ନୀଳଗିରି ଚୂଳେ

କଳ୍ପବଟ ପରି ।

ଅଦୂରେ ତାହାର

ସପ୍ତଚୂଳ ଶୃଙ୍ଗ,

ଘନ ନୀଳିମାରେ

ଜିଣେ କୃଷ୍ଣଭୃଙ୍ଗ ।

ଦୂରୁ ସପ୍ତଶାଖ

ମୁକୁଟ ପ୍ରକାର,

ଗିରି ଶିରେ ତାହା

ଦିଶଇଉଦାର ।

ଅବା ଶମ୍ଭୂ ଶିରେ

ଫଣି- ସପ୍ତଫଣ,

ଟେକି ଶିରପୁଞ୍ଜ

ନିରେଖେ ଗଗନ ।

ତରୁଲତାଗୁଳ୍ମେ

ସେ ଚୂଡ଼ା ଗହଳ,

ରକ୍ଷବଧୁ ଦିବା-

ଅଭିସାର ସ୍ଥଳ ।

ବୃନ୍ଦାବନ ବନ

ବାମେତର ପାଶେ,

ବେହରଣ ଦେବି

ଜୀର୍ଣ୍ଣତା ପ୍ରକାଶେ ।

ଶେଷ ପ୍ରାୟ ଏବେ

ମଣ୍ଡପର ସତ୍ତା,

ଦେଖାଏ ସଙ୍କେତେ

ଭାଗ୍ୟ ନାଶ୍ୱରତା ।

ଥିଲା ପୂର୍ବେ ସିନା

ରାଜବେହରଣ,

ହୋଇଛି ଏବେ ସେ

ବଲ୍ମୀକ ସଦନ । ୩

୨- ନିମ୍ବବୃକ୍ଷ ।

୩- ଉଚ୍ଚହୁଙ୍କା ।

ସୋପାନଶୋଭିତ

କୁର୍ଚ୍ଚି ମଣ୍ଡପର, ୪

ଚାରୁ କାରୁକାର୍ଯ୍ୟେ

ନାହିଁ ପଟାନ୍ତର ।

ବିଶାଳ ବର୍ତ୍ତୁଳ

ଗଣ୍ଡଶୈଳ ଶିରେ,

ଆସନ ମଣ୍ଡପ

ନିର୍ମିତ ରୁଚିରେ ।

୪- ଏହି ପ୍ରକାଣ୍ଡ ମଣ୍ଡପର ଆକାର ଅବିକଳ କୁର୍ଚ୍ଚି ସଦୃଶ।

ମହାଶୂନ୍ୟାୟିତ

ଏବେ ସେ ମଣ୍ଡପ,

ଆତ୍ମାପରିଶୂନ୍ୟ

ସ୍ଥୁତି ପିଣ୍ଡକଳ୍ପ ।

କୁତ୍ରିମ କଚ୍ଛପ

ପୃଷ୍ଠେ ବିନିର୍ମିତ ୫

ଦିଶେ ଆହା କୂର୍ମ-

ମଣ୍ଡପ ଛୁରିତ ।

୫- କୃତ୍ରିମ ବିଶାଳ କୁର୍ମପୃଷ୍ଠରେ ‘‘କୁର୍ମମଣ୍ଡପ ନିର୍ମିତ’’ ହୋଇଅଛି ।

ତାର କାଷ୍ଠ-କଳା-

କୌଶଳ ଦର୍ଶନେ,

କଳ୍ପନା କଳ୍ପିତ

ପ୍ରାୟ ହୁଏ ମନେ ।

ଲୁଟୁଛନ୍ତି ଏବେ

ସେ ଶୋଭା ବିପଣି,

ଦୁରନ୍ତ ବାନର,

ଦୁରନ୍ତ ଚିମଣୀ ।

ବିନ୍ଧ୍ୟାବାସିନୀଙ୍କ

ଯାମଳ ମନ୍ଦିର,

ମାଳତୀ ନିକୁଞ୍ଜେ

ଟେକିଅଛି ଶିର ।

ତହିଁ ଗିରିମଲ୍ଲୀ

ବଣବଲ୍ଲୀ ତୁଲେ,

ପୂଜନ୍ତି ଦେବୀଙ୍କୁ

ପଯ୍ୟୁସିତ ଫୁଲେ ।

ଅର୍ଦ୍ଧଚନ୍ଦ୍ରାକୃତି

‘‘ଅର୍ଦ୍ଧଚନ୍ଦ୍ରଡ଼ିଆ’’, ୬

ପାଷାଣେ ଗଠିତ

ଅତି ଗହିରିଆ ।

ତ୍ରିଂଶହସ୍ତ ଊର୍ଦ୍ଧ୍ୱୁ

ହୁଏ ଜଳପାତ,

ଅତି ରମଣୀୟ

କୃତ୍ରିମ ପ୍ରପାତ ।

୬- ମଗ୍ନ ସେତୁ ।

ନିମ୍ନରେ ନିର୍ମିତ

କାଳିୟ ଆକୃତି

ଫଣାପରେ ସ୍ଥିତ

ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ।

ପ୍ରାବୃଟେ ପର୍ବତୁ

ବହିଆସି ଜଳ,

ସ୍ରୋତାକାରେ ଗର୍ଜି

ଗର୍ଜି ଅନର୍ଗଳ,

ଡିଆଁ ପଥେ ବହି

ସର୍ଗ ମସ୍ତକରେ,

ପଡ଼ି ଗମେ ‘‘ରାଜ-

ଖମାରେ’’ ପ୍ରଖରେ । ୧

‘‘ସିଂହଡ଼ିଆ’’, ଆଉ

‘‘ମତ୍ସ୍ୟଡ଼ିଆଁ’’ ବେନି,

ବିରାଜିତ ସିଂହ,

ମତ୍ସ୍ୟ ଚିହ୍ନ ଘେନି ।

 

୧- ସ୍ୱର୍ଗୀୟ ରାଜା ନୀଳାଦ୍ରି ହରିଚନ୍ଦନ ଜଗଦେବଙ୍କ ଏହା ସୌଖୀନ ଭୂମି ଥିଲା ।

 

ରାଜ-ଖମାରର

ଦେଖି ପରିପାଟୀ,

ଶୋଭା- ସୁଧା ପାନେ

ପଡ଼େ ଆଖି ଫାଟି ।

ଜଳ ଯାତାୟାତ

ସୁବିଧା ନିମିତ୍ତ,

ଅଛି ଶଙ୍ଖ ପ୍ରତି

କେଦାରେ ନିର୍ମିତ ।

କିଆରୀ-ସୁନ୍ଦରୀ

ପିନ୍ଧି ଦଣ୍ଡିଗୁଣା,

ପ୍ରକାଶନ୍ତି କିବା

ଅତୁଲ ଫୁରୁଣା ।

ଝରତୋଟା ନାମେ

ଅପର ଉଦ୍ୟାନ,

ପର୍ବତ କଟୀରେ

ଦିଶେ ଶୋଭମାନ ।

ନିବିଡ଼ ସେ ଅତି

ରସାଳ, ପନସେ,

ବିସ୍ତାରି ପସରା

ଶୋଭା ତହିଁ ବସେ ।

ମଧ୍ୟସ୍ଥଳୂ ଝରେ

‘‘ପରିମଳ ଝର’’

ଯା ତୀରେ ବିହାର

ଇଚ୍ଛନ୍ତି ଅମର ।

ଝର ଊର୍ଦ୍ଧ୍ୱଦେଶେ

ପରିମଳ ଗୁମ୍ଫା,

ଆକୃତ ତାହାର

ଯଥା ମାଟି କୁମ୍ପା

ତହିଁ ପରେ ଶିଳା

ରହି ବିଦ୍ୟମାନ,

ସୃଜିଅଛି ନୀଳ-

ନିସର୍ଗ-ବିତାନ ।

ପରିମଳ ଗୁମ୍ଫା

ପରେ ରତ୍ନଦଲୀ,

ବିଭୀଷିକା-ବାସ

ତମୋମୟ ଗଳି ।

ଯୁଦ୍ଧକାଳେ ସୁନା,

ହୀରା, ନୀଳା, ମୋତି,

ରତ୍ନରାଜି ଏଥି

ରଖୁଥିଲେ ପୋତି ।

ଏଣୁ ରତ୍ନବଲୀ

ନାମ ଧରେ ଦରୀ,

ରଖିଅଛି ତାକୁ

କଣ୍ଟକ ଆବରି ।

ଥିଲା ସେହୁ କାଳେ

ନୃପତି ଭଣ୍ଡାର,

କାଳବଶେ ଏବେ

ସେ ପଶୁ ଆଗାର ।

କାହା ଭାଗ୍ୟ କାଳ

କାକୁ ଦିଏ କେବେ,

ଥାଉ ଆନ, ତାହା

ଅବିଦିତ ଦେବେ ।

ଗିରିଗର୍ଭେ ଗୁପ୍ତ

କାରାଗାର ଭଳି,

ନିକାଞ୍ଚନ ସ୍ଥାନେ

ଜଗନ୍ନାଥ ଦଲୀ ।

ପ୍ରବେଶ-ସରଣି

ଅପ୍ରଶସ୍ତ ଅତି,

ହୁଏ ନାହିଁ କରି

ତହିଁ ଉଭା ଗତି ।

ହେବାପାଇଁ ପାର

ସେହି ବିବରକୁ,

ପଡ଼େ ସରୀସୃପ

ହେବାକୁ ନରକୁ ।

ଖଣ୍ଡେ ଦୂର ନିମ୍ନେ

ଗଲେ ଗଳି ଗଳି,

ପଡ଼େ ଦୃଷ୍ଟିପଥେ

ସେ ବିଶାଳ ଦଲୀ, ।

ବାହ୍ୟ କୋଳାହଳ

ତହିଁ ଶୁଭେ ନାହିଁ,

ଗର୍ଜେ ନିସ୍ତବ୍‌ଧତା

ସଦା ସାଇଁ ସାଇଁ ।

ଦଲ୍ଲୀ ଲଗ୍ନ ପଲ୍ଲୀ

‘‘ଟୁକୁ’’ ‘‘ଟୁକୁ’’ ସ୍ୱର,

ଥରେ ଥରେ କରେ

ଗହ୍ୱରେ ମୁଖର

ପରଶେ ସେ ସ୍ଥାନ

ପ୍ରଦାନେ ସର୍ବଥା,

ପାର୍ଥିବ ଭାବନା-

ଗଳାରେ ଗଳଥା ।

ଅନାସ୍ୱାଦ ଶୋଭା-

ସୁଧାଧାରା ଆସି,

କ୍ଷୁଧା, ତୃଷା, ଶାନ୍ତି

ଦିଏ ଖରେ ନାଶ ।

ଦିବସେ ମୃଗୟୁ-

ଭୀତ ମୃଗମାନେ,

ଲୁଚି ରହିଥାନ୍ତି

ଆସିଣ ଏ ସ୍ଥାନେ ।

ନିରାପଦ ମଣି

ଗୃହରେ ସତତ,

ଥାଆନ୍ତି ଶୟନେ

ରୋମନ୍ଥଳେ ରତ ।

ସାଧୁ ହୃଦ କିଣି

ଦଲୀ ଅନ୍ତସ୍ତଳ,

ପ୍ରଶାନ୍ତ ପବିତ୍ର

ଉଜ୍ଜ୍ୱଳ, ଶୀତଳ ।

ଅଧିକନ୍ତୁ ସେହି

କନ୍ଦର-ଉଦର,

ଯଥା ମନୋହର

ତଥା ଭୟଙ୍କର ।

ଭୀଷଣତା ସିନା

ଶୋଭାର ଭୁଷଣ,

ତେଣୁ କରେ ସେହୁ

ତା ସହ ଭ୍ରମଣ ।

ନୋହିଥିଲେ ସିନ୍ଧୁ-

ବୀଚି ଭୟଙ୍କର,

ଦିଶନ୍ତା କି କେବେ

ପରମ ସୁନ୍ଦର ।

ଗୁମ୍ଫା ଶିରୋଭାଗେ

ଅଛି ଲମ୍ବମାନ,

ହିତଳ ପ୍ରାସାଦ

ସଦୃଶ ଚଟାଣ ।

ଗିରି ସୃଷ୍ଟି କାଳୁ

ତହିଁ ଏତାବତ,

ହୋଇ ନାହିଁ ରବି

ରଶ୍ମି ଅଭ୍ୟାଗତ ।

ସେ ସ୍ଥାନ ନିସର୍ଗ

ଦୃଶ୍ୟ ଆକର୍ଷଣ,

ପାରେ ନାହିଁ ବଳେ

ଛିନ୍ନ କରି ମନ ।

ନ ତୁଟେ ସହଜେ

ଦିଦୃକ୍ଷାର ସ୍ନେହ,

ଫେରେ ନାହିଁ ମନ,

ଫେରେ ମାତ୍ର ଦେହ ।

ଲତାକୁଞ୍ଜ ମଧ୍ୟେ

ପବିତ୍ର ଆସ୍ଥାନେ,

ସାତଭଗ୍ନୀ ଦେବୀ

ଶାୟିତା ଉତ୍ତାନେ ୧ ।

୧- ପ୍ରଚଳିତ ନାମ ସାତଭଉଣୀ ।

ଛାୟା ଚନ୍ଦ୍ରକିତ

ଶୋଭାନୁକରଣ

କରେ କୁଞ୍ଜେ ଫୁଟି

ପିଡ଼ସି ସୁମନ ୨ ।

ମଣ୍ଡିଛି ଅର୍ଗୁଣା ୩

ଦେବୀ ଶିରୋଭାଗେ,

ନୀଳମଣିମୟ

ମୁକୁଟ ସୁହାଗେ ୪ ।

 

୨- କୀରିକିଚ ବା କଣ୍ଟାକୁସୁମ ।

୩- ନାସଦାନି ଗଛ । ଏହାର ପତ୍ର ବକ୍ର ଚୂଡ଼ାକୃତି ।

୪- ସ୍ନେହରେ ।

 

ପ୍ରକୃତି କୃପାରୁ

ଅଛି ସଦା ଟଣା,

ମାଳତୀ୫ ମସ୍ତକେ

ମାଳତୀ ଓଡ଼ଣା ।

ଦିଶେ ତା ପାତାଳ

ସରଣି ସ୍ୱରୁପ,

ଅବା ସୁଗଭୀର

ଗିରି ନାଭିକୂପ ।

୫- ମାଳତୀଗୁଂଫା ।

ସମୀପେ ଫରୁଆ

ଦଲୀ ଅବସ୍ଥିତ ୬,

ଅର୍ଦ୍ଧମୁକ୍ତ, ଅର୍ଦ୍ଧ

ନିବିଡ଼ ମୁଦ୍ରିତ ।

ଯାମିନୀ ଯାପନ

କରନ୍ତି ଆହ୍ଲାଦେ,

ନିର୍ଭୟେ ତା ମଧ୍ୟେ

ହରିଣ ଜିଆଦେ ୭

୬- ଏହାର ଆକାର ଫରୁଆ ସଦୃଶ ।

୭- କୃଷ୍ଣମୃଗ ।

 

ଆହା କେଡ଼େ ଦ୍ୟୁତି

ଧରେ ହାତୀମୁଣ୍ଡ ୮,

ବିସ୍ତାରି କୁଟିଳେ

ସୁପ୍ରକାଣ୍ଡ ଶୁଣ୍ଡ ।

ଗଜ ଶିର ପରି

ଦିଶେ ସେ ଶିଖର,

ଛଉଳ ୯ ପାଣ୍ଡୁର

ଆବର ଟାଙ୍ଗର ।

୮- ଏହାର ଆକୃତି କରିକୁମ୍ଭ ସଦୃଶ ।

୯- ଛଉଯୁକ୍ତ ଅର୍ଥାତ୍ ଛିଟିଛିଟିକା ।

ପରାଜେ କଳ୍ପନା

ତା ଶୋଭା ପ୍ରଶସ୍ତି,

ସୁରଙ୍ଗୀ- କମଳା

ପ୍ରିୟ ପାଟହସ୍ତୀ ।

ତଦନ୍ତେ ‘‘ହଳଦୀ-

ବନ’’ ୧୦ ଶୈଳତଟେ,

ଚୈତ୍ରରଥ ୧୧ ପ୍ରାୟ

ସୁଷମା ପ୍ରକଟେ ।

୧୦- ବିସ୍ତୀର୍ଣ୍ଣ ଆମ୍ରୋଦ୍ୟାନ ।

୧୧- କୁବେରଙ୍କ ଉଦ୍ୟାନ ।

ବାସର-ଯୌବନେ

ତହିଁ ତରୁତଳେ,

ଅରଣ୍ୟ କୁକ୍କୁଟେ

ବସିଣ ବିରଳେ ।

ରଟନ୍ତି ଉଚ୍ଚାଟ-

ସ୍ୱରେ ଘନ ଘନ,

ଭୟେ ତହୁଁ ଶାନ୍ତି

କରେ ପଳାୟନ ।

ମିଶାନ୍ତି ସେ ସ୍ୱରେ

କାଳକଣ୍ଠବାର ୧୨,

ଶୋକ-ଭୟବ୍ୟଞ୍ଜୀ

କରୁଣ ଚିତ୍କାର ।

ସେ ଶବଦେ ଦରି-

ଶାୟୀ ପ୍ରତିଧ୍ୱନି

ଜାଗି ଉଠି ଦିଏ

ଉତ୍ତର ସେକ୍ଷଣି ।

୧୨- ଡାହୁକସମୁହ ।

ଅଦୂରେ ‘‘ବ୍ରାହ୍ମଣ-

ଦେଈ’’ ଠାକୁରାଣୀ,

ତୁଙ୍ଗ ଶିଳା ତଳେ

ବସନ୍ତି ସର୍ବାଣୀ ।

ସ୍ଫୁରି ଦେବୀ ଦେହୁଁ

ଦିବ୍ୟ ପ୍ରଭାଚୟ,

କରିଅଛି ବନ-

ଭୂମେ ପ୍ରଭାମୟ ।

ପୂଜି ତାଙ୍କୁ କଲେ

ଅରଣ୍ୟେ ଭ୍ରମଣ

ନ ଥାଏ ଶ୍ୱାପଦ-

ଭୀତ କଦାଚନ ।

ଦ୍ରୁମ-ଅନ୍ଧାରିତ

ଉପତ୍ୟକା ଭେଦି,

ବହିଯାଏ ଝର

ଧୋଇ ଦେବୀ ବେଦି ୧୩

୧୩- ବ୍ରାହ୍ମଣଦେଈ ଝର ।

ବସିଥାଏ ଶାଖେ

ହଳଦୀବସନ୍ତ,

ବ୍ୟବହାର ତାର

ଉଦାର ଅତ୍ୟନ୍ତ ।

ମଧୁରେ ସ୍ୱାଗତ

ପୁଚ୍ଛି ବାରମ୍ବାର,

କରେ ଆଗନ୍ତୁକ

ଆତିଥ୍ୟ ସତ୍କାର ।

 

 

ଦ୍ୱିତୀୟ ସର୍ଗ

-ବଙ୍ଗଳାଶ୍ରୀ-

 

ଅତସୀ-ନୀଳିମା-            ନିନ୍ଦୀ ନୀଳଶୈଳ

ଦକ୍ଷିଣେ କଇଁଫୁଲିଆ ୧

ବଜ୍ର-ଦୃଢ଼ ଲୌହ-            ପ୍ରାଚୀର ପରାଏ

ହୋଇଅଛି ସଦା ଠିଆ ।

 

୧-ସ୍ୱନାମପ୍ରସିଦ୍ଧ ପର୍ବତ । ଏହି ପର୍ବତ ଶିଖରେ ‘‘କଇଁଫୁଲିଆ’’ ନାମରେ

ଗୋଟିଏ ସର ବିଦ୍ୟମାନ ।

 

ବିଶାଳ ନିବିଡ଼            ଅରଣ୍ୟ-ସଙ୍କୁଳ

ଭୀଷଣ ବିବିକ୍ତ ସ୍ଥଳ,

ସୁଖେ ତହିଁ ନିଦ୍ରା            ଭୁଞ୍ଜେ ପଶୁ-କ୍ଷତ୍ରି

ମହାବଳୀ ମହାବଳ ।

 

ଅଚଳର ନାସା            କର୍ଣ୍ଣ ରନ୍ଧ୍ର ସମ

ବିରାଜେ ବିସ୍ତର ଦଲୀ,

ଶିରା ଉପଶିରା            ପ୍ରାୟ ଝରସଂଖ୍ୟା

ନୋହିବ ସହଜେ କଳି ।

 

ସେ ଗିରିଶିଖରେ            କାନନ-ବେଷ୍ଟିତ

ବିରାଜିତ କ୍ଷୁଦ୍ର ସର,

କୌରବ କୁସୁମେ            ତାରକିତ ହୋଇ

ଗ୍ରୀଷ୍ମେ ଦିଶେ ଚାରୁତର ।

 

ଗୁଣୁ ଗୁଣୁ ସ୍ୱରେ            ଭ୍ରମଇ ଭ୍ରମର

ଇଡ଼ି ବୁଲେ ପ୍ରଜାପତି,

କରୁଛନ୍ତି କି ସେ            ସୁମନ-ସୁନ୍ଦରୀ

ମୁଖପାଶେ ପ୍ରେମାଳତି ।

 

ତୀର-ତରୁଶାଖେ            ବିବିଧ ବିହଙ୍ଗେ

ରତ ଥାନ୍ତି କୋଳାହଳେ,

ଥରେ ଥରେ ଝାମ୍ପି            ମାଛରଙ୍କା ମାଛ

ଘେନିଯାଏ ବୁଡ଼ି ଜଳେ ।

 

ସର-ମହୁରିଆ            ଚିଲ ଚକି ମାରି

ଉଡ଼ି ବୁଲେ ଘୂରି ଘୂରି,

ଦଣ୍ଡକେ ଘଡ଼ିକେ            କେବେ କେବେ ଥରେ

ବଜାଇ କଣ୍ଠ-ମହୁରୀ ।

 

ବାଚାଳ ନିର୍ବୋଧ            ସଭା ମଧ୍ୟେ ଥାଇ

ମିତଭାଷୀ ଜନ ଯଥା,

କେବେ କେବେ ଥରେ            ଥରେ କହିଦିଏ

ପଦେ ପଦେ ସାର କଥା ।

 

କୁଣ୍ଡ ଚଉପାଶେ            ଶ୍ୟାମାୟିତ ଦିଶେ

ବହୁବିଧ ତରୁଲତା,

ଉପକାରୀ ବୋଲି            ସରଃ ଶିରେ ଅବା

ଧରିଛନ୍ତି ପତ୍ର-ଛତା ।

 

କାହିଁ ପତ୍ରଶୂନ୍ୟା            ପୁଷ୍ପିତା ପଳାଶ-

ଲତା ଛନ୍ଦିଛି ତମାଳେ

ଜଡ଼ିଛି କି ଆହା            ରଙ୍ଗ ସୌଦାମିନୀ

ଘନ-ନୀଳ ଖତମାଳେ ।

 

କାହିଁ ଅବା ଉଭା            ପାରିଭଦ୍ର ଧରି

ସୁରଙ୍ଗ ଫୁଲସ୍ତବକେ,

ବାନ୍ଧିଦେଇଛି କି            ପାଟଶାଟୀ ମଧୁ

ଆଦରେ ତାହା ମସ୍ତକେ ।

 

 

କାହିଁ ବା ପଥିକ            ବାନ୍ଧବୀ ଶିଆଳୀ ୨

ମାଡ଼ିଛି ବୃକ୍ଷ ଗହଳେ,

ଖଲି ୩ ପାଇଁ ତହୁଁ            ସଂଗ୍ରହନ୍ତି ପତ୍ର

ବନ୍ୟ ବାମା ଦଳେ ଦଳେ ।

 

୨- ଲତାବିଶେଷ । ଏହାକୁ କାଟିଦେଲେ ନିର୍ମଳ ଜଳ ନିର୍ଗ ହୁଏ । ଅନ୍ୟ ଜଳ ଅଭାବରେ ପର୍ବତାରୋହୀ ଲୋକମାନେ ଏହି ଜଳ ପାନ କରି ତୃଷା ନିବାରର କରନ୍ତି । ୩- ଶଳାକା ସ୍ୟୁତ ଶିଆଳୀ ପତ୍ର ।

 

ମଧ୍ୟାହ୍ନେ ପର୍ବତ-            ନିବାସୀ ପଶୁଏ

ପିଅନ୍ତି ସଲିଳ ତହିଁ,

ଆବର ନିଭୃତ            ଗିରିଖୋଲବାସୀ

ଅଜଗରୋପମ ଅହି ।

 

ତୀକ୍ଷ୍ମଶଟ ଭୀମ-            ଦଶନ ବରାହେ

କରି ଘୋର ଘୋଣା ଘୋଷ,

ଜଳ ପିଇ ସାରି            ସରତୀର ଦନ୍ତେ

ବିଦାରନ୍ତି ବହି ରୋଷ ।

 

ଗଲେ ସେ ସକଳେ            ଆସନ୍ତି ତଦନ୍ତେ

ମୃଗ ଏକ ପରେ ଏକ,

ଥରେ ଥରେ ଚାହିଁ            ଦେଉଥାନ୍ତି ତ୍ରାସେ

ପଛ ଆଡ଼େ ଭାଙ୍ଗି ବେକ ।

 

ପୃଥିବୀରୁ ବହୁ            ଦୂରେ ଥାଇ ସୁଦ୍ଧା

ଲଭି ନାହି ଶାନ୍ତି ସର,

ପଶୁପକ୍ଷୀଙ୍କର            ତୀବ୍ର କୋଳାହଳେ

ସତତ ଥାଏ ମୁଖର ।

 

ସତ୍ୟ ସନାତନ            ଶାନ୍ତି-ନିକେତନ

ହରିପଦ ବିନା କାହିଁ,

ବିଶୁଦ୍ଧ ଶାନ୍ତିର            ସୁଧା ସ୍ନିଗ୍‌ଧଧାରା

ତିନି ଭୁବନରେ ନାହିଁ ।

 

ଅଚଳ ଚରଣ            ଭେଦି ନିଃସ୍ରବଇ

ଭାଲୁପାଣି ନାମେ ଝର,

ଭାଲୁଦଳେ ତହିଁ            ରାଜତ୍ୱ ବିସ୍ତାର

କରିଥାନ୍ତି ନିରନ୍ତର ।

 

 

ନୀରନ୍ଧ୍ର ବର୍ବୁର            କାନନ ମଧ୍ୟରୁ

ବହିଆସେ ନିର୍ଝରିଣୀ,

ସଲିଳ ତାହାର            କାଚଧାର ସ୍ୱଚ୍ଛ

ଶୀତଳ କରିବା ଜିଣି ।

 

କଇଁଫୁଲିଆର            କର ଧରି ଉଭା

ଟାଙ୍ଗଣୀବେଣ୍ଟା ପର୍ବତ ୧

ପ୍ରିୟ ବନ୍ଧୁ ବୋଲି            ପରସ୍ପରେ କି ସେ

କର-ବିମର୍ଦ୍ଦନେ ରତ ।

 

୧- ଏହି ପର୍ବତରେ ଅନେକ ଟାଙ୍ଗନୀ ଗଛ ଦୃଷ୍ଟ ହୁଏ ।

 

ସେ ଅଚଳଚୂଳେ            ଆରୋହି ଚାହିଁଲେ

ଦୂରୁ ଦିଶେ ଦାରୁବଟା,

ରହିଛି କି ଗିରି-            ପଦେ ବିସ୍ଫୋରିତ

ସୂଚିକ୍କଣ କଳାପଟା ।

 

ବଟା ହେଉଥିଲା            ପୂର୍ବେ ତହିଁ ଦାରୁ ୨

ସମର କାଳେ ପ୍ରଚ୍ଛନ୍ନେ,

ସାଧାରଣ ସଭା            ରୂପେ ସେ ଖଟୁଛି

ଏବେ ବନ୍ୟ ପଶୁଗଣେ ।

 

 

୨-ବାରୁଦ

 

ବିସ୍ମୃତିରେ ବହୁ            ଇତିହାସ ସେହୁ

ରଖିଛି କରି ଗୋପନ,

ତା ଦର୍ଶନେ ମନ            କାଳ ପ୍ରତିଲୋମେ

କରେ ଖରେ ସନ୍ତରଣ ।

 

ଦେଖିଲାଣି ସେହୁ            କାଳ-ସମୁଦ୍ରର

ଭଙ୍ଗୁର ବହୁ ତରଙ୍ଗ,

ତେତିକି ଦେଖୁଛି            କାଳ ତାର ଯେତେ

ଚର୍ବଣ କରୁଛି ଅଙ୍ଗ ।

 

ଗିରି ଉପତ୍ୟକା            ମଧ୍ୟେ ବିଭ୍ରାଜିତ

ବିଶାଳ କମଳାବନ,

ସୁନ୍ଦରୀ ପ୍ରକୃତି-            କମଳା ଦେବୀଙ୍କ

ଚିରପ୍ରିୟ ନିକେତନ ।

 

ଆଳବାଳ ମଧ୍ୟେ            ପଙ୍‌କ୍ତି କ୍ରମେ ଉଭା

ଶ୍ୟାମଳ ତରୁପଙ୍କତି,

ପବିତ୍ର ସୁରମ୍ୟ            ବେଦି ପରେ ଯଥା

ଉଭା ଉର୍ଦ୍ଧ୍ୱବାହୁ ଯତି ।

 

କେତେ ତରୁଶାଖେ            ମୁନିଆଁ କୁଲାୟ

ଶୋଭେ ବାତେ ଝୁଲି ଝୁଲି,

ଜପନ୍ତି ଯତିଏ            ଅବା ହରିନାମ

କରେ ଧରି ମାଳଝୁଲି ।

 

ସୁପକ୍ଧ କମଳା            ସରସ ମଧୁର,

ତୃପ୍ତିପ୍ରଦ ନିର୍ବିକାର,

ରାଜକବି ଚନ୍ଦ୍ର-            ଚୂଡ଼ାମଣି ହୃଦ

ଉପମା ଏକା ତାହାର ।

 

ନାରଙ୍ଗ, ସୁରଙ୍ଗ୧            କରୁଣା, ପନସ

ଆମ୍ୱ, ଲେମ୍ୱୁ, ଜାମୁ, ଟଭା,

ସୁରମ୍ୟ କମଳା-            କାନନ ଚୈପାଶେ

ବସିଛନ୍ତି କରି ସଭା ।

 

୧- ଲେମ୍ୱୁ ଜାତୀୟ ଘନ ଲୋହିତ ବର୍ଣ୍ଣର ଫଳ ।

 

କମଳା-କୁସୁମ-            ସୁସ୍ନିଗ୍‌ଧ-ସୁଗନ୍ଧ

ସହ ବାୟୁ ମନ୍ଦେ ମନ୍ଦେ,

 

ବହିଣ ନିଦାଘ            ମଧ୍ୟାହ୍ନେ ସେଠାରେ

ବୁଡ଼ାଏ ମନେ ଆନନ୍ଦେ ।

 

ସେ ସୌରଭେ ମିଶି            ଖଦିର ପ୍ରସୂନ

ମଧୁର ଆମୋଦ ଆସି,

ସୁବାସୋପଚାରେ            ଅଦୃଶ୍ୟ ଅଚିରେ

ପାନ୍ଥ-ଶ୍ରାନ୍ତି ଦିଏ ନାଶି ।

 

ଉପକଣ୍ଠ ବନେ            ଗହଳେ ଉଛୁଳେ

ବହୁ ବିହଙ୍ଗମ ସ୍ୱର,

ଏକତ୍ରେ ଧ୍ୱନିତ            ବହୁ ବାଦ୍ୟ ପ୍ରାୟ

ବିଦାରେ ଶ୍ରୁତି-ବିବର ।

 

ଘନ ଛାୟା ଚ୍ଛନ୍ନ            ସୁନ୍ଦର ଶୀତଳ

ମର୍ତ୍ତ୍ୟେ ବୈଭ୍ରାଜ ୨ ସଙ୍କାଶ,

ଅଥବା ଅମର୍ତ୍ତ୍ୟ            ନନ୍ଦନ ଅବା ସେ

ବସନ୍ତର ଗ୍ରୀଷ୍ମାବାସ ।

 

୨- କୁବେରଙ୍କ ଉଦ୍ୟାନ ।

 

 

ଦିଅନ୍ତି ପହରା            ବ୍ୟାଘ୍ରଭଲ୍ଲୁକାଦି

ରାତ୍ରେ ସେ ବନ ଅନ୍ତିକେ ୩,

 

ଯାମିନୀ-କାମିନୀ-            କିଙ୍କିଣୀ ନିକ୍ୱଣ

ପରାଏ ସ୍ୱନନ୍ତି ଝଙ୍କେ ।

 

୩- ନିକଟରେ ।

 

ଅସ୍ତ୍ରର ଅଚ୍ଛେଦ୍ୟ            ଅଭେଦ୍ୟ ନିସର୍ଗ-

କବଚୀ ବଜ୍ରକବଚ,

ଖୋଜି ଖୋଜି ଖାଏ            ବନବକ୍ଷୁଁ ଖୋଳି

ବଣଆଳୁ ଅଦା ବଚ ।

 

ଭୀଷଣ ସୁନ୍ଦର            ଦୃଶ୍ୟ ସେ ବନର

ଆଣେ ମନେ ଭୟ ଭକ୍ତି,

ଏକାକୀ ତହିଁରେ            ପଶିବାକୁ ନର-

ମଧ୍ୟେ ନାହିଁ କାର ଶକ୍ତି ।

 

ବନ ଉପକଣ୍ଠେ            କଇଁ ଫୁଲ ହାର

ପ୍ରାୟ ଶୋଭେ ବଡ଼ନାଳ,

 

ଭେଦି ନ ପାରଇ            ଦୃଷ୍ଟିରେଖା ଯାର

ତୀରସ୍ଥ ବନ ବିଶାଳ ।

 

ନାରିକେଳ ତରୁ            ଭ୍ରମ ଉପୁଜାଏ

ଦରିଦ୍ର ବନ୍ଧୁ ସଲପ ୪

ତନୁଦାନେ ଦୀନ-            ଉଦାର ପୁରାଏ

ଧନ୍ୟ ସେ ସାଧୁ ପାଦପ ।

 

୪- ସଲପ ଗଛ ସହ ନାରିକେଳ ଗଛର ବିଶେଷ ସୌସାଦୃଶ ଅଛି ।

 

ଶାଳିମ୍ୱ ୫ ତେନ୍ତୁଳୀ            ପ୍ରଭୃତି ପାଦପେ

ହୋଇଛି ନିବିଡ଼ତର,

ଥାଉ ଆନ ତାହା            ଭେଦି ନ ପାରଇ

ସହସ୍ର-ଦୀଧିଚି କର ।

 

୫-ଏକ ଜାତୀୟ ବାଉଁଶ ।

 

ଠାବେ ଠାବେ ବନେ            ମାଡ଼ିଅଛି ଘନେ

ମଖମଲ ଗୁଞ୍ଜଲତା,

ପର କାନ୍ଧେ ପ୍ରାଣ            ଦେହ ଭାର ଥୋଇ

ଲମ୍ୱିଛି କାହିଁ ନେପତା ୬ ।

୬- ନିର୍ମୂଳୀ ଲତା ।

 

ଗରଜେ ଯେ କାଳେ            ରହି ଅନ୍ତରାଳେ

ବନ ମଧ୍ୟେ ମହାବଳ,

କମ୍ପି ଉଠେ ସେହି            ଭୀଷଣ ଶବଦେ

ପାନ୍ଥ-ହୃଦ, ବନସ୍ଥଳ ।

 

ଗିରି-କନ୍ଦରାରୁ            ଶତ ପ୍ରତିଧ୍ୱନି

ଉଠି ତାର ହୁଏ ପ୍ରତେ,

ମହାଭୟେ କିବା            ଡ଼କା ଛାଡ଼ୁଛନ୍ତି

ପର୍ବତକୁ ପରବତେ ।

 

ବନ-ଗିରିବାସୀ            ପଶୁଏ ଆତଙ୍କେ

ଲୁଚନ୍ତି କେ କାହିଁ ଯାଇ,

ଘୋର କୋଳାହଳ            ରଚନ୍ତି ପକ୍ଷୀଏ

ଉଡ଼ି ଉଡ଼ି ନଭେ ଥାଇ ।

 

ବଡ଼ନାଳ ବେନି-            କୂଳେ ଶସ୍ୟକ୍ଷେତ୍ର

ଶସ୍ୟେ ଫଳେ ପୂର୍ଣ୍ଣ ସଦା,

ନାଳ ପ୍ରାସଦରୁ            କୃଷୀବଳ ଭାଗ୍ୟେ

ସେ ଭୂମି ଚିରବରଦା ।

 

କୋଳଥ, କାନ୍ଦୁଲ,୧            ବାର୍ତ୍ତାବୁ, ଚଲଣା

କାକୁଡ଼ି, କଲରା, ଲାଉ,

 

ଯଥାତଥା କାଳେ            ଏ ସକଳ ତହିଁ

ହେଉଥାଏ ହାଉଯାଉ ୨ ।

 

୧-ହରଡ଼ । - ‘‘ଦେଶଜ’’ ବହୁତ ପରିମାଣ ।

 

କାକୁଡ଼ି-କୃଷକ            ବାଚାଳ ପରାୟେ

ହେଉଥାଏ ‘ହୋଇ ହୋଇ’

ଦିବସେ ବାନର            ରାତ୍ରେ ଶିବା, ଶଶା

ନ ଦିଅନ୍ତି କ୍ଷଣେ ଶୋଇ ।

 

ବିବିଧ ବ୍ରତତୀ-            କୁଞ୍ଜେ ବିଚ୍ଛୁରିତ

ବିବିଧ ପୁଷ୍ପେ ମଞ୍ଜୁଳ,

ଭାରତୀ-କମଳା-            ବିନୋଦ ବିହାର

ସ୍ଥଳ ତେଣୁ ନାଳକୂଳ ।

 

ବାମେତର ଭାଗେ            ଉଭାଶିର ତୋଳି

ବିଶାଳ ‘ଚାଉଳଭଜା’

ସୁନ୍ଦର ସୁନୀଳ            ନିର୍ଝର-ଶିରାଳ

ଶିଖରିସମାଜେ ରଜା ।

 

ପଞ୍ଚଶିଖ ତାର            ପଞ୍ଚ କୃଷ୍ଣ ତମ୍ୱୁ

ପରାୟେ ଦିଶେ ରୁଚିର,

ଯୋଗ ସାଧନାର୍ଥେ            ଯୋଗୀ ମହୀଧର

ରଚିଛି ପରା କୁଟୀର ।

 

‘ନାକେଇକୁ’ ଚାହିଁ            ରହିଛି ସେ ପୁଣି

ଚାହିଁଛି ପ୍ରତିଚାହାଣୀ,

କିପାଁ ପରସ୍ପରେ            ଏତେ ଆଶାଦୃଷ୍ଟି

କିଏ ତା ପାରିବ ଜାଣି ।

 

ସିନ୍ଧୁଆ, ଗଧିଆ            ଶାର୍ଦ୍ଦୁଳକୁଳର

ଦୁର୍ଭେଦ୍ୟ-ଦୁର୍ଗ ସେ ଗିରି,

ସୁରଙ୍ଗି ଦୁର୍ଗର            ପୃଷ୍ଠରକ୍ଷୀ ଚିର

ନିସାର୍ଗ ଉଚ୍ଚ ପାଚେରି ।

 

ଗିରିନାସାକୃତି            ନାସିରେ ମହୁଲ

ବେଷ୍ଟିତ ‘ମହୁଲଥଳୀ’,

 

ବିଶାଳ ପ୍ରଶସ୍ତ            ଆଗାର ସଦୃଶ

ଅଛି ତାହା ଗର୍ଭେ ଦରୀ ।

 

ଏକାଧାରେ ତହିଁ            ବାସସ୍ଥାନ, ଖାଦ୍ୟ

ଜଳ ଲଭି ଭଲ୍ଲବର୍ଗ,

ନ ଇଚ୍ଛନ୍ତି କେବେ            ଅନ୍ୟତ୍ର ଗମନେ

ଛାଡ଼ି ସେ ସ୍ଥାନ ସଂସର୍ଗ ।

 

‘ଚାଉଳଭଜାର’            ପାଦ ଶୋଭେ ବାଳ-

ଖଦିର ବିଶାଳ ବଣ,

ପଶୁମାନବର            ଅଗମ୍ୟ ସେ ସ୍ଥାନ

ତୀକ୍ଷ୍ମ କଣ୍ଟକପ୍ରବଣ ।

 

ଅର୍ଦ୍ଧଶୁକ୍ଳ, ଅର୍ଦ୍ଧ-            ପୀତ ପୁଷ୍ପଶିଖା

ପ୍ରକାଶେ ଶୋଭା ବୃକ୍ଷରେ,

ଅର୍ଦ୍ଧ ପ୍ରଜ୍ଜ୍ୱଳିତ            ଆଳତିବତୀ ସେ

କେ ଜାଣେ କିପାଇଁ ଧରେ ।

 

ମାତି ତରୁଶାଖେ            ଚଉପାଶେ ଡ଼ଙ୍କ

ମେଲିଛି ଲତା ପଳାଶ,

ବଲ୍ଲୀ-ବାଳାକର            ବଢ଼ାଇ କରେ କି

କୁସୁମ ଚୟନେ ଆଶ ।

 

ସୌମ୍ୟ ତାଳଗୁଡ଼            ମାଲ୍ୟବନ୍ତ ମଧ୍ୟେ୧

ଗିରିବର୍ତ୍ତ୍ମ ସାନ ଘାଟି,

ଦୁଇ ପାଶେ ଉଭା            ତୁଙ୍ଗ ସାନୁମାନ

 

ଦେଲା ପ୍ରାୟ ଉର୍ଦ୍ଧ୍ୱୁ କାଟି ।

 

୧- ଚାଉଳଲତା ପର୍ବତର ଅନ୍ୟ ନାମ ‘‘ମାଲ୍ୟବନ୍ତ ।’’

 

ନାମେ ସିନା ସାନ,            ମାତ୍ର ମହିମାରେ

ଅଟେ ଘାଟି ମହୀୟାନ,

ସାନ ସର୍ପ ସିନା            ଗୋକ୍ଷୁର ମାତ୍ର ତା

ଗରଳ ନୁହେଁ ସାମାନ୍ୟ ।

 

କର୍କରା କର୍କଶ,            ଶ୍ୱାପଦ-ଆବାସ

ଆଚ୍ଛାଦି ଅଙ୍ଗେ କଣ୍ଟକ,

ପୂର୍ଣ୍ଣ ହୋଇ ବହୁ            ସଙ୍କଟେ, ସଙ୍କଟ

ନାମେ କରିଛି ସାର୍ଥକ ।

 

ଚଢ଼ିବା କଠିନ            ମାତ୍ର ଓହ୍ଲାଇବା

ସହଜ ସେ ଘାଟି ପଥେ,

ଏଣୁ ତାହା ପୁଣ୍ୟ-            ପାପ ପଥ ପ୍ରାୟ

ହୁଅଇ ମାନସେ ପ୍ରତେ ।

 

‘ଚାଉଳଭଜାର’            ପାଦତଳେ ସ୍ଥିତ

‘ଦେଉଢ଼ିମିରା’ ଶିଖରୀ,

ଦୁରୁ ଦିଶେ ତାହା            ଜରତୀ କରିଣୀ

ସମୀପେ କରଭ ପରି ।

 

ଯେ ପର୍ବତ-ଶିରେ            ସମାଧି-ନିରତ

ଥିଲେ ଦେବ କ୍ଷତ୍ରିବର,

ସୁରଙ୍ଗୀ ନୃପତି-            କୁଳ-କ୍ଷୀରସିନ୍ଧୁ-

ସମୁଦ୍ଭବ କଳାକର ।

 

ସ୍ତର ପରେ ସ୍ତର            ତା ଉପରେ ସ୍ତର

ସ୍ତରମୟ ସାନୁମାନ,

ପ୍ରତେ ହୁଏ ଯଥା            ସ୍ୱର୍ଗକୁ ଲାଗିଛି

ମର୍ତ୍ତ୍ୟରୁ ରମ୍ୟ ସୋପାନ ।

 

ପଦପ୍ରାନ୍ତେ ତାର            ଶୋଭା-ଗନ୍ତାଘର

ବିଦିତ ଅଶୋକବନ

ସ୍ୱର୍ଣ୍ଣ ଲଙ୍କାପୁରେ            ସୁବଳୟ ତଳେ

ଅଶୋକବନ ଯେସନ ।

 

ହରେ ବନଭୂମି            ମନୁ ଶୋକତାପ

ବିସ୍ତାରି ଶୋଭା-ଶାମ୍ୱରୀ ୨,

ଶୋଭା ସ୍ୱରୁପିଣୀ-            ଅମରାବତୀର

ତିଳୋତ୍ତମା ଅପସରୀ ।

 

୨- ଇନ୍ଦ୍ରଜାଲ ବିଦ୍ୟା ।

 

ଦର୍ଶନ ମାତ୍ର ସେ            ବୁଡ଼ାଏ ମାନସେ

ଆତ୍ମବିସ୍ମୃତିର କୂପେ,

ଥାଉ ଆନ, ମୋହି            ପାରେ ଦେବ ମନ

ମୁନି-ବିମୋହନ-ରୂପେ ।

 

 

ପ୍ରତୀଚୀ ଦିଗରେ            ବହେ ବଗୀ ନାମେ

ତଟନୀ ଅଚିର-ନୀରା,

ଯା ଯୋଗୁ ସୁରଙ୍ଗୀ            ମୃତ୍ତିକା ସତତ

ପ୍ରସବେ ହୀରଣ୍ୟ ହୀରା ।

 

ମାଡ଼ିଲା ପରାୟେ            ତଳେ ଶୁକ୍ଳ ଲତା

ଶାଖାପ୍ରଶାଖା ବିସ୍ତାରି,

ବହେ ତରଙ୍ଗିଣୀ            କନ୍ୟା ପୌତ୍ରୀ ଘେନି

ବିତରି ବିଶଦ ବାରି ।

 

ନିଦାଘ ସମୟେ            ନଗ୍ନଦେହା ହୋଇ

ଦିଶଇ ସିକତାମୟ,

ମାତ୍ର ପ୍ରବୃଟର            ବହିଯାଏ ତାର

ଗର୍ଭୁ ଅସମ୍ଭାଳ ପୟ ।

 

କାନନ, ପ୍ରାନ୍ତର            ଶସ୍ୟକ୍ଷେତ୍ର ଭେଦି

ଚାଲେ ତଟିନୀ ପ୍ରଖରା,

ନଦୀ ରୂପେ ଅବା            ଆପଣେ କମଳା

ପାଳନ୍ତି ସୁରଙ୍ଗୀ ଧରା ।

 

କାହିଁ କହେ ଖରେ            କାହିଁ ଅବା ଧୀରେ

କାହିଁବା ପ୍ରକାଶି ଗେଲ,

ବନଭୂମି ସହ            କୁଟିଳ ଗତିରେ

ଖେଳେ ଲୁଚକାଳି ଖେଳ ।

 

ଧାନ୍ୟ, ମୁଗ, ବ୍ରୀହି,            କୋଳଥ, କାନ୍ଦୁଲ

ବାଇଲ, ଜନା, ମାଣ୍ଡିଆ,

ଗଙ୍ଗା ୧ ସୁଆଁ, ଜଡ଼ା,            ଆଖୁ, କାଉଁରିମ

କୋଦୁଅ, କାଙ୍ଗୁ, ଘାଣ୍ଟିଆ

 

୧- ଏହା ଗୋଟିଏ ଲଘୁପାକ ଅଥଚ ପୁଷ୍ଟିକର ଶସ୍ୟ । ମାଳ ଅଞ୍ଚଳରେ ସାଗୁ ପରିବର୍ତ୍ତେ ଏହାକୁ ରୋଗୀର ପଥ୍ୟରୂପେ ବ୍ୟବହାର କରନ୍ତି ।

 

ଏ ସକଳ ଶସ୍ୟେ            ପରିପୂର୍ଣ୍ଣ ତାର

ତୀରସ୍ଥ ଶସ୍ୟ କେଦାର,

କେଦାର ନୁହେଁ ସେ            ଐଳବିଳଙ୍କର୨

ଆକଳିତ ଗନ୍ତାଘର ।

୨- କୁବେର

 

ପିନ୍ଧାଇଛି ନଦୀ            ସୁରଙ୍ଗୀ ନଗରୀ

ପୟରେ ରୂପା ପଞ୍ଚମ ୩,

ବହୁ କାଳୁଁ ତାର            ବୟସ କଲାଣି

ସଂଖ୍ୟାସୀମା ଅତିକ୍ରମ ।

 

୩- ବକ୍ରାକୃତି ପାଦଭୂଷଣ ।

 

ତାହାରି ସଲିଳ-            ବୁଦ୍‌ବୁଦ ପରାୟେ

ମିଶିଲା ବହୁ ଘଟଣା-

କାଳ-ପାରାବାରେ,            ଦେଖିଛି ସେ ତାହା

ସଂଖ୍ୟା ତାର ତାକୁ ଜଣା ।

 

ସଂସାରର ଶୀତ-            ଉଷ୍ଣ ସମଭାବେ

ସହିବାର ସଦୁପାୟ,

ଶିଖାଇ ପାରେ ସେ            ଆକାର ଇଙ୍ଗିତେ

ଚତ୍ତୁଦର୍ଶୀ ଗୁରୁ ପ୍ରାୟ ।

 

ଧରେ ‘ନିଧୁବନ’            ବକ୍ଷରେ ବହୁଳ

କଣ୍ଟା ଲତା ଗୁଳ୍ମ ବୃକ୍ଷ,

ପୂର୍ବେ ଥିଲା ତାହା            ଶୋଭା-ପ୍ରସ୍ରବଣ

ଏବେ ବୟୋଧର୍ମେ ରୁକ୍ଷ ।

 

ଘନ ସନ୍ନିବିଷ୍ଟ            କୀଚକ ଅରଣ୍ୟେ

ଆବୃତ ବନ ‘ଖାଣ୍ଡବ’ ୪

ନିଦାଘେ ତହିଁରେ            ପ୍ରକାଶେ ଅନଳ

ଭୀଷଣ ନୃତ୍ୟ ତାଣ୍ଡବ ।

 

୪- ସ୍ୱନାମପ୍ରସିଦ୍ଧ କାନନ ।

ଏହା ଚାଉଳଭଜ ପର୍ବତର ପାଦଦେଶରେ ଅବସ୍ଥିତ ।

 

କରନ୍ତି ସେକାଳେ            ବନ୍ୟ ଜୀବକୁଳେ

କରୁଣ ରସ ଆବୃତ୍ତି,

କେହି ବିକଳାଙ୍ଗ            କେହି ହୁଏ ଖଞ୍ଜ

କେହି ବା ହୁଏ ଆହୁତି ।

 

ଜଗନ୍ନାଥ ବଟ ୫            ବିରାଜେ ପ୍ରରୋହ-

ଜଟିଳ ମସ୍ତକ ଟେକି,

ମନେ ହୁଏ ଦେଖି            ବାନପ୍ରସ୍ଥାଶ୍ରମୀ

ସ୍ଥବିର ସନ୍ୟାସୀ ସେ କି ?

 

୫- ଏହା ଗୋଟିଏ ପ୍ରାଚୀନ ବଟବୃକ୍ଷ । ପୁରାକାଳରେ ଯୁଦ୍ଧ ସମୟରେ ଏଠାରେ ଜଗନ୍ନାଥଙ୍କୁ ଲୁଚାଇ ରଖୁଥିଲେ ।

 

ଷୋଳଭାଗ ପେଣ୍ଠେ ୬            କ୍ଷୁଦ୍ର ଶୈଳଚୂଳେ

ପ୍ରଭୁ ଭୁବନ-ଈଶ୍ୱର,

ଛବିଳ ଦେଉଳେ            ନିବସନ୍ତି ଯଥା

କୈଳାସେ ଚନ୍ଦ୍ର ଶେଖର ।

 

୬- ପେଣ୍ଠ ‘‘ଦେଶଜ’’-କ୍ରୟବିକ୍ରୟର କେନ୍ଦ୍ର ସ୍ଥାନ । ଷୋଳଭାଗପେଣ୍ଠର ଉପକଣ୍ଠରେ ଭୁବନେଶ୍ୱର ମନ୍ଦିର ଅବସ୍ଥିତ ।

 

ମନ୍ଦିର ଭିତ୍ତିର            ଆପାଦମସ୍ତକ

ଚାରୁ-କାରୁ ଚିତ୍ରମୟ,

ଶିଖିବାକୁ ଇଚ୍ଛା            କରିବ ଦେଖି ତା

ଦାନବ-ବିନ୍ଧାଣୀ ମୟ ।

 

କାହିଁ ବିଖୋଦିତ            ଦୁର୍ଗାରୂପ, କାହିଁ

ଗଣେଶ, କାର୍ତ୍ତିକରୂପ,

ଗଠନ-କୌଶଳେ            ଦିଶେ ମୂର୍ତ୍ତିଗୁଡ଼ି

ଜୀବିତ ଜୀବ ସ୍ୱରୂପ ।

 

ଧ୍ରୁବ ମଣ୍ଡଳକୁ            ଘେରିଲା ପରାୟେ

ସପ୍ତର୍ଷିବୃନ୍ଦ ଆକାଶେ,

ବିଶୋଭିତ ବହୁ            ଧ୍ୟାନଶୀଳ ମୁନି-

ମୂର୍ତ୍ତି ମନ୍ଦିର ଚୌପାଶେ ।

 

ଘୃଣିତ ଉତ୍କଟ            ଅଶ୍ଳିଳତାବ୍ୟଞ୍ଜୀ

ଛବି ସ୍ଥିତ ରାଶି ରାଶି,

ମିଶିଅଛି ଅହୋ            ମହାପ୍ରସାଦରେ

କାହୁଁ ଏ ଆମିଷ ଆସି ?

 

ପବିତ୍ର ସ୍ୱର୍ଗେ ଏ            ନାରକୀୟ ଦୃଶ୍ୟ

ଅସହ୍ୟ ନିଶ୍ଚେ ଚକ୍ଷୁର,

ହିଙ୍ଗୁ ସହବାସେ            ବିକୃତ ଏଠାରେ

ହୋଇଛି ସିନା କର୍ପୂର ।

 

ମନ୍ଦିର ଚୌପାଶେ            ବହୁକୋଣାକୃତି

ବେଢ଼ା ରହିଛି ଆବରି,

ପ୍ରହରୀ ସକାଶ            ଜଗି ବସିଛନ୍ତି

ବୃଷବୃନ୍ଦ ତଦୁପରି ।

 

ଅଗ୍ରେ ବିଲମ୍ୱିତ            ରହିଛି ପିଚ୍ଛିଳ

ପ୍ରସ୍ତର ଦୀର୍ଘାୟତନ,

ନୀଳକଣ୍ଠଙ୍କର            ପହଡ଼ ପାଇଁ ବା

ବିସ୍ତୃତ ନୀଳାସ୍ତରଣ ।

 

ଆହର୍ନିଶ ତାକୁ            ମଣ୍ଡନ୍ତି ଧବଳ

ତରାଟ କୁସୁମରାଜି,

ସେ ଶୋଭା ଶାରଦ-            ତାରକିତ-ନଭ

ସୁଷମା ଦିଏ ପରାଜି ।

 

ଚାହିଁଲେ ସେଠାରୁ            ମୟୁର-ମେଦୁର

ଦିଶଇ ମୟୁରନଚା ୧,

ପ୍ରାବୃଟେ ବାରିଦ-            କୁଳ ବିଶ୍ରାମର

ନୀଳମଣିମୟ ମଞ୍ଚା ।

 

୧- ପର୍ବତ ବିଶେଷ । ଏହି ପର୍ବତରେ ଅନେକ ମୟୂର ଦୃଷ୍ଟ ହୁଅନ୍ତି ।

 

ଦୂରସ୍ଥ ବନ୍ଧୁକୁ            ନିକଟେ ନିରେଖି

ନାଚନ୍ତି ସେକାଳେ କେକୀ,

ଇନ୍ଦ୍ରଧନୁବର୍ଣ୍ଣେ            ଶତବାର ଧୌତ

ରତ୍ନଖତୀ ପୁଚ୍ଛ ଟେକି ।

 

ସେକାଳ ମାଧୁରୀ            ଦେଖି ଜାତ ହୁଏ

ଉତ୍‌ପ୍ରେକ୍ଷା ମନେ ଏରୂପ,

ବହୁନେତ୍ର ଫେଡ଼ି            ନିରେଖେ କି ଗିର

ପ୍ରକୃତି ବିରାଟ ରୂପ ।

 

ପଛୁଁ ମୁଣ୍ଡ ଟେକି            ବକ୍ରେ ଉଭା ହୋଇ

‘ସୁନାଇଙ୍ଗିତ’ ପର୍ବତ,

ବାତ-ବିଦୁଳିତ-            ତରୁ-କର ଯୋଡ଼ି

କରେ ହରେ ୨ଦଣ୍ଡବତ ।

୨- ମହାଦେବଙ୍କୁ ।

 

ମଧୁର ଦର୍ଶନ            ରମ୍ୟ ‘ମଧୁବନ’

ରହି ଶସ୍ୟକ୍ଷେତ୍ର ମଧ୍ୟେ,

ନୀରବରେ ମହା            ବିସୃତି-ପୁରଣ

ଗାଉଅଛି ଅଧ୍ୟେ ଅଧ୍ୟେ ।

 

ବୃକ୍ଷଚ୍ଛାୟାତଳେ            ଶତାବରୀ ଲତା

ଲୁଟିଛି ଭୂମେ ଗହଳେ,

ପଡ଼ିଛି କି ସତୀ            ଜଟିଳା ତାପସୀ

ଯତି-ପତି-ପଦତଳେ ।

 

ଯେତେବେଳେ ସୁଦ୍ଧା            ଖୋଜିଲେ ସେ ବନୁଁ

ମିଳେ ବହୁବିଧ କୋଳି,

ସୁପକ୍ୱ ରସାଳ            ସୁମଧୁର ଯଥା

ହୋଇଛି ଅମୃତେ ବୋଳି ।

 

ରାବୁଥାନ୍ତି ତରୁ            ଶିରେ ମୁହୁର୍ମୁହୁ

ଅସଂଖ୍ୟ କୋଚିଳାଖାଇ,

ପୃଥୁଳନ୍ତି ସେହି            ମହାକୋଳାହଳେ

ଉଚ୍ଚେ ରାବି କତାଖାଇ ୩ ।

 

୩- ପକ୍ଷି ବିଶେଷ ।

 

ରାତ୍ରେ କେବେ କେବେ            ବରାହେ ସେ ଭୂମେ

କରିଣ ଦନ୍ତେ କର୍ଷଣ,

ମୁସ୍ତା ଖାଇ ପ୍ରତି-            ଉପକାରେ ତାର

କରନ୍ତି ବଳବର୍ଦ୍ଧନ ।

 

ତଦନ୍ତେ କୁମୁଦ-            କମଳ-ଶୋଭିତ

ରମଣୀୟ ଜଳାଧାର,

ସାଗର ସଦୃଶ            ବିସ୍ତୃତ ହେବାରୁ

ସାଗର ନାମ ତାହାର ।

 

ବହୁ ପର୍ବତରୁ            ବହି ଆସି ଜଳ

ସାଗରେ ହୁଏ ସଞ୍ଚିତ,

ଅବଗ୍ରହେ ତାହା-            ଯୋଗୁଁ କୃଷୀବଳେ

ରଖନ୍ତି ଶସ୍ୟ ଜୀବିତ ।

 

ନିରତେ ସେ ଜଳୀ            ନାନା ଜଳଚର

ବିହଙ୍ଗ ରବେ ମୁଖର,

ଜଳୀ ନୁହେ ତାହା            ବିପଦ-ବାନ୍ଧବ

ସୁରଙ୍ଗୀ ପରଜାଙ୍କର ।

 

ମୂଷାମାଟି ପରି            କ୍ଷୁଦ୍ର କର୍କରାରେ

ଦେହ ମଣ୍ଡି ମୂଷାକଟା ୧,

ହାଇଅଛି ଉଭା            ସାଗର ପ୍ରତୀରେ

ଶିରେ ଧରି ଗୁଳ୍ମଜଟା ।

 

୧- ପର୍ବତ ବିଶେଷ ।

 

ପଦପ୍ରାନ୍ତୁ ତାର            ଝର୍ଝର ଆରବେ

ବହୁଛି ‘ନିର୍ମଳଝର’,

ଜଳ ପିଇ ତହିଁ            କ୍ରୀଡ଼ନ୍ତୀ ବିଜନେ

ଅରଣ୍ୟ ପଶୁନିକର ।

 

ନିର୍ମଳଝରର            ଜଳ ସୁନିର୍ମଳ

ନିର୍ମଳ ଦୃଶ୍ୟ ପାବନ,

ତଦ୍ଦର୍ଶନେ ସୁଦ୍ଧା            ହୁଏ ସୁନିର୍ମଳ

ମର୍ତ୍ତ୍ୟ-କଳୁଷିତ ମନ ।

 

ଧରେ ‘ମଣ୍ଡାତରୁ’            ପଦ୍ମରାଗ ମଣି-

ସ୍ତବକ ସଦୃଶ ଫଳ,

ଆରକ୍ତ ପ୍ରଭାରେ            ଦିଶୁଥାଏ ତାର

ବନଭୂମି ସମୁଜ୍ଜ୍ୱଳ ।

 

ବିଷଦିଗ୍‌ଧ ଫଳ-            ଭାରେ ଭାରାକ୍ରାନ୍ତ

ହୋଇ ଉଭା ଭଲ୍ଲାତକ,

ନବବଧୂ ପ୍ରାୟ            କମଳା ସୁନ୍ଦରୀ

ବସିଛି ପୋତି ମସ୍ତକ ।

 

ନିଶୀଥ ପରାୟେ            ସତତ ନିସ୍ତବ୍‌ଧ

ସେ ମହାନିର୍ଜନ ସ୍ଥାନ,

କାଠଖୁମ୍ପି ପକ୍ଷୀ            କାଠହଣା ଶବ୍ଦେ

କ୍ୱଚିତ ଶବ୍ଦାୟମାନ ।

 

ମଣି ସେ ଶବଦେ            କାଠୁରିଆଙ୍କର

ଭୀମ କୁଠାର ଶବଦ,

ଜଳ ପିଉଁ ପିଉଁ            ବନ୍ୟଜନ୍ତୁକୁଳ

ପଳାନ୍ତି ଗଣି ଆପଦ ।

 

ଝର ପାଶେ ବିଜେ            ମୃଣ୍ମୟ ମନ୍ଦିରେ

ଶବର-ଅର୍ଚ୍ଚିତା ଦେବୀ, ୨

ଶ୍ୱାପଦ ଆପଦୁଁ            ଲଭନ୍ତି ନିସ୍ତାର

ଶବରେ ତାହାଙ୍କୁ ସେବି ।

 

୨- ପ୍ରଚଳିତ ନାମ ବ୍ରାହ୍ମଣଦେଈ ।

 

ନାକେଇ ଅଚଳ            ଦିଶଇ ଓଲଟ

ନୀଳ ମେହେରାବି ତୁଲ୍ୟ,

ଟେକି ଉର୍ଦ୍ଧ୍ୱଦେଶେ            ଚଟୁଳ ଚିକ୍‌କଣ

ବହୁ ଠାବେ ବହୁ ଚୂଳ ।

 

ସର୍ବୋଚ୍ଚ ଶିଖର            ନାସିକାକୃତିରେ

ହୋଇଛି ନିମ୍ନେ ଲମ୍ୱିତ,

ତେଣୁ ହୋଇଅଛି            ନାକେଇ ନାମରେ

ଗିରି ନାମ ଅଭିହିତ ।

 

ସେ ବିଶାଳ ଶୃଙ୍ଗ-            ତଳେ ବିସ୍ତାରିତ

ପ୍ରସ୍ତର ଶର୍ଯ୍ୟା ବିଶାଳ, ୩

ସମହିଷ ପଲ            ନିବସେ ତହିଁରେ

ବର୍ଷାକାଳେ ମହିଷା ।

 

୩- ଏହି ବିଶାଳବସୁ ଶିଳାଶଯ୍ୟାର ନାମ ‘‘ମହଷୀ ଖତ ।’’

 

ବିଭୀତକ ମୁହୁଁ            ବହେ ସଦା ତହିଁ

ବିଶୁଦ୍ଧ ଶୀତଳ ପୟ,

ପାନ କରି ତାହା            ଗିରିଚାରୀ ଜୀବେ

ଖଣ୍ଡନ୍ତି ତୃଷା ଆମୟ ।

 

ଆଷାଢ଼େ ନାକେଇ            ମାଳତୀ ସୁମନେ

ସର୍ବାଙ୍ଗେ ହୋଇ ମଣ୍ଡିତ,

ରସା ଯୋଷା ଶିରେ            ଫୁଲଭୁଷା ଖୋଷା

ପରାୟେ ଦିଶେ ଶୋଭିତ ।

 

ଭଲ୍ଲୁକକୁଳର            ନିତ୍ୟ ରଙ୍ଗଭୂମି

ସେ ଗିରିର ଅଧିତ୍ୟକା,

ରଚନ୍ତି ସେମାନେ            ମଲ୍ଲଯୁଦ୍ଧ ତହିଁ

ବସର୍ଜି ହୃଦୟୁଁ ଦକା ।

 

ସେ ଶୈଳନିବାସୀ            ଦନ୍ତୁର ବରାହେ

ଅଯାଚ୍ୟ ବନ୍ଧୁ ଚଷାର,

ଶସ୍ୟ-ଶତ୍ରୁ ମୁଥା            ଖାଇ କ୍ଷେତ ଚଷି

କରେ ପର ଉପକାର ।

 

‘ବଗୀ’ ସିତନୀର            ଅଭିଷିକ୍ତ ହର

ଶ୍ରୀ ବିଶ୍ୱନାଥ ଆଖ୍ୟାତ,

ରଟେ କିମ୍ୱଦନ୍ତୀ            ବିଶ୍ୱନାଥ ନୃପ *

ସମାଧିରୁ ସେ ସଂଜାତ ।

 

*ଏଥିର ଏତିହାସ ବୃତ୍ତାନ୍ତ କ୍ଷୟ ସର୍ଗରେ ଅନୁସନ୍ଧେୟ ।

 

ଉତ୍ତୁଙ୍ଗ ମନ୍ଦିରେ            ନିବସନ୍ତି ଦେବ

ଭୃତ୍ୟ ପରିବାର ଘେନି,

ଏକପାର୍ଶ୍ୱେ ସ୍ଥିତ            ଦୁର୍ଗା, ବେନି ପାଶେ

କାର୍ତ୍ତିକ ଗଣେଶ ବେନି ।

 

କାଦମ୍ୱିନୀ-ବନ୍ଧୁ            କଦମ୍ୱ ସୁସ୍ନିଗ୍‌ଧ-

ସୌରଭ ଆଛୁଆବର,

ନନ୍ଦୀ ଭୃଙ୍ଗୀ ପରି            ମନ୍ଦିରର ଦ୍ୱାର

ଜଗିଛନ୍ତି ନିରନ୍ତର ।

 

ଦେଉଳ ଚୌପାଶେ            ଅର୍ଦ୍ଧନିରମିତ

ବେଢ଼ାର କଳାଚାତୁରୀ,

ନୀରବେ ବଜାଏ            ପ୍ରାଚୀନ ଉତ୍କଳ

ଶିଳ୍ପ-ଗୌରବ-ମହୁରୀ ।

 

କାହିଁ ବିଖୋଦିତ            ଦଶ ଅବତାର

କାହିଁ ଛନ୍ତି ମୁନି ବସି,

କାହିଁ ବା ଶ୍ରୀକୃଷ୍ଣ            ବଜାଉଅଛନ୍ତି

କଦମ୍ୱ ମୂଳରେ ବଂଶୀ ।

 

ଲାଗିଅଛି କାହିଁ            ରାମାୟଣ ଯୁଦ୍ଧ

କାହିଁ ଭାରତ ସମର,

କାହିଁ ଦ୍ୱୟ ହସ୍ତୀ            ଗୁଳ୍ମ ତରୁଲତା

ଖୋଦିତ ଅଛି ବିସ୍ତର ।

 

ଦେଖାଇଅଛନ୍ତି            ପ୍ରାଚୀନ ଶିଳ୍ପୀଏ

ତହିଁ ଶିଳ୍ପ ଶେଷସୀମା,

ଏକାଳେ ଦୁର୍ଲ୍ଲଭ            ହୋଇଅଛି ଆହା

ସେକାଳ ଖ୍ୟାତି ଗରିମା ।

 

ହେରି ସେ ମାଧୁରୀ            ହୁଏ ସ୍ୱତଃ ଯଥା

ହୃଦୟେ ଆନନ୍ଦ ଜାତ

ତଥା ଆଧୁନିକ            ଶିଳ୍ପଦଶା ଚିନ୍ତି

ହୁଏ ନେତ୍ରୁଁ, ଅଶ୍ରୁପାତ !

 

ତୃତୀୟ ସର୍ଗ

-ମଙ୍ଗଳ ଗୁର୍ଜରୀ-

 

ଶୁଭ, ନାରୀ ବଗୀତାରେ ଉଭା ଜାମତୋଟା ୧

ଧରି ଅଙ୍କେ ଶଙ୍କା ପ୍ରଦ ଶଙ୍କୁ ୨ ଗୋଟା ଗୋଟା ।

ଶଶ୍ମାନ-କାଳଙ୍କ ଚିରକେଳିସ୍ଥଳ ଜାଣି,

ମଣ୍ଡିଛନ୍ତି ରୁଦ୍ରବେଶେ ତାହା ସୃଷ୍ଟି-ରାଣୀ ।

 

୧- ରାଜଶ୍ମଶାନ । ୨- ଲଣ୍ଡାଗଛ ।

 

ଶାଖା ଛନ୍ଦି ବୃକ୍ଷେ ଉଭା ବଙ୍କିମ ଠାଣିରେ,

ବାହୁ ଛନ୍ଦି ମଲ୍ଲଯୁଦ୍ଧେ ରତ ଯଥା ବୀରେ ।

ମାଡ଼ିଅଛି କାହିଁ ପାଞ୍ଚ-ଆଙ୍ଗୁଳିଆ ଲତା ୩

ଲଭିଛି ତା ଫଳମାନ ପ୍ରବାଳ ସମତା ।

 

୩- ଏହାର ପତ୍ର ପଞ୍ଚାଙ୍ଗୁଳିବିଶିଷ୍ଟ କରତଳାକୃତି । ଫଳ- ମଧ୍ୟସ୍ଥ ବୀଜ ଶକ୍ତିଯୁକ୍ତ ଶିବଲିଙ୍ଗ ସଦୃଶ ଦେଖାଯାଏ ।

 

ଶିବ ଉପାସିକା ସେହୁ ବ୍ରତତୀ ସୃଷ୍ଟିରେ,

ଫଳେ ଭରି ଶିବଲିଙ୍ଗ ଧରିଛି ଶରୀରେ ।

ସୁଆଁଲ ଶରୀରେ କାହିଁ ଜଡ଼ିଛି ସାରିବା ୪

କିମାଶ୍ଚର୍ଯ୍ୟ ହୋଇଛନ୍ତି ନାରୀ ନାରୀ ବିଭା ।

 

୪- ଅନନ୍ତ ଲତା ।

 

ତନ୍ତୁବାୟ ନାରୀ ପ୍ରାୟେ ଗୁଳଞ୍ଚ ବଲ୍ଲରୀ,

ତାସଣ କାରଣେ ଅଛି ସରୁ ସୂତା ଧରି ।

ଗୁଳ୍ମଗହଳରେ କାହିଁ ଲୁଚି ଲାଜକୁଳୀ,

କ୍ଷଣେ କ୍ଷଣେ ପଡ଼ୁଅଛି ଲଜ୍ଜାରେ ଝାଉଁଳି ।

 

ନିର୍ଜ୍ଜନ ନିସ୍ତବ୍‌ଧ ଯଥା ନିଛାଟିଆ ପଦା,

ଶ୍ମଶାନ ପ୍ରହରୀ ଶିବା ବୁଲୁଥାନ୍ତି ସଦା ।

ରାଜପରିବାରର ସେ ନିର୍ଦ୍ଦିଷ୍ଟ ଶ୍ମଶାନ,

ବହୁ ନରପତିଙ୍କର ଅନ୍ତିମ ଆସ୍ଥାନ ।

 

ଚନ୍ଦ୍ରବଂଶୀ ବହୁଚନ୍ଦ୍ର ଯଥାସମୟରେ,

ହୋଇଛନ୍ତି ଅସ୍ତ ସେହି ଶ୍ମଶାନ-ଅମ୍ୱରେ ।

କେତେ ରାଜଋଷି ରଖି ନିଜେ ନିଜ ସ୍ମୃତି,

ଅର୍ପିଲେ ଜୀବନ-ଯାଗେ ତହିଁ ଶେଷାହୁତି ।

 

କେତେ ରାଜକବି, କେତେ ରାଜସଂସ୍କାରକ,

ବସିଛନ୍ତି ଟେକି ତହିଁ ପ୍ରଚ୍ଛନ୍ନେ ମସ୍ତକ ।

ଅଧୀନେ ସେ ସ୍ଥାନ ରଖି ନୃପେ କିଛିଦିନ,

ହୋଇଗଲେ ପରିଶେଷେ ପୁଣି ତା ଅଧୀନ ।

 

ମାୟା କଳଙ୍କିତ ପ୍ରାଣ-ସୁବର୍ଣ୍ଣେ ସେ ସ୍ଥଳ,

ଦଗ୍‌ଧ କରି ବାରମ୍ୱାର କରେ ସୁନିର୍ମଳ ।

କର୍ମ-କ୍ଳାନ୍ତ ରାଜଗଣେ ତେଜି ରାଜ୍ୟଭାରେ,

ଆଶ୍ରିଛନ୍ତି ଯାଇ ଚିର-ବିଶ୍ରାମ ସେଠାରେ ।

 

ନରଶକ୍ତି ଅଗୋଚର ଶ୍ମଶାନ ମହିମା,

ଜନ୍ମମରଣର ସିନା ସେହୁ ସନ୍ଧିସୀମା ।

ମାନବଜୀବନ-ତରୀ ସେ ଗଣ୍ଡ-ଶଇଳେ,

ଅତର୍କେ ହାବୋଡ଼ି ଚୂର୍ଣ୍ଣ ହୁଏ ତିଳେ ତିଳେ ।

 

ମାତୃଗର୍ଭୁ ହୁଏ ଜୀବ ତାହା ପଦେ ବିକା,

କରେ ସେ ଦର୍ପୀର ଭସ୍ମ ଦମ୍ଭ ଅହମିକା ୫ ।

କରନ୍ତି ଜୀବନେ ନର ଭ୍ରମେ ତାକୁ ଭୟ,

ମାତ୍ର ଜୀବନାନ୍ତେ ସେହୁ ପରମ ଆଶ୍ରୟ ।

 

୫- ‘‘ମୁଁ ବଡ଼’’ ଏହି ଭାବ ।

 

ଜୀର୍ଣ୍ଣତନୁ ନବଭାବେ ପୁନର୍ଗଠନର-

ସହାୟ ଶ୍ମଶାନ, ଏହା ସୁନୃତ ୬ ନିକର ୭ ।

ଜୀବର ପରମବନ୍ଧୁ ସିନା ସେ ଶ୍ମଶାନ,

ହୃଦୟ ତାହାର ଅତି ଉଦାର ମହାନ ।

 

୬- ସତ୍ୟ । ୭- ନିଶ୍ଚୟ ।

 

ତେଜନ୍ତି ଅନ୍ତିମ କାଳେ ଆତ୍ମୀୟ ସ୍ୱଜନ,

ମାତ୍ର ସେ ନ ତେଜି ଧରେ କରି ଆଲିଙ୍ଗନ ।

ରାଜ-ଶ୍ମଶାନ ସୌଭାଗ୍ୟ କେ ପାରିବ କହି,

କେତେ ରାଜା ଶୂନ୍ୟ ଦେହେଁ ନିବସନ୍ତି ତହିଁ ।

 

ଉଦେ ବୁଦେ ଜାଠବଂଶ ଆଦିମ ପୁରୁଷ ୧,

ବେନି ଭ୍ରାତା ହୋଇଗଲେ ଏଠାରେ ପାଉଁଶ ।

ବିସର୍ଜି ପାର୍ଥିବଧନ ପରିବାର ରାଜ୍ୟ,

ନିବସନ୍ତି ଏ ଶ୍ମଶାନେ ଶ୍ରୀ ଶଙ୍କର ରାଜ ।

 

୧- ଏହି ଦୁଇ ସହୋଦରଙ୍କଠାରୁ ସୁରଙ୍ଗୀରେ, ଜାଠବଂଶୀୟ ରାଜତ ଆରମ୍ଭ ହୋଇଅଛି ।

 

ଆବର ବସନ୍ତି ତାଙ୍କ ପୁତ୍ର ବିଶ୍ୱନାଥ,

ଧନୁର୍ବେଦେ ଥିଲେ ସେହୁ କଳିଯୁଗ-ପାର୍ଥ ।

ଅଛନ୍ତି ଶ୍ରୀରାମ ରାଜା ବସି ଶୂନ୍ୟାସନେ,

ମରଧାମେ ଥିଲେ ସେହୁ ଧନୀ କୀର୍ତ୍ତି-ଧନେ ।

 

ବସାଇ ଶ୍ରୀରାମପୁର ଗ୍ରାମ ରମଣୀୟ,

କରିଗଲେ ନିଜ ନାମେ ଚିରସ୍ମରଣୀୟ ।

ଅଛନ୍ତି ନୃସିଂହ ରାଜା ରାଜର୍ଷିପ୍ରତିମ,

ସମୁଦ୍ର ସମାନ ତାଙ୍କ ମହିମା ଅସୀମ ।

 

ନ ଥିଲେ ମଣ୍ଡି ସେ ଖାଲି ରାଜସିଂହାସନ,

ଯଶଃ-ସିଂହାସନେ ସୁଦ୍ଧା ଥିଲେତ ରାଜନ ।

ମଣୁଥିଲେ ସଦା ରାଜମୁକୁଟେ ସେ ଭୂପ,

ପ୍ରଜାଋଣରାଶିପୂର୍ଣ୍ଣ ପେଟିକା ସ୍ୱରୂପ ।

 

ଖୋଳାଇଲେ ରାଜ୍ୟେ ବହୁ କୂପ ସରୋବର,

ସ୍ୱଭାବେ ଦେବତା ମାତ୍ର ଦେହେ ଥିଲେ ନର ।

ପ୍ରାତଃସ୍ମୃତି ସେ ମହାତ୍ମା ଏ ମହାଶ୍ମଶାନେ,

ହୋଇଛନ୍ତି ବିଜେ ଆହା ବିସ୍ମୃତି-ବିମାନେ ।

 

ପରପୁରଞ୍ଜୟୀ ବୀର ସୁଧୀର ମୁକୁନ୍ଦ,

ସୁରଙ୍ଗୀ ରାଜ-ଉଦ୍ୟାନ ସୌମ୍ୟ ମୁଚୁକୁନ୍ଦ ।

ଗୁଣେ ଲଭିଥିଲେ ଖ୍ୟାତି ସ୍ୱଦେଶେ ବିଦେଶେ,

ପାଳୁଥିଲେ ପ୍ରଜା ରାୟ ପୁତ୍ର ନିର୍ବିଶେଷେ ।

 

ନିଜ ଦୁଃଖେ କେବେ ସେହୁ ନୁହନ୍ତି କାତର,

କାନ୍ଦୁଥିଲା ପରଦୁଃଖେ ତାହାଙ୍କ ଅନ୍ତର ।

ଦୀନ ଦୁର୍ବଳର ଭୟ ବିପନ୍ମୁକ୍ତି ପାଇଁ,

ସତତ ସଚେଷ୍ଟ ଥିଲେ ସେହି ନରସାଈଁ ।

 

ସେ ଭୂପ-ସବିତା ହୋଇ କାଳ-ରାହୁ ଗ୍ରସ୍ତ,

ହୋଇଗଲେ ଏ ଶ୍ମଶାନ ଅସ୍ତାଚଳେ ଅସ୍ତ ।

କିମ୍ୱା କାଳ-ରାଜସୂୟ ଯଜ୍ଞ ନିମନ୍ତ୍ରଣେ,

ନିମନ୍ତ୍ରିତ ହୋଇ ବିଜେ ନୃପତି ଗହଣେ;

 

ଶାସୁଥିଲେ ବହୁକାଳେ ଯେ ନିତ୍ୟ ଦୁର୍ଜନେ,

ରହିଲେ ଶ୍ମଶାନେ ସେହୁ ନିୟତିଶାସନେ ।

ପ୍ରକୃତି ଉପରେ ସିନା ରାଜା ଅଧିପତି,

ମାତ୍ର ରାଜା ପରେ ରାଜା ନିଶ୍ଚୟ ନିୟତି ।

 

ଆହା ଦାମୋଦର ରାଜ ଆଜନ୍ମ ଅରୋଗୀ,

ପିତ୍ରୁପମ ଧୈର୍ଯ୍ୟଶୀଳ ତଥା କର୍ମଯୋଗୀ ।

କର୍ମ ସାରି କର୍ମକ୍ଷେତ୍ରେ ସେ ନୃପକେଶରୀ,

ଆଶ୍ରିଲେ ଏ ସ୍ଥାନ ଆସି ସର୍ବ ପରିହରି ।

 

କଳି-ଭୀଷ୍ମ ହରିହର ଗୋପାଳ ତନୟ,

ସତ୍ୟସନ୍ଧ ତ୍ୟାଗଶୀଳ କ୍ଷମା ଦୟାମୟ ।

ନୈତିକ ଚରିତ୍ରବଳ ମହତ ଆଦର୍ଶ,

ଦେଖାଇଣ କ୍ଷତ୍ରକୁଳେ ଟେକାଇଲେ ଯଶ ।

 

ନିବସନ୍ତି ଶାନ୍ତି-ମୈତ୍ରୀ ଧାମ ଏ ଶ୍ମଶାନେ

ଅଖଣ୍ଡ ଅଲଙ୍ଘ୍ୟ ନିତ୍ୟ ବିଧାତା ବିଧାନେ ।

ପୁରରାଜ ନାମେ ଖ୍ୟାତ ରାଜା ପୁରନ୍ଦର,

ମାନବ-ଦୁର୍ଲ୍ଲଭ ବହୁ ଗୁଣ ଧୁରନ୍ଧର ।

 

ସ୍ମରଣୀୟ ବରଣୀୟ ସେହି ନୃପଶଶୀ,

ଅଛନ୍ତି ଗୋପନେ ଏହି ଶ୍ମଶାନରେ ବସି ।

ଆବର ଅଛନ୍ତି ତାଙ୍କ ରାଣୀ ଇନ୍ଦୁମତୀ,

ପତି ଧ୍ୟାନପରାୟଣା ସତୀ-ଚକ୍ରବର୍ତ୍ତୀ ।

 

ବୈଧବ୍ୟବିଧୁରା ହୋଇ ସ୍ୱାମୀଙ୍କ ନିଧନେ,

ସହମୃତା ହେବା ପାଇଁ ମନାସିଲେ ମନେ ।

ଆତ୍ମୀୟ ସ୍ୱଜନେ ତହିଁ କଲେକ ନିଷେଧ,

ବୋଇଲେ ତେଜ ଗୋ ଦେବି ! ମାନସୁଁ ନିର୍ବେଦ ।

 

ତୁମ୍ଭ ଅଭାବରେ ତବ ବାଳୁତ କୁମର,

ହେବେ ସଦା ଦୁର୍ନିବାର ଶୋକରେ କାତର ।

ତୁମ୍ଭ ବିନା କେ କରିବ ତାହାଙ୍କୁ ସାନ୍ତ୍ୱାନା,

ଦାରୁଣ ସଙ୍କଳ୍ପ ତେଜ ଏତିକି ପ୍ରାର୍ଥନା ।

 

ବୋଇଲେ ଏତିକି ଖାଲି ତହୁଁ ନୃପଦାରା,

‘‘ହୋଇଗଲେ ଚନ୍ଦ୍ର ଅସ୍ତ ରହଇ କି ତାରା ?

ତେଜିଣ ଶରୀରୁଁ ସର୍ପ ପ୍ରାଚୀନ କଞ୍ଚୁକ,

ପୁନର୍ଗ୍ରହଣରେ ତାହା ହୁଏ କି ଇଚ୍ଛୁକ ?’’

 

ବଚନ ଭଙ୍ଗୀରୁ ବୁଝି ସଂକଳ୍ପ ଦୃଢ଼ତା,

ଭାବି ମନେ ପରିକରେ ଭାବୀ ରାଜା କଥା;

ରାଣୀଙ୍କୁ ଗୃହରେ ରଖି କିଳିଣ କପାଟ,

ରୋଧିଦେଲେ ତାହାଙ୍କର ମନୋରଥ ବାଟ ।

 

ମାତ୍ର ଭବିତବ୍ୟେ ବାଟକେ ରୋଧିବ କାହିଁ,

ଅନ୍ଧି ସନ୍ଧି ନ ଥିଲେ ହେଁ ପଶେ ସେ ଝସାଇ ।

ନିୟତି ଅଦ୍ଭୁତ ଚୋର ଆସି ଅଦର୍ଶନେ,

ଅତର୍କିତେ ସିଦ୍ଧ କରେ ସ୍ୱାଭୀଷ୍ଟ ବହନେ ।

 

 

ପଶିପାରେ ଅଦୃଶ୍ୟେ ସେ ଜଉମୁଦା ଘରେ,

ତାହାର ଅଭେଦ୍ୟ ସ୍ଥାନ ନାହିଁ ଚରାଚରେ ।

ବନ୍ଧୁଗଣ କେତେକ୍ଷଣ ପରେ ଦ୍ୱାର ଫେଇ,

ଦେଖିଲେ ଶାୟିତା ତଳେ ମୃତା ମହାଦେଈ ।

 

ଭାବିଲେ ବାଞ୍ଚିତ ଯାର ଅନାମୟ ସ୍ଥଳ,

ରୋଧିବା ପ୍ରୟାସ ତାକୁ ବିଫଳ କେବଳ ।

ଧନ୍ୟ ଏ ବେନିଙ୍କ ପ୍ରେମ ପବିତ୍ର ସ୍ୱର୍ଗୀୟ,

ନରରୂପେ ଭୁଞ୍ଜୁଥିଲେ ପ୍ରକୃତ ଅମିୟ ।

 

ଥିଲେ ସିନା ବେନି ଜନେ ବେନିଙ୍କର ତୁଲ,

ଏକବୃନ୍ତେ ଫୁଟିଥିଲା ଆହା ଯୁଗ୍ମଫୁଲ !

ନିଶ୍ଚେ ଏ ବିନିଏ ସ୍ୱର୍ଗ ଅମର ଅମରୀ,

ଶାପ ହେତୁ ମର୍ତ୍ତ୍ୟପୁରେ ଥିଲେ ଅବତରି ।

 

ଏଥୁଅନ୍ତେ ପରିଜନେ ବେନି ଶବ ବହି,

ରାଜ-ଉପଚାରେ ଦେଲେ ଶ୍ମଶାନରେ ଦହି ।

ଶ୍ମଶାନ ମଧ୍ୟରେ ଅଛି କୁଣ୍ଡ କ୍ଷୁଦ୍ରାକାର,

ସେହିଠାରେ ବେନି ତନୁ ହେଲା ଭସ୍ମସାର ।

 

କରୁଛନ୍ତି ଦୁହେଁ ତହିଁ ଅଖଣ୍ଡ ବିଶ୍ରାମ,

ଅବଧି ଧରେ ସେ ଖାତ ସତୀକୁଣ୍ଡ ନାମ ।

ଧାର୍ମିକ ଗୁଣଜ୍ଞ ଧୀର ମହାତ୍ମା କେଶବ,

ସୂକ୍ଷ୍ମଦର୍ଶୀ ବିଚକ୍ଷଣ ପରମ ବୈଷ୍ଣବ ।

 

ଏକହସ୍ତେ ରତ ତାଙ୍କ କର୍ତ୍ତବ୍ୟ ସାଧନେ,

ଆନ ନିୟୋଜିତ ଥିଲା ଧନ ବିତରଣେ ।

ନିଜେ ବଡ଼ ଥାଇ ବଡ଼ ଗଢ଼ୁଥିଲେ ନିତି,

ବଡ଼ପଣର ଏ ସିନା ଶାଶ୍ୱତୀ ସୁରୀତି ।

 

ଦରିଦ୍ର ଦାରିଦ୍ର୍ୟ ଦାନେ କରୁଥିଲେ ଲଘୁ,

ନିତ୍ୟଦାନବ୍ରତ ଯଥା ପୂର୍ବେ ଥିଲେ ରଘୁ ।

ସେ ନୃପ-ମୌଳି-କିରୀଟ-କୋହିନୂର-ହୀର,

ଛନ୍ତି ଏ ଶ୍ମଶାନେ ତେଜି ଅଚିର ଶରୀର ।

 

ପ୍ରାତଃସ୍ମରଣୀୟ ରାଜକବି ଦୀନବନ୍ଧୁ,

ସୁରଙ୍ଗୀ-ଗୌରବ-ରବି ସର୍ବଜନ ବନ୍ଧୁ ।

ମନସ୍ୱୀ, ତେଜସ୍ୱୀ, ବିଜ୍ଞ, ଅତୁଳ ଯଶସ୍ୱୀ,

ଆଜୀବନ ସାରସ୍ୱତ-ଆଶ୍ରମ ତପସ୍ୱୀ ।

 

ଉଦାସୀନ ଭାବେ କରି ରାଜଲକ୍ଷ୍ମୀ ପୂଜା,

ପ୍ରାଣମଧ୍ୟେ ପୂଜୁଥିଲେ ଦେବୀ ଶ୍ୱେତଭୁଜା ।

ନ ବସି ସେ ରାଜାସନେ ମହାର୍ହ ତଳପେ,

ଉପବିଷ୍ଟ ଥାନ୍ତି ସଦା ବାଗ୍‌ଦେବୀ ମଣ୍ଡପେ ।

 

ଭକ୍ତକବି ଭକ୍ତିରସେ ରଚିଛନ୍ତି ଗ୍ରନ୍ଥ,

ସେହି ଭକ୍ତିଠାରୁ ସିନା ଘେନି ଶୁଭ ସନ୍ଥ ।

ମିଶିଗଲା ଏ ଶ୍ମଶାନେ ତାଙ୍କ ପୁଣ୍ୟତନୁ,

ମିଶିଯାଏ ରବିକରେ ଯଥା ଶକ୍ରଧନୁ ।

 

କାହିଁଗଲ ହେ ସୁରଙ୍ଗୀ-ଗୌରବ-କେତନ,

ଉତ୍କଳ ଭାରତୀଙ୍କର ସ୍ନେହାସ୍ପଦ ଧନ ।

ଉଠୁ ନାହିଁ କିପାଁ ଆଉ ତୁମ୍ଭ ବଂଶୀସ୍ୱନ,

କବିକର୍ଣ୍ଣ-ରସାୟନ ହୃଦ-ସମ୍ମୋହନ ।

 

ରହିବାରୁ କୀଟଦଷ୍ଟ ହୋଇ ଗ୍ରନ୍ଥ ସର୍ବ,

କ୍ଷୁବ୍‌ଧ ମନେ ତେଣୁ କି ହେ ରହିଛି ନୀରବ ?

ନ କର ନ କର କବି ଚିନ୍ତା ସେଥିପାଇଁ,

ଉନ୍ନତିର ଶୁଭଦିନ ଆସୁଅଛି ଧାଇଁ ।

 

ତୁମ୍ଭ କୁଳେ ଚନ୍ଦ୍ରରୂପେ ଚନ୍ଦ୍ର ଚୂଡ଼ାମଣି,

ଉଇଁଲେଣି ମହାମନା ନୃମଣି ଅଗ୍ରଣୀ ।

ତାଙ୍କ ଦେହୁ ଜ୍ଞାନ-ରଶ୍ମି ହୋଇ ବିସ୍ତାରିତ,

କରୁଛି ଅଜ୍ଞାନ-ତମେ ଦେଶୁ ବିତାଡ଼ିତ ।

 

ପୂର୍ବପୁରୁଷଙ୍କ ଖ୍ୟାତ ସମଜ୍ଞା ୧ ବର୍ଦ୍ଧନେ,

ନିଯୁକ୍ତ ସେ ଅହରହ କାୟବାକ୍ୟମନେ ।

କରିବେ ନିଶ୍ଚୟ ତୁମ୍ଭ ପ୍ରତିଭା ପ୍ରଚାର,

ଆସୁଛି ସେଦିନ, ନାହିଁ ବିଳମ୍ୱ ତାହାର ।

୧- କୀର୍ତ୍ତି ।

 

ଧନ୍ୟ ରାଜକବି ତବ ଲେଖନୀ କ୍ଷମତା,

ନୁହଇ ଲେଖନୀ ତାହା କାବ୍ୟ-କଳ୍ପଲତା ।

ତାହା ବଳେ କରିଗଲେ ହେ ନୃପ ସଞ୍ଚୟ,

ବିପୁଳ ଅକ୍ଷରକୀର୍ତ୍ତି ଭୂତଳେ ଅକ୍ଷୟ ।

 

ଅଦ୍ଭୁତ କ୍ଷମତା କାବ୍ୟକ୍ଷେତ୍ରେ ପ୍ରଦର୍ଶାଇ,

ଯାଇଅଛ ତୁମ୍ଭେ ଲୋକେ ତୁମ୍ଭଙ୍କୁ ଚିହ୍ନାଇ ।

ତୁମ୍ଭ ଚର୍ମ-ତନୁ ସିନା ହରିଅଛି ବିଧି,

ମାତ୍ର କାବ୍ୟମାଳା ଅଛି ଯୋଗ୍ୟ ପ୍ରତିନିଧି ।

 

କରିବ ତା’ଯୋଗୁଁ ଦେଶ ଗୌରବନୁଭୂତି,

ଘରେ ଘରେ ହେବ ତବ କାର୍ଯ୍ୟ ଅନୁକୃତି ।

ଆସିବ ସେ ଶୁଭଦିନ ଅଦୁର ଭବିଷ୍ୟେ,

ପୁରିବ ଉତ୍କଳ ତବ ଶିଷ୍ୟ ଉପଶିଷ୍ୟେ ।

 

ବୁଡ଼ାଇ ଅକ୍ଷୟ ପ୍ରୀତି-ରଙ୍ଗେ କଳ୍ପ-ତୂଳୀ,

ଆଙ୍କି ହୃଦ-ପଟେ ତବ ପବିତ୍ର ପିତୁଳି,

ପୂଜିବେ ସ୍ୱଦେଶବାସୀ ପୁରୁଷାନୁକ୍ରମେ,

ମଣିବେ ସମ୍ଭ୍ରାନ୍ତ ନିଜେ ତୁମ୍ଭରି ସମ୍ଭ୍ରମେ ।

 

ବୁଝୁଥିଲ ତୁମ୍ଭେ କବି ଏ ଦେହ ପିଞ୍ଜର,

ସତତ ପତନ ପ୍ରାୟ ରୋଗଶୋକ ଘର ।

କାରାରୁଦ୍ଧ ତହିଁ ଆତ୍ମାରୂପୀ ଧୂର୍ତ୍ତ ପକ୍ଷୀ,

ଛିଦ୍ର ପାଇ ଉଡ଼ିଯିବ ପୂର୍ବାବାସ ଲକ୍ଷି ।

 

ତେଣୁ ତୁମ୍ଭେ ଉପେକ୍ଷିଣ ପ୍ରାକୃତ ବିଷୟ,

ତୋଳୁଥିଲେ ଅପ୍ରାକୃତ କୀର୍ତ୍ତି-ଦେବାଳୟ ।

ରାଜା ତୁମ୍ଭେ, ମାତ୍ର ତବ ହୃଦୟେ ସତତ,

କରୁଥିଲେ ଅନିତ୍ୟତା ବୈରାଗ୍ୟ ରାଜତ୍ୱ ।

 

ଶ୍ୟାମକିଶୋରଙ୍କ ନାମେ ଖଣ୍ଡଇ ପ୍ରମାଦ,

ପିତୃ ସଦ୍ଗୁଣର ସେହି ସୁଯୋଗ୍ୟ ଦାୟାଦ ।

ପିତୃସମ ସୁବୈଷ୍ଣବ ସୁକବି ତେସନ,

ପରଦୁଃଖେ ଟଳୁଥିଲା ତାଙ୍କ ସିଂହାସନ ।

 

ବିଷୟ-ସୁଖରେ ରାଏ ଅର୍ପି ଜଳାଞ୍ଜଳି,

ବୈରାଗ୍ୟ-ପ୍ରବାହେ ସଦା ପଡ଼ିଥିଲେ ଢଳି ।

ଅଛନ୍ତି ସେ କର୍ମବୀର ଏହି ଶ୍ମଶାନରେ,

ଭସ୍ମମୟ ରୂପେ ମହା ଭସ୍ମ-ଆସନରେ ।

 

ଚନ୍ଦ୍ରୁ ଜାତ ଅଂଶୁପ୍ରାୟ ତାହାଙ୍କ କୁମର,

ଶ୍ରୀ ଗୋବିନ୍ଦଚନ୍ଦ୍ର ରାଜ ଶୁଭଗୁଣାକର ।

ଦାକ୍ଷିଣାତ୍ୟ ବହୁ ତୀର୍ଥ କରି ପର୍ଯ୍ୟଟନ,

ତ୍ରିପତି ତୀର୍ଥରେ କଲେ ପ୍ରାଣ ବିସର୍ଜନ ।

ହୋଇଲା ଆନୀତ ତାଙ୍କ ପୁତ ଶବ ସତ୍ତ୍ୱ,

ସେ ସତ୍ତ୍ୱ ଏଠାରେ ସୁଦ୍ଧା ଲଭିଲା ପଞ୍ଚତ୍ୱ ।

ତାହାଙ୍କର ଖୁଲ୍ଲତାତ ଦେବ କ୍ଷତ୍ରିବର,

ସୁକଠୋର ହଠଯୋଗ ସାଧନ ତତ୍ପର ।

 

ଯାଙ୍କ ଭ୍ରାତୃଭକ୍ତି ସିନ୍ଧୁ ସମାନ ଅଗାଧ,

ଭାତ୍ରାଦେଶେ କଲେ ମହାନାଟକାନୁବାଦ ।

କବି, ଯୋଗୀ, ଆତ୍ମଦର୍ଶୀ, ସେ ମହାପୁରୁଷ,

ଆଶ୍ରିଲେ ଏ ସ୍ଥାନ, ଶେଷ ହୁଅନ୍ତେ ଆୟୁଷ ।

 

ଶ୍ରୀ ଚୈତନ୍ୟଚନ୍ଦ୍ର ରାଜା ନୃପତି ଅଗ୍ରଣୀ,

ସୁରଙ୍ଗୀ ବକ୍ଷର ଚିର ପ୍ରଗୌରବ-ମଣି ।

ସେ ନୃପତି ହୋଇ ଆହା କାଳର ଅଧୀନ,

ହୋଇଛନ୍ତି ଏ ଶ୍ମଶାନ ଧୂଳିରେ ବିଲୀନ ।

 

ପୁଣ୍ୟଶ୍ଳୋକ ଶ୍ରୀନୀଳାଦ୍ରିଚନ୍ଦ୍ର ମହାରାଜ,

ଯାହାଙ୍କର କୀର୍ତ୍ତି ବାନ୍ଧି ବସିଛି ସମାଜ ।

ଯହିଁ ଦେଖ ସୁରଙ୍ଗୀରେ ତାହାଙ୍କ କୀରତି,

ଥିଲେ ସେହୁ ଚିରକୀର୍ତ୍ତି ଉପାସକ ଯତି ।

 

ଜାଣୁଥିଲେ ନାହିଁ ସେହୁ ଦ୍ୱେଷ ହିଂସା କୋପ,

ହୋଇଅଛି ତାଙ୍କ ତନୁ ଏ ଶ୍ମଶାନେ ଲୋପ ।

ଦୁର୍ଜ୍ଜୟ ପ୍ରତାପୀ ଏହି ସର୍ବଗ୍ରାସୀ ସ୍ଥଳୀ,

ଦିଅନ୍ତି ସକଳେ ଏହା ପଦେ ଆତ୍ମବଳି ।

 

ଭୂପତି କିଶୋରଚନ୍ଦ୍ର ନୀଳାଦ୍ରି ତନୟ,

ଉଦ୍ଯୋଗୀ ପୁରୁଷ ଧୀର ଉଦାର ହୃଦୟ ।

ରୋଗେ ଶୋକେ ତାପେ ମୁଖ ନ କରନ୍ତି ହେଟ,

ପ୍ରିୟକାର୍ଯ୍ୟ ଥିଲା ଯାଙ୍କ ଜୀବନେ ଆଖେଟ ୧ ।

୧-ମୃଗୟା ।

କେବେ ଆଗ୍ନେୟାସ୍ତ୍ର କେବେ ଅଧିକ୍ୟ ୨ଧାରିଣ

ବନେ ବୁଲି ବିନ୍ଧୁଥିଲେ ଶମ୍ୱର ହରିଣ ।

ଏକପତ୍ନୀବ୍ରତ ସେହି ଗୃହସ୍ଥ ସନ୍ନ୍ୟାସୀ,

ଅକାଳେ ବିଲୀନ ହେଲେ ଏ ଶ୍ମଶାନେ ଆସି ।

୨-ଗୁଣଯୁକ୍ତ ଧନୁ ।

 

ମାତ୍ର ପୂର୍ବୁଁ ଆସିଥିଲେ ତାଙ୍କ ଧର୍ମଜାୟା,

ଉପେକ୍ଷି ଭଙ୍ଗୃର ଭବେ ସେ ଭବର ମାୟା ।

ଚାହିଁ ବସିଥିଲେ ସତୀ ପତି-ଆଗମନେ,

ରହିଲେ ଉଭୟେ ଏଥି ଅଖଣ୍ଡ ମିଳନେ ।

 

Unknown

ଚତୁର୍ଥ ସର୍ଗ

-ବଙ୍ଗଳାଶ୍ରୀ-

 

ସୁରଙ୍ଗୀ ପଶ୍ଚିମେ            ନୂଆଗଡ଼ ନାମେ

ବିଦିତ ପ୍ରାଚୀନ ଦୁର୍ଗ,

ଉଡ଼ାଉଣ ଥିଲା            ସମଜ୍ଞା-କେତନ

ଯାହାର ଅତିତ ଯୁଗ ।

 

ସୌନ୍ଦର୍ଯ୍ୟ, ସମ୍ପଦ            ସୌଭାଗ୍ୟ ସମୟେ

ଥିଲା ସେହୁ ରାଜଧାନୀ,

ଅନିତ୍ୟ ସେ ସର୍ବ,            ତୁଟିଯାନ୍ତେ ଏବେ

ହୋଇଅଛି ଅରଣ୍ୟାନୀ ।

 

ଏ ସଂସାର ମଧ୍ୟେ            ଭବିତବ୍ୟାଧୀନ

ନୁହନ୍ତି ଜୀବେ କେବଳ,

ଆଉ ଆନ କଥା            ଜଡ଼ ପଦାର୍ଥର

ଅଛି ସୁଦ୍ଧା ଭାଗ୍ୟବଳ ।

 

ନିତ୍ୟ ପରିବର୍ତ୍ତ            ଘଟୁଛି ଯା ଭବେ

ଭାଗ୍ୟ ସିନା ତାର ମୂଳ,

ଆଣିଦିଏ ସେହୁ            ସୁଖେ ଦୁଃଖେ ହୋଇ

ଅନୁକୂଳ ପ୍ରତିକୂଳ ।

 

ରଚିଥିଲା ଯେଉଁ            ଭାଗ୍ୟ, ଦୁର୍ଗେ କରି

ସୁନ୍ଦରଠାରୁ ସୁନ୍ଦର,

ଭର୍ଣ୍ଣାନାଭ ପ୍ରାୟ            ହରିଲା ତା ଶୋଭା

ପୁଣି ସେ ଭାଗ୍ୟ-ତସ୍କର ।

 

ରାଜଭବନର            ଚିହ୍ନ ବର୍ଣ୍ଣ ଏବେ

ଦିଶୁ ନାହିଁ କିଛି କାହିଁ,

ସୌଭାଗ୍ୟ ସଙ୍ଗତେ            ଅସ୍ତିତ୍ୱ ତାହାର

ନେଇଛି କାଳ ଭସାଇ ।

 

ଏହିପରି ପଥ            ଘାଟ, ଦେବାଳୟ

ମଣ୍ଡପ ଆଗାର ରାଜି,

ହୋଇଅଛି କ୍ଷତ-            ବିକ୍ଷତ ଶରୀର

ମହାକାଳ-ବାତ୍ୟା ବାଜି ।

 

ଯେଉଁ କାଳ ଗଢ଼େ            ସେହିକାଳ ଭାଙ୍ଗେ

ଭଙ୍ଗା ଗଢ଼ା ତାର ରୀତି,

ଯେତେ ଭାଙ୍ଗୁଅଛି            ତେତିକି ପୁଣି ସେ

ଗଢ଼ୁଅଛି ନିତି ନିତି ।

 

କରିଯାଉଅଛି            ତାହା କାର୍ଯ୍ୟ ସେହୁ

ନ ରଖି କାହା ପ୍ରତୀକ୍ଷା,

ଘଟଣା ବ୍ୟାଜରେ            ଗୋପନେ ପ୍ରଚାରି

ଆଧ୍ୟାତ୍ମିକ ମହାଦୀକ୍ଷା ।

 

ନୂଆଗଡ଼ ପୂର୍ବେ            ମହାରଣ୍ୟ ଭେଦି

ଚାଲନ୍ତି ଯାଉଁଳୀ ନଦୀ,

ଗମନ୍ତି କି ଆହା            ସନ୍ନିଧି ଲଭିଣ

 

କଳିନ୍ଦଜା ୧ ବିଷ୍ଣୁପଦୀ ୨ ।

୧-ଯମୁନା ନଦୀ । ୨-ଗଙ୍ଗା ।

 

କିମ୍ୱା ଧରାକଣ୍ଠେ            ରଜତନିର୍ମିତ

ଦୋସରି ମୋହନ ମାଳ,

ଅବା ଖେଳି ଖେଳି            ଚାଲିଛି କି ଆହା

ବ୍ୟାଳ ସଙ୍ଗେ ଆନ ବ୍ୟାଳ ।

 

ନାହିଁ ତାହାଙ୍କର            ତର୍ଜନ ଗର୍ଜନ

ନର୍ତ୍ତନ ବା ଉଲ୍ଲମ୍ଫନ,

ଅବା ତଟପ୍ଳାବୀ            ଭଙ୍ଗୁର ତରଙ୍ଗ

ଭଉଁରୀ ଭୀମ ଘୂର୍ଣ୍ଣନ ।

 

କରନ୍ତି ଉତ୍ସାହ-            ଉଦ୍ୟମବିହୀନ

ପରାଏ ମନ୍ଥର ଗତି,

ତୋଳନ୍ତି ଇଙ୍ଗୁଦୀ            ଫଳ ତୀରବନୁଁ

ହରଷେ ବନ୍ୟ ଯୁବତି ।

 

ଠାବେ ଠାବେ ତୀରେ            ଖର୍ଜ୍ଜୁର ପାଦପେ

ଝୁଲଇ ବାୟା କୁଲାୟ,

ଭିକ୍ଷା ଝୁଲି କାନ୍ଧେ            ଧରି ଉଭା କିବା

ଭିକ୍ଷାଜୀବୀ ଶୀର୍ଣ୍ଣକାୟ ।

 

ବେନି ତଟିନୀର            ସଙ୍ଗମ ପ୍ରଦେଶ

ନିର୍ଜନ ମହାନିସ୍ତବ୍‌ଧ,

ବେଳେ ବେଳେ ଶୁଭେ            ନଦୀପଠାଚାରୀ

ମହିଷର ଟିପାଶବ୍ଦ ।

 

ସଙ୍ଗମ ସ୍ଥାନରେ            ତ୍ରିକୋଣାକୃତିରେ

ବିରାଜିତ କ୍ଷୁଦ୍ର ଦ୍ୱୀପ,

ତହିଁ ପରେ ଶୋଭେ            ଦକ୍ଷିଣ କବାଟ ୩

ଶାଳ୍ମଳୀ, ଇଙ୍ଗୁଦୀ, ନୀପ ।

୩-ବୃକ୍ଷବିଶେଷ

ଦର୍ଶନ ମାତ୍ରେ ତା’            ପୁରାଣବର୍ଣ୍ଣିତ

ଶାଳ୍ମଳୀ ଦ୍ୱୀପର କଥା,

ଅଯାଚିତ ଭାବେ            ହୃଦୟ ମଧ୍ୟରେ

ଉଦିତ ହୁଏ ସର୍ବଥା ।

 

ଉତ୍ତର ଦିଗରେ            ସମାଧିସ୍ଥ ଋଷି

ପରାଏ ଋଷିପର୍ବତ,

ଭେଦିଣ ବିଶାଳ            ନୀଳ ନଭସ୍ତଳ

ତୋଳିଛି ଶିର ଉନ୍ନତ ।

 

ସର୍ବଗ୍ରାସୀ କାଳ            କୁଟିଳ ହାସ୍ୟକୁ

ନ କରି ଭ୍ରୁକ୍ଷେପ ଗିରି,

ଯୁଗଯୁଗାନ୍ତରୁ            ରହି ପ୍ରକାଶୁଛି

ଅବଧି ପାର୍ଥିବ ଶିରୀ ।

 

ସ୍ତରେ ସ୍ତରେ ରହି            ପ୍ରକାଶେ କାନନ-

ମାଧୁରୀ ଶ୍ୟାମାୟମାନ,

ଦୂରୁ ଦିଶେ ଯଥା            ରହିଛି ବିସ୍ତୃତ

ଡ଼ୋରିଆ ନୀଳ ବିତାନ ।

 

ପ୍ରତୀଚୀ ଦିଗରେ            ରହି ବିଲମ୍ୱିତ

କାଙ୍ଗୁଦେଈ ଗିରିମାଳ,

ବିସ୍ତାରି ଅସଂଖ୍ୟ            ଶାଖା ଉପଶାଖା

ଚୁମ୍ବୁଅଛି ଚକ୍ରବାତ ।

 

ଅସ୍ତାଦ୍ରି ଜିଗ୍ମିଷୁ ୪            ଦେବ ବିଭାବସୁ

ବସି ଏ ପର୍ବତ ଶିରେ,

କମଳିନୀ ଧୈର୍ଯ୍ୟ            ସହ ଓଟାରନ୍ତି

ବିକ୍ଷିପ୍ତ ମୟୁଖେ ଧୀରେ ।

 

୪-ଗମନେଚ୍ଛୁକ ।

ଅଦ୍ଭୁତ ମହିମା-            ମୟୀ କାଙ୍ଗୁଦେଈ

ସେ ଅଚଳ ଅଧିଦେବୀ,

ଘୋର ଅବଗ୍ରହେ            ଲଭନ୍ତି ସଲିଳ

କୃଷକେ ତାହାଙ୍କୁ ସେବି ।

 

କାଠୁରିଆକୁଳ            କୁଠାର ଶବଦ

ଅନୁକାରୀ ବାଟଛାପି ୫,

ଉଚ୍ଚେ କରେ ଶବ୍ଦ            ଗିରିବନେ ଘନ

ପତ୍ର-ଅନ୍ତରାଳେ ଛାପି ।

୫- କପୋତାକାର ପକ୍ଷିବିଶେଷ ।

କାଷ୍ଠଜୀବୀଙ୍କର            କୁଠାର ଶବଦ

ମଣି ତାକୁ ମହାବଳ,

ଆଶାନ୍ୱିତ ମନେ            ଆସି ଉପସ୍ଥିତ

ହୁଏ ସେଠାରେ ଚଞ୍ଚଳ ।

 

ତହୁଁ ଧୂର୍ତ୍ତ ଖଗ            ଅନ୍ୟତ୍ର ଯାଇଣ

କରେ ଶବ୍ଦ କାଠହଣା,

ଏହିରୂପେ ସଦା            କରି ବୁଲୁଥାଏ

ମହାବଳେ ପ୍ରତାରଣା ।

 

ବୁଦ୍ଧିବଳ ସନା            ବାହୁବଳ ଆଦି

ସକଳ ବଳକୁ ବଳେ,

ସେ ବଳେ ନଗଣ୍ୟ            କ୍ଷୁଦ୍ର ପକ୍ଷୀ କରେ

ପରାଜୟ ମହାବଳେ ।

 

ଦକ୍ଷିଣ ଦିଗରେ            ବହେ କେର ନଦୀ ୧

ବିଷମ ଶିଳା-ଶେଯରେ,

କାହିଁ ବ୍ୟଗ୍ରେ ଗୌଣେ            କାହିଁ ବା ସଳଖେ

କାହିଁ ବକ୍ରଗତି ଧରେ ।

 

୧- ଏହି ଅଂଶରେ ବାହୁଦା ନଦୀ କେର ନଦୀ ନାମରେ ଅଭିହିତ ।

ଗୋପନେ ଗୋପନେ            ବହେ କାହିଁ ଭେଦି

ନୀରନ୍ଧ୍ର ବଂଶ ଅଟବୀ,

ସୁର-ପର ହର            ଜଟାଜୁଟେ ଯଥା

ପ୍ରଚ୍ଛନ୍ନେ ବହେ ଜାହ୍ନବୀ ।

 

ତୁଙ୍ଗ ବଡ଼ଗଭା            ଏଲଗଲ ଗିର ୨

ମଧ୍ୟେ ଏଲଗଲ ଗଣ୍ଡ,

ଛୁଇଁ ନାହାନ୍ତି ସେ            ସ୍ଥାନକୁ ଅବଧି

କିରଣ-ଦଣ୍ଡେ ମାର୍ତ୍ତଣ୍ଡ ।

 

୨- ବତଗଭା ଏବଂ ଏଲଗଲ ସ୍ୱନାମପ୍ରସିଦ୍ଧ ପର୍ବତଦ୍ୱୟ ।

 

ବେନି ତୀରେ ବେନି            ଦୁରାରୋହ ଗିରି

ଟେକିଛନ୍ତି ଉର୍ଦ୍ଧ୍ୱେ ଶିର,

ମଧ୍ୟେ ଅପ୍ରଶସ୍ତ            ତରଙ୍ଗିଣୀ ଶଯ୍ୟା

ପାତାଳ ପ୍ରାୟ ଗଭୀର ।

 

ବିଜନ ଭୀଷଣ            ଚିର ଅନ୍ଧାରିତ

କେର ନଦୀର ସେ ଖଣ୍ଡ,

ଚିତ୍ରୋତ୍ପଳାଗର୍ଭେ            ବିରାଜିତ ଯଥା

ରୁଦ୍ର ସପ୍ତକୋଶୀ ଗଣ୍ଡ ।

 

ଦେଖି ସେ ସ୍ଥାନର            ଭୀମକାନ୍ତ ଦୃଶ୍ୟ

ଅପୂର୍ବ ତରଙ୍ଗାୟିତ,

ଅପ୍ରତ୍ୟାଶପୂର୍ବ            ଭାବାବେଶେ ହୁଏ

ହୃଦ-ସିନ୍ଧୁ ଉବ୍ଦେଳିତ ।

 

ପରଶ ମାତ୍ରେ ସେ            ଅମର-ବାଞ୍ଚିତ

ପୂତ ଅପାର୍ଥିକ ସ୍ଥାନ,

ସଂସାରର ସତ୍ତା            ମାନବ ଅସ୍ମିତା

ଭବେ ଖରେ ଅନ୍ତର୍ଦ୍ଧାନ ।

 

ସ୍ୱର୍ଗେ ବା ବୈକୁଣ୍ଠେ            କିମ୍ୱା ସୁଖମୟ

ଅଜ୍ଞାତ ଧାମେ ଆସିଛି,

ସେ ଶାଶ୍ୱତ ସ୍ଥାନେ            ବସିଥିବା ଯାଏ

ବାରି ହୁଏ ନାହିଁ କିଛି ।

 

ଶୋକତାପ-ଦଗ୍‌ଧ            ଦ୍ୱନ୍ଦ-କଳୁଷିତ

ସଂସାର ଘୋର ଗହନ-

ମଧ୍ୟରେ ସେ ସ୍ଥାନ            ଶୁଭ୍ର ସୁଶୀତଳ

ଶାନ୍ତିସୁଖ-ନିକେତନ ।

 

ରଜତମ ନାଶି            ସତ୍ତ୍ୱେ ପରକାଶେ

ଧନ୍ୟ ସେ ସ୍ଥାନ ପ୍ରଭାବ,

ଆଜନ୍ମ ନାସ୍ତିକ            ହୃଦେ ଆଣିପାରେ

ପଲକେ ଆସ୍ତିକ ଭାବ ।

 

ଭୀଷଣ ପ୍ରଦେଶ,            ସେ ଭୀଷଣତାକୁ

ନିସର୍ଗ ଶୋଭା ସର୍ବଥା,

ଆଚ୍ଛାଦି ରଖିଛି            ଗୂଢ଼ ଆବରଣେ

କମଳେ କମଳ ଯଥା ।

 

ଅଦୃଷ୍ଟ ଅଶ୍ରୁତ            ସେ ମହା ସୁଷମା

ଉପମା ଉତ୍‌ପ୍ରେକ୍ଷାହୀନ,

ବଡ଼ଶୀ ପ୍ରାୟେ ସେ            ଆତର୍କିତ ଭାବେ

ଟାଣି ଧରେ ମନ-ମୀନ ।

 

ଚିର ଦୁଃଖୀ ନର-            ନୟନ-ସଙ୍ଖାଳି

ସେ ଦୁଃଖପାସୋରା ସ୍ଥଳ,

ଦୁଃଖୀ ଲୋଡ଼େ ସିନା            ନିକାଞ୍ଚନ, ତେଜି

ସଂସାର ଘୋର ଗହଳ ।

 

କବି ପକ୍ଷେ ତାହା            ସାରସ୍ୱତ କୁଞ୍ଜ

ଯୋଗୀ ନେତ୍ରେ ତ୍ରିପିଷ୍ଟପ,

ରସିକ ପକ୍ଷରେ            ବିଳାସ ଭଣ୍ଡାର

ଭାବୁକ କଳ୍ପପାଦପ ।

 

ବନ୍ଧୁର ଉପଳ-            ଶେଯେ ଜଳସ୍ରୋତ

ବହିଯାଏ କଳକଳି,

ପୃଥୁଳେ ତାହାକୁ            ବହୁ କଳକଣ୍ଠ

ବିହଗକୁଳ କାକଳି ।

 

ଉଠୁଥାଏ ସଦା            ସେ ବିପୁଳ ସ୍ୱର

ପ୍ରଭାତେ କିବା ପ୍ରଦୋଷେ

ହେଉଛି କି ନାନା            ବାଦିତ୍ର ବାଦିତ

ଗମ୍ଭୀର ସ୍ନିଗ୍‌ଧ ନିର୍ଘୋଷେ ।

 

ଠାବେ ଠାବେ ରହି            ସ୍ରୋତମୁଖେ ଶିଳା

ସୃଜୁଛି ବହୁ ପ୍ରବାହ,

ଗଣ୍ଡ ମଧ୍ୟେ ଅବା            ମୁଣ୍ଡ ଟେକିଛନ୍ତି

ବିକଟ ଭୀଷଣ ଗ୍ରାହ ।

 

କାହିଁ ସ୍ରୋତ ଛିନ୍ନ            କହିଁ ବା ସଂଯୁକ୍ତ

ସଜିତ କାହିଁ ତ୍ରିବେଣୀ,

କାହିଁ ପଞ୍ଚନଦ            କାହିଁ ଉପନଦୀ

କାହିଁ ଶାଖାନଦୀଶ୍ରେଣୀ ।

 

କାହିଁ ଅବା ଶିଳା-            ସଂରୁଦ୍ଧ ପ୍ରବାହ

ଅପ୍ରଶସ୍ତ ଛିଦ୍ର ଦେଇ,

ପ୍ରପାତ ଆକାରେ            ଝର୍ଝର ଆରବେ

ପଡ଼ୁଛି ତଳକୁ ଡ଼େଇଁ ।

 

ଜଳଦେବୀଙ୍କର            ସଦା ଲୋଳାୟିତ

ରଜତ ରସନା ପରି,

ବୁଲୁଥାନ୍ତି ଖେଳି            ଜଳେ ଇତସ୍ତତଃ

ଚଞ୍ଚଳେ ବହୁ ଶଫରୀ ।

 

ସୁନ୍ଦର ବର୍ତ୍ତୁଳ            ଚିକ୍କଣ କର୍କରା

ଯାଏ ସ୍ରୋତେ ଗଡ଼ି ଗଡ଼ି,

ଶାଳଗ୍ରାମକୁଳ            ରଚନ୍ତି କି ଜଳ-

କେଳି ହୋଇ ଜଡ଼ାଜଡ଼ି ।

 

ସ୍ରୋତ ଧାରେ ଧାରେ            ମାଡ଼ିଛି ଗହଳେ

ଧବଳ ଶୈବାଳ ଲଟା,

ଜରତୀ ତଟନୀ            ବିସ୍ତାରିଅଛି କି

ପକକେଶରଚୀ ଜଟା ।

 

ଇଜ୍ଜ୍ୱଳ, କରଞ୍ଜ,            ଉଡ଼ୁମ୍ୱର, ଜାମ,

ବକୁଳ, ହରିଡ଼ା, ବେଲ,

ଯଜାଙ୍ଗ ସଙ୍ଗତେ            ପାଣି କନିଅର

ହୋଇଛନ୍ତି ତହିଁ ମେଳ ।

 

ଶାଖେ ଶାଖେ ଛନ୍ଦି            ଗଣ୍ଡ ପରେ ଟାଣି-

ଅଛନ୍ତି ପତ୍ର-ଚାନ୍ଦୁଆ,

ନିର୍ଭୟରେ ତହିଁ            ରାବୁଥାନ୍ତି ବସି

ମଧ୍ୟାହ୍ନରେ ଶୁକ ଶୁଆ ।

 

ବକ, ମତ୍ସ୍ୟରଙ୍କ            ଆଦି ଖଗବର୍ଗ

ତହିଁରେ ଚିର ଅତିଥି,

ଡାହୁକ, ଟିଟ୍ଟିଭ            ଡ଼ମ୍ୱବାଉ, ପାରା,

ବିହରନ୍ତି ବୀଥି ବ୍ୟଥି ।

 

ଏକେ ତ ସ୍ୱଭାବ-            ଶୀତଳ ସେ ସ୍ଥାନ

ଦୁଯେ ତହିଁ ଗନ୍ଧବହ,

ବହେ ମନ୍ଦେ ମନ୍ଦେ            ଦୂର ବନସ୍ଫୁଟ

ଚମ୍ପା ପରିମଳ ସହ ।

 

ଅଗାଧ ଗଭୀର            ସେ ଗଣ୍ଡଦର୍ଶନେ

ଏ ଭାବ ହୁଏ ଭଦ୍ରେକ,

ଏହିପରି ସିନା            ଚନ୍ଦ୍ରଚୂଡ଼ାମଣି

ନୃପତି ବୁଦ୍ଧି ବିବେକ ।

 

ହେ ନୃପ ଅଗ୍ରଣି,            ଚନ୍ଦ୍ରଚୂଡ଼ାମଣି

ମହାଯଶା ସଦାଶୟ,

ଗଣ୍ଡଜଳ ସମ            ସ୍ୱଚ୍ଛ ସୁନିର୍ମଳ

ଶୀତଳ, ତବ ହୃଦୟ ।

 

ତବ ରାଜ୍ୟେ ଏହି            ମହାଦୃଶ୍ୟ, କ୍ଷୁଦ୍ରେ

କରିପାରେ ମହୀୟାନ,

ନ ହେବ ତୁମ୍ଭର            ହୃଦୟ ମହତ

କିପାଇଁ ହେ ମତିମାନ !

 

ଭାଗ୍ୟଦର ତୁମ୍ଭେ,            ପ୍ରକୃତି ତୁମ୍ଭଙ୍କୁ

କରିବା ପାଇଁ ଭବିନ ୧

ଦେଖାଉଛି ସିନା            ତବ ନେତ୍ରେ କୃତି

ଏ ଶୋଭା ନିତ୍ୟ ନବୀନ ।

୧- କବି, କାବ୍ୟକର୍ତ୍ତା ।

 

ଇଜ୍ଜ୍ୱଳ ସୁମନ            ଦୋଦୁଲ୍ୟ ସ୍ତବକ

ଗଣ୍ଡଜଳେ ପ୍ରତିଫଳି,

ସିନ୍ଧୁଗର୍ଭ ସ୍ଥିତ            ପ୍ରବାଳ ଲତିକା

ଶୋଭାକୁ ଦିଅଇ ଦଳି ।

 

ଅବା ସିନ୍ଧୁଗର୍ଭେ            ଗୁପତେ ବହୁଛି

ବାଡ଼ବ ଅନଳଧାରା,

ଅଥବା ଚହଟେ            ଘନ ଅନ୍ତରାଳୁ

ରଙ୍ଗ ଶମ୍ପା ଘନଦାରା ।

 

ନୀଳିମା ବର୍ଦ୍ଧନ            କରିଅଛି କାହିଁ

ହରୀତକୀ ପଡ଼ି ପୟେ,

ତାରକିତ      କାହିଁ            କରିଛନ୍ତି ଜଳେ

ଅରଣ୍ୟ କୁସୁମଚୟେ ।

 

କାହିଁ ଅବା ଜଳେ            ଭାସେ ଅଗଣିତ

କୁମ୍ଭାକୃତି କୁମ୍ଭୀଫଳ,

ଫଳାହାର ବ୍ରତୀ            ଅଜିନପତ୍ରର ୨

ଅଟେ ଯା ପ୍ରିୟ ସମ୍ୱଳ ।

୨- ବାଦୁଡ଼ି ।

 

ସ୍ୱଭାବ-ନିଃଶଙ୍କ            କରକଟରଙ୍କ

ଶବର ଜାତି ଶିଶୁଏ,

ଗଣ୍ଡ ଖୋଲେ ପଶି            ବିକ୍ରମ ପ୍ରକାଶି

ଚିପନ୍ତି ବସି କାଦୁଏ ।

 

ଶିକାର ଆଶରେ            ବୁଲୁଥାନ୍ତି ତହିଁ

ସ୍ଥାନେ ସ୍ଥାନେ ବନ୍ୟ ଜାତି,

ଧରି କରେ ରୌପ୍ୟ                  ସନ୍ନିଭ ଭାସୁର

ତୀକ୍ଷ୍ମ ପଶୁଘାତୀ କାତି ।

 

ବିଶୁଦ୍ଧ ଗନ୍ଧନା-            କାଷ୍ଠ ସଂଘର୍ଷଣେ ୩

ଉତ୍ପାଦି ଅଗ୍ନିକଣିକା,

ଟାଣି ନେଉଥାନ୍ତି            ବେଳେ ବେଳେ ତହିଁ

ସଂଯୋଗି ବିଶାଳ ପିକା ।

 

୩- ଏହା ଅଗ୍ୟାବଥୁ ବୃକ୍ଷ । ତୈଲଙ୍ଗୀୟମାନେ ଏହାର ଶାଗ ଭକ୍ଷଣ କରନ୍ତି । ଶୁଷ୍‌କ ଗନ୍ଧନା କାଷ୍ଠ ଘର୍ଷଣରେ ଅଗ୍ନି ଉତ୍ପାଦିତ ହେଉଥିବାର ଲେଖକଙ୍କର ପ୍ରତ୍ୟକ୍ଷୀଭୂତ ହୋଇଅଛି ।

 

ଚିର ଛାୟାଯୁକ୍ତ            ଭବ ମାୟାମୁକ୍ତ

ସେ ସ୍ଥାନ ବୈକୁଣ୍ଠୋପମ,

ନିଦାଘ ମଧ୍ୟାହ୍ନେ            ଦର୍ଶକର ତହିଁ

ଉପୁଜେ ପ୍ରଭାତ-ଭ୍ରମ ।

 

ଏଲଗଲ ଗିରି            ନିବାସୀ ଅନ୍ତ୍ୟଜ-

ଶବର କନ୍ଧ ଜାତିର,

ଶରୀରେ ସଞ୍ଚାରେ            ସେ ଗଣ୍ଡ ସଲିଳ

ବିଶୁଦ୍ଧଧାର ରୁଧିର ।

 

ବନ୍ୟ ଫଳମୂଳ            ଗଣ୍ଡ ଜଳ ବିନା

ଅରଣ୍ୟ ବର୍ବରଗଣେ,

ନ ଚିହ୍ନନ୍ତି କିଛି            ପୁଣି ରାଜା ଭିନ୍ନ

କାହାକୁ ମର ଭୁବନେ ।

 

ପର୍ବତ ଉପରେ            କରିଣ କର୍ଷଣ

କରନ୍ତି ବିବଧ ଚାଷ,

ପରିଶ୍ରମ ତାଙ୍କ            ଜୀବନର ବ୍ରତ

ପରିଶ୍ରମର ସେ ଦାସ ।

 

ମୋଟା ଭାତ, ମୋଟା            ଲୁଗାରେ ତାଙ୍କର

କଟିଯାଏ ସୁଖେ ଦିନ,

ନ ଧରନ୍ତି ଭ୍ରମେ            ବାହ୍ୟ ପରିପାଟୀ

ନବ୍ୟ ସଭ୍ୟତାର ଚିହ୍ନ ।

 

ସୁଖ ନାମେ ଯାହା            ଅଭିହିତ ତାହା

ଭୁଞ୍ଜନ୍ତି ସେହୁ ମହୀରେ,

ଦୁର୍ଲ୍ଲଭ ଯେ ସୁଖ            ରାଜହର୍ମ୍ୟେ ତାହା

ସୁଲଭ ତାଙ୍କ କୁଟୀରେ ।

 

ବର୍ଣ୍ଣିବି ରେ ଗଣ୍ଡ            କି ଭାଷାରେ ତୋତେ

ଖୋଜି ଖୋଜି ପାଉ ନାହିଁ,

ତୋ ଗୁଣ ବର୍ଣ୍ଣନା            ଉପଯୁକ୍ତ ଶବ୍ଦ

ମାତୃଭାଷାରେ ବା କାହିଁ ?

 

ନଗଣ୍ୟ ଲେଖନୀ-            କ୍ଷମତା ଆବର

ନ ଗଣ୍ୟ ନରକ୍ଷମତା,

ତୋ ମହିମା ସହ            ତୁଳନାରେ ତାଳ

ସହ ସେ ତିଳ ସର୍ବଥା ।

 

ତୋ ଦର୍ଶନେ ନୀଚ            ହୃଦୟହୀନର

ତୁଟଇ ମୋହ ଦୁରାଶା,

ତୁଟିଯାଏ ଯଥା            ପତନ ଆଘାତେ

ମୂଷଳୀ ମହାପିପାସା ୧ ।

 

୧- ଝିଟିପିଟି । ଏହାକୁ ତୃଷା କଲା ସମୟରେ ଏ ଉପରୁ ଖସିପଡ଼େ, ତାଦ୍ଦ୍ୱାରା ଏହାର ତୃଷା ଦୂର ହୁଏ ।

 

କି ବର୍ଣ୍ଣିବି ତୋର            ଗୁଣ, ସାରସ୍ୱତ

ରସନାକୁ ତାହା ବଳେ,

ତୋ ଦର୍ଶନ ମାତ୍ରେ            ନର ମମକାର ୨

ବୁଡ଼ିଯାଏ ତୋର ଜଳେ ।

୨-‘ମୋର ଧନ’, ‘ମୋର ପୁତ୍ର’ ଇତ୍ୟାଦି ଭାବି ।

 

ମହାତୀର୍ଥ ହୋଇ            ରହିଅଛୁ ଆସି

ନର-ନେତ୍ର ଅଗୋଚରେ,

କେ କହିବ ବିଧି            ବିହିଲା କିପାଇଁ

ଏ ଶାପ ତୋହ ଭାଗ୍ୟରେ ।

 

ତୋ ଗର୍ଭ ବିସ୍ତୃତ            ପ୍ରସ୍ତର ବିତାନ

ସଙ୍ଗତେ ରତ୍ନଖଚିତ-

ଦନ୍ତାବଳ ଦନ୍ତ            ଭଦ୍ରାସନ ନୁହେଁ

ସହସ୍ର ଅଂଶେ ତୁଳିତ ।

 

ପ୍ରସ୍ତର ନୁହେଁ ସେ            ସୁଖାମୃତମୟ

ଶାଶ୍ୱତ ଶାନ୍ତି ମଣ୍ଡପ,

ଶାନ୍ତିଦେବୀ ତହିଁ            ବସି ନିର୍ଜ୍ଜନରେ

ଆଚରନ୍ତି ତୀବ୍ର ତପ ।

 

ନୂଆଗଡ଼ ମଧ୍ୟେ            ଠାବେ ଠାବେ ସ୍ଥିତ

ଅଦ୍ୟାପି ଦେବମନ୍ଦିର,

କେହି ଭଗ୍ନୋନ୍ମୁଖ            କେହି ଅର୍ଦ୍ଧଭଗ୍ନ

କେ ଜରାଜୀର୍ଣ୍ଣ ସ୍ଥବିର ।

 

ମହାକାଳ ମୂକ-            ସାକ୍ଷୀ ପ୍ରାୟ ଠିଆ

ଜଗନ୍ନାଥ ଦେବାଳୟ;

କପାଟ ଦେହଳୀ            ଯାହାର ଅଦ୍ଭୁତ

ଚାରୁ କାରୁକଳାମୟ ।

 

ପ୍ରବେଶ ମାର୍ଗରେ            ଦ୍ୱାରଶୁଣୀ ଦେବୀ

ବସିଛନ୍ତି ଦ୍ୱାର ଜଗି,

ରଚିଛନ୍ତି ବଂଶ-            କୁମ୍ଭେ ତାଙ୍କ କୁଞ୍ଜ

ଦୃଢ଼େ ହୋଇ ଲଗାଲଗି ।

 

ଅଦୂରେ ତାହାର            ଛବିଳ ଦେଉଳେ

ନିବସନ୍ତି ବୃଦ୍ଧ ହର,

ବରାଭୟଦାତା            ଦୁଃଖି-ଦୁଃଖତ୍ରାତା

ପ୍ରଭୁ ଶ୍ରୀ ବାଲୁଙ୍କେଶ୍ୱର ।

 

ଭୂତପୂର୍ବ ରାଜ-            ନଅର ସମ୍ମୁଖେ-

ଜଗଦମ୍ୱାକ୍ରୁରାଶିଣୀ,

ବସନ୍ତି ଉଜ୍ଜ୍ୱଳି            ଦିଗ, ଦେବପ୍ରଭା

ପ୍ରତିମୂର୍ତ୍ତି ସ୍ୱରୂପିଣୀ ।

 

ନର-ନୟନର            ଅସହ୍ୟ ତାଙ୍କର

ବଦନ ଉଜ୍ଜ୍ୱଳ ପ୍ରଭା,

ତେଣୁ ପୃଷ୍ଠଭାଗେ            ପାଉଅଛି ପୂଜା

ଦେବୀଙ୍କ ମସ୍ତକ ଗଭା ।

 

ଦେବୀଙ୍କ ଚୌପାଶେ            କନିଅର କୁଞ୍ଜେ

ପ୍ରସ୍ଫୁଟିତ ପୁଷ୍ପେ ମଣ୍ଡି,

ଗୁଣୁ ଗୁଣୁ ସ୍ୱରେ            ଗୁଣନ୍ତି ଭ୍ରମରେ

ଦେବୀ ତୁଷ୍ଟି ପାଇଁ ଚଣ୍ଡୀ ।

 

ମସ୍ତକେ କଉଡ଼ି-            ଝାମ୍ପି ଦିଶେ ଯଥା

ମେଦୁର ମୁକ୍ତାକିରୀଟ,

ଦାଉ ଦାଉ ଦିଶେ            ଶ୍ରୀଅଙ୍ଗ-ପିହିତ

ସମୁଜ୍ଜ୍ୱଳ ନୀଳ ଛିଟ ।

 

ରାଜ୍ୟ ଅଧିଷ୍ଠାତ୍ରୀ            ସଦ୍ୟ ବରଦାତ୍ରୀ

ଅଟନ୍ତି ସେ ଦେବୀ ଯେଣୁ,

ତେଣୁ ତାଙ୍କଠାରେ            ଯାଚନ୍ତି ସତତ

ସକଳେ କରୁଣାରେଣୁ ।

 

କ୍ରୁରାଶିଣୀ ନାମ            ସ୍ମରଣ ମାତ୍ରକେ

ପଳାଏ ବିପଦ ଭୟ,

ଚନ୍ଦ୍ରବଂଶୀ ନୃପେ            ଅତେୟ, ଲଭିଣ

ତାଙ୍କ ବାହୁଚ୍ଛାୟାଶ୍ରୟ ।

 

ଅଶ୍ୱିନେ ତାଙ୍କର            ପୁଣ୍ୟ ପୀଠେ ବସେ

ମେଳା ପ୍ରତି ସମ୍ୱତ୍ସର,

ଦେଶ ଦେଶାନ୍ତରୁ            ରୁଣ୍ଡୀଭୂତ ଆସି

ହୁଅନ୍ତି ଯାତ୍ରିନିକର ।

 

ବହୁ ପଣ୍ୟପୂର୍ଣ୍ଣ            ବିପଣୀବୀଥିକା

ବସେ ଆସି ତହିଁ କେତେ,

ରାଜ୍ୟ ଅଭ୍ୟନ୍ତର            ବାଣିଜ୍ୟ ବାରତା

ଜଣାଇଦିଏ ସଙ୍କେତେ ।

 

ସିଂହଦ୍ୱାର, ଯହୁଁ            ଉଠୁଥିଲା ବନ୍ଦି-

ମୁଖ ବିନିଃସୃତ ଗୀତ,

ଏବେ ସେ ହେଉଛି            ବିଭାବରୀ ସାରା

ଶିବାରବେ ମୁଖରିତ ।

 

ଯେ ପ୍ରାଙ୍ଗଣ ପୂର୍ବେ            ସ୍ୱଚ୍ଛ ସୁନିର୍ମଳ

ଥିଲା କମଳା ଆବାସା,

କାଳବଶେ ଆହା            ମାଡ଼ିଅଛି ଏବେ

ଗହଳେ ତହିଁରେ ଘାସ ।

 

ଯହିଁ ଦ୍ୱାରଦେଶେ            ଝୁଲୁଥିଲା ସଦା

ହୀରା ନୀଳା ମୋତି ଝାଲି,

ବୃକ୍ଷୁଁ ବୃକ୍ଷାନ୍ତରେ            ଟାଣିଛନ୍ତି ତହିଁ

ଊର୍ଣ୍ଣନାଭ ତନ୍ତୁଜାଲି ।

 

ଥିଲା ନାହିଁ ଯହିଁ            ଅନ୍ଧାରର ତିଳେ

ପ୍ରବେଶର ଅଧିକାର,

ସେ ରାଜନଅର            ହୋଇଅଛି ଏବେ

ଅନ୍ଧାରମୟ କାନ୍ତାର ।

 

ଗଡ଼ ଚଉପାଶେ            ଗଭୀର ପରିଖା

ତ୍ରିଭାଗ ହୋଇ ପ୍ରୋଥିତ,

ଆରମ୍ଭିଛି ଏବେ            ନୀରବ ଭାଷାରେ

ଜୀବନ ଶେଷ ସଙ୍ଗୀତ ।

 

ପରିଖା ପ୍ରଚୀରେ            ନିବିଡ଼ ଦୁର୍ଭେଦ୍ୟ

ବିସ୍ତୃତ ଶାଳିମ୍ୱବନ,

ବିଭୀଷିକା ସଖୀ-            ଅମା ରଜନୀର

ଚିର-ପ୍ରିୟ-ନିକେତନ ।

 

ସେହି ବନଭୂମି            ସେହି ଗିରିନଦୀ

ପୂର୍ବ ପରି ଅଛି ସର୍ବ,

ମାତ୍ର ସେ ସ୍ଥାନର            ପୂର୍ବ ଗଉରବ

ହୋଇଛି ସମୂଳେ ଖର୍ବ ।

 

ନାହିଁ ସେ ଗୌରବ            ନାହିଁ ସେ ବିଭବ

ଅଛି ମାତ୍ର ନାମ ଖାଲି,

ନାଗରିକେ ବିକି            ଭାଙ୍ଗି ସେ ନାମକୁ

ଖାଉଛନ୍ତି ଆଜିକାଲି ।

 

ଲାଗିଛି ଉତ୍ଥାନ            ପତନର ଭବେ

ଚିର ଘୋର ସଂଘର୍ଷଣ,

ଆଜି ସେ ଉଠୁଛି            କାଲି ସେ ପଡ଼ୁଛି

ମାନି ଅଦୃଷ୍ଟ ଲିଖନ ।

 

ଏ ଭବେ ସକଳ            ଭଙ୍ଗୁର ଅନିତ୍ୟ

ଅନିତ୍ୟ ପୁଣି ଏ ଭବ,

ଅନିତ୍ୟତା ମଧ୍ୟେ            ନିତ୍ୟ ବସ୍ତୁ ସତ୍ତା

ନୁହଇ କି ଅସମ୍ଭବ ।

 

ଏହିପରି ଭବେ            କୋଟି ରାଜଧାନୀ

ଲଭି ନିଜ ଅଭ୍ୟୁଦୟ,

ଦୁଇ ଦିନେ ଜଳ-            ବୁଦ୍‌ବୁଦ ପରାୟେ

ଭଜୁଛି ପୁଣି ବିଲୟ ।

 

କେତେ ରାଜା କେତେ            ଭାଗ୍ୟଧର ଗଲେ

କାଳ-ତରଙ୍ଗରେ ଭାସି,

ଘର୍ଷଣ-ସଂଜାତ            ସ୍ଫୁଲିଙ୍ଗ ସମାନ

କ୍ଷଣେ ପ୍ରଭା ପରକାଶି ।

 

ଯେତେ ହେଉଅଛି            ତିରୋହିତ ପୁଣି

ହେଉଛି ତେତିକି ଜାତ,

ଏପରି ଲାଗିଛି            ଲାଗିଥିବ ଭବେ

ଚିରକାଳ ଯାତୟାତ ।

 

କାଙ୍ଗୁଦେଇ ଗିରି            କଟକୁ ବାହାରି

ଇନ୍ଦ୍ରପୂଜା ନାମେ ଝର,

ଗିରି ଉପକଣ୍ଠେ            ନଦୀରୂପେ ବହେ

ପ୍ରାବୃଟେ ହୋଇ ପ୍ରଖର ।

 

କ୍ରମେ କ୍ରମେ ସେହୁ                  ନିମ୍ନକୁ ଗଭୀର

ତିର୍ଯ୍ୟକ ସୁଡ଼ଙ୍ଗମତି,

ଦେଖି ପ୍ରତେ ହୁଏ            ପାତାଳେ ପ୍ରବେଶ

କରନ୍ତି କି ଭୋଗବତୀ ।୧।

୧ - ପାତାଳ ଗଙ୍ଗା ।

ନିଦାଘେ ସେଠାରେ            ଇନ୍ଦ୍ରପୂଜା କଲେ

ଝରି ଆସୁଥିଲା ଜଳ,

ମାତ୍ର ସେ ଘଟନା            ରହିଛି ଏକାଳେ

କିମ୍ବଦନ୍ତୀରେ କେବଳ ।

 

କିୟଦୂରେ ତାର            ଯନ୍ତ୍ରଗଡ଼ ନାମେ

ଅତି ରମଣୀୟ ସ୍ଥାନ,

ତରୁଲତା ଗୁଳ୍ମ            ଗହଳେ ଦିଶଇ

ଦୂରରୁ ଶ୍ୟାମାୟମାନ ।

 

ପୁରାକାଳେ ତହିଁ            ଯମର ମନ୍ତ୍ରଣା

ହେଉଥିଲା ସଂଗୋପନେ,

ଅହର୍ନିଶ ଏବେ            ପକ୍ଷୀଙ୍କ ମନ୍ତ୍ରଣା

ଲାଗିଅଛି ସେ ବିଜନେ ।

 

ଗଡ଼ ନିଦର୍ଶନ            ନାହିଁ କିଛି ମାତ୍ର

କେବଳ ବନ ବିଶାଳ,

କହୁକାଳୁଁ ତାର            ଅସ୍ଥି, ମାଂସ, ମଜ୍ଜା

ଗର୍ଭସ୍ଥ କରିଛି କାଳ ।

 

ଗଡ଼ ଡ଼ିହ ପରେ            ଦୀର୍ଘ ତରୁଭରେ

ଅଟଳେ ଦଣ୍ଡାୟମାନ,

କଳୁଛନ୍ତି କସି ସେ            ପାଶ୍ୱବର୍ତ୍ତୀ ଗିରି

ଉଚ୍ଚତାର ପରିମାଣ ?

 

ପୁଷ୍ପରୂପ ବୀର-            ବଉଳି ଶ୍ରବଣେ

ପିନ୍ଧିଣ କେଳିକଦମ୍ବ,

ବରବେଶ ଧରି            ହୋଇଅଛି ଉଭା

ପ୍ରକାଶି ମାନସେ ଦମ୍ଭ ।

 

କାହିଁ ବା ସୁନାରି            ଅଳଙ୍କାର ଭାରେ

ନିମ୍ନକୁ ପଡ଼ିଛି ଝୁଲି,

ଦୋହଲୁଛି ପୃଷ୍ଠେ            ଫୁଲଥୋପାରୂପୀ

ପୀତ ପାଟ ଝୁମ୍ପାଫୁଲି ।

 

ନିପୁତ୍ର ପୁଷ୍ପିତ            ପଳାଶ ଲତିକା

ମାଡ଼ିଅଛି ଶାଖାପରେ,

ପିନ୍ଧିଛି କି ଆହା            ସୁନାରି-ସୁନ୍ଦରୀ

ହିଙ୍ଗୁଳିତ ଶଙ୍ଖା କରେ ।

 

କାହିଁ ବା ବିଶୁଷ୍କ            କୀଚକ ରନ୍ଧ୍ରରେ

ପ୍ରବେଶି ଧୀର ପବନ,

ଉଠାଏ ସଗନେ            ମହା ନିକାଞ୍ଚନେ

ଶତ ଶତ ବଂଶୀସ୍ୱନ ।

 

ବଂଶବନେ ଥାଇ            ଶ୍ରୁତିକଟୁ ସ୍ୱରେ

ରଟୁଥାନ୍ତି କୁଣ୍ଡାଖାଇ ୨

ତୈଳ ଅଭାବରେ            କେଏଁ କେଏଁ ସ୍ୱରେ

ରଟେ ଯଥା କପାଖାଇ ୩ ।

 

୨ - ପକ୍ଷୀ ବିଶେଷ ।

୩ - କପାରୁ ମଞ୍ଜା ଭିନ୍ନ କରିବାର ଯନ୍ତ୍ର ।

 

କାହିଁ ବା ପଥିକ-            ବନ୍ଧୁ ଚାରକୋଳି

କାହିଁ ବା କଷାଇ କୋଳି,

ତୃଷାର୍ତ୍ତ ପଥିକେ            ଅପେକ୍ଷା କରନ୍ତି

ଡାଳେ ବସି ଧୀରେ ଦୋଳି ।

 

ଗଡ଼ ଚଉପାଶେ            ବେଢ଼ିଛି ସଜଳ

ସଂକୀର୍ଣ୍ଣ ଗଭୀର ଖାଇ,

ଟାଙ୍କୁରି ଉଠଇ            ଭୟେ ଲୋମାବଳି

ଦେଲେ ତା’ ତଳକୁ ଚାହିଁ ।

 

ବହିପାର୍ଶ୍ୱ ତାର            ଆବୃତ, ବିସ୍ତୃତ-

ନୀରନ୍ଧ୍ର କୀଚକବନେ,

ପଶିଲେ ସେ ବନେ            ବାହୁଡ଼ିବା ଆଶା

ସ୍ଥାନ ପାଏ ନାହିଁ ମନେ ।

 

ମାନବ-ଅଗମ୍ୟ-            ସ୍ଥଳ ଜାଣି ତାକୁ

ଗଧିଆ କୁଟୁରା ତହିଁ,

ବଂଶାନୁକ୍ରମରେ            ସକୁଟୁମ୍ବେ ସର୍ବେ

ନିର୍ଭୟେ ଅଛନ୍ତି ରହି ।

 

ଦିଶଇ ସେଠାକୁ            ଜରାସନ୍ଧ ଗିରି-

ଆସୁରିକ ରୁଦ୍ରକାୟା,

ଦୂରରୁ ଆଭାସେ            ଯଥା ମୂର୍ତ୍ତିମତୀ

ବିଭୀଷିକା ପ୍ରତିଚ୍ଛାୟା ।

 

ବେନି ଫାଳେ ଚିରି            ଯୋଡ଼ିଦେଲା ପ୍ରାୟ

ହେବାରୁ ସେ ସାନୁମାନ,

ଧରିଅଛି ତେଣୁ            ସୁଦୂର ଅତୀତୁଁ

ଜରାସନ୍ଧ ଅଭିଧାନ ।

 

ରାଇଗଡ଼ ପୁଣି            ବୋଡ଼ାଗଡ଼ ଆଦି

ସଦୃଶ୍ୟ ଦୁର୍ଗ ଅନେକ,

ସୁରଙ୍ଗୀ ରାଜ୍ୟର            ସ୍ଥାନେ ସ୍ଥାନେ ରହି

ବଢ଼ାଇଥିଲା ତା’ ଟେକ ।

 

ମାତ୍ର କାଳଚକ୍ର            ସମ୍ମୁଖେ ଟେକିବ

କିଏ କେତେ କାଳ ମଥା,

ଲଭିଛନ୍ତି ଏବେ            ସେ ସକଳ ପୂର୍ବ-

ବର୍ଣ୍ଣିତ ଦୁର୍ଗ ଅବସ୍ଥା ।

 

ପଞ୍ଚମ ସର୍ଗ

-ରାମକେରୀ-

 

ଅକଳିତ ସିନ୍ଧୁ ସମାନ

ମର୍ତ୍ତ୍ୟେ ଯେ ଚନ୍ଦ୍ରବଂଶ,

ଚନ୍ଦ୍ର ପ୍ରାୟ ଅଛି ବିସ୍ତାର

ସଦା ବିମଳ ଯଶ;

 

ଗୋକୁଳ-ଗଗନ-ଚନ୍ଦ୍ରମା

କୃଷ୍ଣ ଯେଉଁ ବଂଶରେ

ଅବତରି ନର ରୂପରେ

କ୍ରୀଡ଼ା କଲେ ଦ୍ୱାପରେ,

 

ସୁରଙ୍ଗୀ ରାଜନ୍ୟମଣ୍ଡଳୀ

ସେହି ବଂଶେ ଜନିତ,

ରାଜବଂଶାବଳୀ ଏଠାରୁ

ହେବ ସ୍ଥୂଳେ ବର୍ଣ୍ଣିତ ।

 

ପୁରାଣ ଉକ୍ତି ଏ, କଲେକ

ବୁଧ ବିଧୁ-ନନ୍ଦନ,

ବୈବସ୍ୱତ ମନୁ-ତନଜା-

ଇଚ୍ଛା ପାଣିଗ୍ରହଣ ।

 

ପୁରୁରବା ନାମେ ବିଖ୍ୟାତ

ବୁଧଙ୍କର କୁମାର,

ଅଷ୍ଟାଦଶ ଦ୍ୱୀପେ କଲେ ସେ

ଅଧିକାର ବିସ୍ତାର ।

 

ଅପ୍ସରା-ଆଳକ-ତାରକା

ରମ୍ଭା-ଉରୁ ଉର୍ବଶୀ,

ଥିଲେ ତାହାଙ୍କର ସୁହାଗୀ

ଅଙ୍କ-ଲକ୍ଷ୍ମୀ ପ୍ରେୟସୀ ।

 

ତାଙ୍କ ସୁତ ଆୟୁ, ନହୁଷ

ଆୟୁଙ୍କର ନନ୍ଦନ,

ଲଭିଥିଲେ ପୁଣ୍ୟବଳେ ସେ

ସ୍ୱର୍ଗେ ଇନ୍ଦ୍ର ଆସନ ।

 

ନହୁଷ ଅଙ୍ଗଜ ଯଯାତି

ଯଦୁ ତାଙ୍କ କୁମର,

ହେଲା ତାଙ୍କଠାରୁ ଉତ୍ପତ୍ତି

ଯଦୁ ମହାବଂଶର ।

 

ଯଦୁଙ୍କ ତୃତୀୟ ତନୟ

ତ୍ରୋଷ୍ଟା ବୀର ହୃଦୟ,

ପୁଣ୍ୟଶ୍ଲୋକ ବିଜ୍ଞପ୍ରବର

କୃପା-ବରୁଣାଳୟ ।

 

ଭୁଭାର ହରଣ ମାନସେ

ଜନ୍ମି ସେ ତ୍ରୋଷ୍ଟାବଂଶେ,

ଉଦ୍ଧାରିଲେ ଦେବେ, ଦେବେଶ

ହେଳେ ବିନାଶି କଂସେ ।

 

କୋପେ ତହୁଁ କଂସ ଶ୍ୱଶୁର

ଜରାସନ୍ଧ ମତ୍ସରୀ,

ଆକ୍ରମିଲା ଆସି ଅଠର-

ଥର ମଧୁ ନଗରୀ ୧ ।

 

୧ - ମଥୁରାପୁରୀ ।

 

ଆକ୍ରମଣ ଚାର ବିଫଳ

କରି ଜଗତସାଇଁ,

ରତ୍ନାବର ମଧ୍ୟେ ରବିଲେ

ଦିବ୍ୟ ପୁରେକ ଯାଇ ।

 

ଦ୍ୱାରାବତୀ ନାମେ ଲଭିଲା

ସେହି ନଗରୀ ଖ୍ୟାତି,

ସଙ୍ଗେ ଘେନି କୃଷ୍ଣ ରହିଲେ

ତହିଁ କୁଟୁମ୍ବ ଜ୍ଞାତି ।

 

ଭୁଭାର ଉଶ୍ୱାସି ଗୋବିନ୍ଦ

ସଙ୍ଗେ ଘେନିଣ ରାମେ,

ଯଥାକାଳେ ଗଲେ ବାହୁଡ଼ି

ସ୍ୱୀୟ ଶାଶୁକ ଧାମେ ।

 

ସେକାଳେ ଶ୍ରୀବିଷ୍ଣୁ ଭବନ

ଭିନ୍ନ ସର୍ବ ଦ୍ୱାରିକା,

ବିପ୍ଲାବିତ କଲା ଅର୍ଣ୍ଣବ

ତୋଳି ବୀଚିମାଳିକା ।

 

ଶତ୍ରୁ-ଶୈଳ-ବଜ୍ର ପ୍ରଦ୍ୟୁମ୍ନ

ପୌତ୍ର ଶ୍ରୀ ବଜ୍ରନାଭ ୨,

ଅନ୍ୟତ୍ର ରହିଲେ ଯାଦବେ-

ଘେନି ତେଜି ସେ ଠାବ ।

 

୨ - ବଜ୍ର ଶ୍ରୀକୃଷ୍ଣଙ୍କର ପ୍ରପୌତ୍ର ଅଟନ୍ତି ।

 

ସେମାନଙ୍କ ବଂଶ ବିଭକ୍ତ

ହୋଇ ହେଲା ତ୍ରିବିଧ

କାଠ, ସିନି ସିନି ନାମେ ସେ

ତହୁଁ ହେଲେ ପ୍ରସିଦ୍ଧ

 

ସୁରାସୂର ଜୟୀ ଦୁଦ୍ଧର୍ଷ

ସେହି ଯାଦବ ଶୂରେ,

ଅଧିକାର ସ୍ଥାପି ରହିଲେ

ପୁଣି ମଥୁରାପୁରେ ।

 

ସାଦୀ ସେନା ବେନି ଅୟୁତ

କରି ସେ ଆୟୋଜନ,

ଆକ୍ରମି ହସ୍ତିନା ଯବନ-

ଦୁର୍ଗ କଲେ ଲୁଣ୍ଠନ ।

 

ଯଦୁ-ବାହିନୀର ଚାଳକ

ହେଲେ ଦାଲମ ସିଂହ,

ରଣେ ଅପ୍ରଧୁଷ୍ୟ ସତତ

ଅରି-କରୀନ୍ଦ୍ର-ସିଂହ ।

 

ପ୍ରକାଶି ଅତୁଳ ବୀରତ୍ୱ

କରି ଶତ୍ରୁ ସଂହାର,

କଲେ ସେ କୁମ୍ଭେର ପ୍ରଭୁତ

ମ୍ଲେଚ୍ଛ ଦୁର୍ଗାଧିକାର ।

 

ହେଲେ ସେ ଦାଲମ ସିଂହଙ୍କ

ତିନି କୁମାର ଜାତ,

ପ୍ରଥମ ଦୌଲତ, ଦ୍ୱିତୀୟ

ମୋହରମ ଆଖ୍ୟାତ ।

 

ତୃତୀୟ ବିଦୀନ, ତିନିହେଁ

ଧନୁର୍ବେଦ କୁଶଳ,

ହରୁଥିଲେ ଦୃଷ୍ଟି ମାତ୍ରେ ସେ

ବୈରି-ଶରୀରୁ ବଳ ।

 

ଦୌଲତ ସିଂହଙ୍କ ଆତ୍ମଜ

ମହାମୋହନ ସିଂହ,

ଯାଙ୍କ ଯଶୋଗାନେ ବନ୍ଦୀଏ

ହେଲେ ସହସ୍ରଜିହ୍ୱ ।

 

ଶମ୍ଭୂ ଫତେ ନାମେ ଯୁଗଳ

ପୁତ୍ର ହେଲେ ତାଙ୍କର,

ଚାନ୍ଦସିଂହ ନାମ ବହିଲେ

ଫତେସିଂହ କୁମର ।

 

ଚାନ୍ଦଙ୍କର ବହୁ ସନ୍ତାନ

ହେଲେ ବାଲ୍ୟେ ନିଧନ,

ତହୁଁ ଚାନ୍ଦସିଂହ ନୈରାଶ୍ୟେ

କଲେ ସତ୍ୟ ଏସନ-

 

ଏଥର ଜନ୍ମିଲେ କୁମର

ଦେବି ବୈଷ୍ଣବ କରି,

ମହାଦୁଃଖ ଚିତ୍ତେ ରହିଲେ

ଦୃଢ଼ ବ୍ରତ ଆଚରି ।

 

କେତେ କାଳେ ଜାତ କୁମର

ଜ୍ୟେଷ୍ଠ ସନନ୍ଦଲାଲ,

ଦ୍ୱିତୀୟ ଧୋହାଲ, ତୃତୀୟ

ନାମ ହେଲା ନିହାର ।

 

ଏଥୁଅନ୍ତେ ଜ୍ୟେଷ୍ଠ କୁମରେ

କରିବାକୁ ସନ୍ନ୍ୟାସୀ,

ପୂର୍ବକୃତ ସତ୍ୟ ସୁମରି

ଚାନ୍ଦ ହେଲେ ପ୍ରୟାସୀ ।

 

ମାତ୍ର ଦିନେ ତାଙ୍କ ଅର୍ଦ୍ଧାଙ୍ଗୀ

ତାଙ୍କ ଅଜ୍ଞାତସାରେ,

କରିଥିଲେ ଏହି ଶପଥ

ନିଜ ଭାଉଜଠାରେ ।

 

ତୁମ୍ଭ କୁମାରୀକି ମୋ ସୂତ

ସହ ଦେବା ବିବାହ,

ମନେ ରଖ କାଳେ

ଏ ଉତ୍ସବ ନିର୍ବାହ ।

 

ପୁତ୍ରକୁ ବୈରାଗ୍ୟେ ଦୀକ୍ଷିତ

କରାଇବା ସମୟେ,

ଚାନ୍ଦପତ୍ନୀ ଚାନ୍ଦେ ଭାଷିଲେ

ସ୍ୱ ଶପଥ ବିନୟେ ।

 

ପତିଙ୍କୁ ମଣାଇ ବିବାହ

ଦେଲେ ଶପଥମତେ,

ସ୍ୱପୁତ୍ର ସନନ୍ଦଲାଲଙ୍କୁ

ମାତୁଳେୟା ସଙ୍ଗତେ ।

 

ଅନନ୍ତର ଚାନ୍ଦ ପାଳିବା-

ପାଇଁ ସ୍ୱକୀୟ ପଣ,

ପୁତ୍ର, ପୁତ୍ରବଧୂ ସାଗର-

ଦାସେ * କଲେ ଅର୍ପଣ ।

 

*ସାଗରଦାସ ନାମକ ବୈଷ୍ଣବଧର୍ମାବଲମ୍ବୀ ଜନୈକ ବ୍ରାହ୍ମଣ ।

 

ସନନ୍ଦଲାଲ ସପତ୍ନୀକ

ହୋଇ ମନ୍ତ୍ରେ ଦୀକ୍ଷିତ,

ଚତୁର୍ଦ୍ଧାମାଟନେ ବାହାର

ହେଲେ ବଳାଇ ଚିତ୍ତ ।

 

ତୀର୍ଥାଟନ ଅନ୍ତେ ବାହୁଡ଼ି

କିଛି କାଳେ ଉଭୟେ,

କ୍ଷେପିଲେ ସମୟ ରହିଣ

କାଶୀରାଜ ନଳୟେ ।

 

ସନନ୍ଦଲାଲଙ୍କ ଶ୍ୱଶୁର

ବାରାଣସୀ ନୃପତି,

କନ୍ୟା ଜାମାତାଙ୍କୁ ଲଭି ସେ

ହେଲେ ପ୍ରହୁଷ୍ଟମତି ।

 

ଲଭିଲେ ସନନ୍ଦଲାଲଙ୍କ

ଔରସାରେ ଜନମ,

ଉଦା ବୁଦେ ନାମେ ଲକ୍ଷଣ-

ବନ୍ତ ପୁତ୍ର ଉତ୍ତମ ।

 

ଧୋହାଲ, ନିହାର ରହିଲେ

ଯାଇ ଭରତପୁରେ,

ବାହୁବଳେ ରାଜ୍ୟ ବିସ୍ତାର

କରି ଉଭୟ ଶୂରେ ।

 

ତେଜିଲେ ଶରୀର ସନନ୍ଦ-

ଲାଲ ଯଥାସମୟେ,

ଉଦେ ବୁଦେ ବେନି ରହିଲେ

ଦୁଃଖେ ମାତୁଳାଳୟେ ।

 

କାଶୀଶ୍ମର ବିଶ୍ୱନାଥଙ୍କୁ

ପୂଜି ତନ୍ମୟଚିତ୍ତେ,

ଯାପିଲେ ସମୟ ବେନି-

ଶିଶୁମାତା ସହିତେ ।

 

ତାହାଙ୍କ ସେବାରେ ସନ୍ତୁଷ୍ଟ

ହୋଇ ଶ୍ରୀବ୍ୟୋମକେଶ,

କେତେ ଦିନ ପରେ ସ୍ୱପନେ

ଦେଲେ ଏ ଶୁଭାଦେଶ-

 

‘‘ବସ୍ତ୍ର ଉଦେ ବୁଦେ ସେବାରେ

ତବ ହେଲି ମୁଁ ପ୍ରୀତ,

ମୋ ବରେ ଲଭିବ ଉଭୟେ

ରାଜ୍ୟ ଶିରୀ ନିଶ୍ଚିତ ।

 

ଯାମ୍ୟଦିଗେ ସ୍ଥିତ ସୁରଙ୍ଗୀ

ନାମେ ବିସ୍ତୃତ ରାଜ୍ୟ,

କ୍ରୂରାଶିନୀ ରୂପେ କରନ୍ତି

ଦୁର୍ଗା ତହିଁ ବିରାଜ ।

 

ଶୃଙ୍ଗୀନାମେ ୠଷି ତପସ୍ୟା

ସାଧୁଥିଲେ ପୂର୍ବରେ,

ସେହୁତୁ ସେ ରମ୍ୟ ନଗରୀ

ନାମ ସୁରଙ୍ଗୀ ଧରେ ।

 

ଅଦାୟାଦ * ରାଜା ତହିଁର

ହୋଇଛନ୍ତି ଗତାସୁ,

ରାଜା ହୁଅ ତୁମ୍ଭେ ବେନିଏ

ଯାଇ ସେ ରାଜ୍ୟେ ଆଶୁ ।

* ଉତ୍ତରାଧିକାରୀଶୂନ୍ୟ

 

ମୁଁ ସୁଦ୍ଧା ଗୋପନେ ଗମିବି

ବାବୁ ତୁମ୍ଭ ସଙ୍ଗତେ,

ନିର୍ମାଣି ଦେଉଳ ସ୍ଥାପିବ

ମୋତେ ବିଧାନମତେ ।’’

 

ଏ ବଡ଼ ଅଦ୍ଭୁତ ଦେଖିଲେ

ଦୁହେଁ ଏକା ସ୍ୱପନ,

ତନୁଭେଦେ ଭିନ୍ନ ବେନିଏ

ମାତ୍ର ଏକଜୀବନ ।

 

 

ନିଦ୍ରାଭଙ୍ଗେ ବେନି ସୋଦରେ

ମୋଦେ ଭାବ-ଗଦ୍ଗଦେ,

ନମିଲେ ଉଦ୍ଦେଶ୍ୟେ ଆରାଧ୍ୟ

ବିଶ୍ୱନାଥ ଶ୍ରୀପଦେ ।

 

ଶିରେ ଧରି ଦେବ ଆଦେଶ

ଯାତ୍ରା କଲେ ସେ ସୁଖେ,

ଏକ ଦାସନାମା ବ୍ରାହ୍ମଣ

ସହ ଦକ୍ଷିଣ ମୁଖେ ।

 

କିଛି ଦୂରେ ତରୁତଳରେ

ବସି ଅବଶ ଅଙ୍ଗେ,

ଶ୍ରମ ମେଣ୍ଟାଇଲେ ଅନ୍ୟୋଽନ୍ୟ

ବହୁ କଥାପ୍ରସଙ୍ଗେ ।

 

ଭାଷିଲେ ଅନୁଜେ ଶ୍ରୀଉଦେ

‘‘ଶୁଣ ଶୁଣ ରେ ଭାଇ,

ପ୍ରଲୋଭନେ ପଡ଼ି ହେଲେ ତ

ଆମ୍ଭେ ବିଷୟେ ବାଇ ।

 

ସୌଭାଗ୍ୟଦାତା ଯେ ଆମ୍ଭର

ତାଙ୍କୁ ଛାଡି କିପରି,

ରହିବା ସୁଦୂର ପ୍ରବାସେ

ଭାଇ ଜୀବନ ଧରି ।

 

ଚାଲ ଫେରିଯିବା ଏଠାରୁ

ନାହିଁ ରାଜତ୍ୱ ଲୋଡ଼ା,

ବଳୁ ନାହିଁ ମନ, ସଂସାର-

ଦାବେ ହେବାକୁ ପୋଡ଼ା ।’’

 

ଫେରିଯାଇ ତହୁଁ ବେନିଏ

ବିଶ୍ୱନାଥ ଚରଣେ,

ଜଣାଇଲେ ବରସଂଯୋଗେ

ଭକ୍ତିଯୁକ୍ତ ବଚନେ-

 

‘‘ଭୋ ପ୍ରଭୁ ସେବକବତ୍ସକ,

ଦେବ କେଉଁ ଦୋଷରେ,

କରୁଛ ବର୍ଜ୍ନନ ଚରଣ-

ତଳୁ କିଣା-କିଙ୍କରେ ।

 

‘‘ରାଜପଦ’’ ଠାରୁ ତୁମ୍ଭର

‘‘ପଦ-ସେବକ ପଦ’’

କୋଟି ଗୁଣେ ବଳି ଅଟଇ

ସିନା ଗୌରବାସ୍ପଦ ।

 

ସେ ପଦ ଉପେକ୍ଷି ଅପରେ

ନାହିଁ ମୋ ପ୍ରୟୋଜନ,

ପିଠା ତେଜି କେହି କରେ କି

କେବେ ଇଟା ଭୋଜନ ?’’

 

ସେ ରାତ୍ରେ ଶଙ୍କର ଧରିଣ

ବୃଦ୍ଧ ବ୍ରାହ୍ମଣବେଶ,

ଭାବି ସୂରଙ୍ଗୀଶ ଉଦେଙ୍କୁ

ପୁଣି କଲେ ଆଦେଶ-

 

‘‘କାଲି ପ୍ରଭାତେ ତୁ ଗଙ୍ଗରେ

ବୁଡି ପାଇବୁ ଯାହା,

ମୋର ପ୍ରତିରୂପ ବୋଲିଣ

ନିଶ୍ଚେ ମଣିବୁ ତାହା ।

 

ସଙ୍ଗରେ ତାହାକୁ ଘେନିଣ

କରି ନିର୍ଭୟେ ଗତି,

ଜାଣିବୁ ନିଶ୍ଚୟ ଅଛି ମୁଁ

ସଦା ତୋହର କତି ।’’

 

ଦେବାଦେଶମତେ ପ୍ରଭାତେ

ଉଦେ ବୁଡ଼ି ଗଙ୍ଗାରେ,

ପାଇଲେ ଖଣ୍ଡିଏ ଇଷ୍ଟକ

ଚତୁଷ୍‌କୋଣ ଆକାରେ ।

 

ବିଶ୍ୱନାଥ ମଣି ତାହାକୁ

ଘେନି ଦକ୍ଷିଣ ପଥେ,

ଶୁଭଯାତ୍ରା କଲେ ହରଷେ

ଭାତୃ ବିପ୍ର ସଙ୍ଗତେ ।

 

ଆଗେ ବିପ୍ର, ପଛେ ଚାଲିଲେ

ଉଭେ ବୈଷ୍ଣବ ବେଶେ,

କେତେ ଦିନେ ଆସି ପ୍ରବିଷ୍ଟ

ହେଲେ ମଗଧ ଦେଶେ ।

 

ପାର ହୋଇ ଶୋଣ ସରିତ

ଆସି ଗୟାଭିମୁଖେ,

କଲେ ତହିଁ ଫୁଲ ସଲିଳେ

ସ୍ନାନ ତର୍ପଣ ସୁଖେ ।

 

ତହୁଁ ଆସି ଲଙ୍ଘି ପଥରେ

ବହୁ ବନ କାନ୍ତାର

ପୁତ ଦାମୋଦରେ ୧ ତରଣୀ

ଯୋଗେ ହେଲେକ ପାର ।

 

୧ - ଦାମୋଦର ନଦୀ ।

 

କପିସା ୨ ଉତୁରି ଛୁଇଁଲେ

ଆସି ଉତ୍କଳ ସୀମା,

ଶୁଣିଥିଲେ ପୂର୍ବେ ପୁରାଣେ

ଯେଉଁ ଦେଶ ମହିମା ।

 

୨ - ସୁବର୍ଣ୍ଣରେଖା ନଦୀ ।

 

କାଂସ୍ୟଶିଳ୍ପୀ ଶାଣେ ମୁଖର

ରମ୍ୟ ରେମୁଣାଗ୍ରାମେ ୩

ଗୋପୀନାଥ ଦେବେ ଦର୍ଶନ

କରି ଗମିଲେ ଯାମ୍ୟେ ।

 

୩ - ରେମୁଣା ଗ୍ରାମରେ କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ଅଛି ।

 

ସିତ-ପୁତଜଳା ବଳାଙ୍ଗୀ

ଲଙ୍ଘି ତଦନ୍ତେ ଯାଇ,

କାଂଶବାଂଶ କୁଳେ ଦେଖିଲେ

ସୋରେ ଦେବୀ ଖେଳାଇ ୪ ।

 

୪ - ସୋର ନାମକ ଗ୍ରାମ ବାଲେଶ୍ୱର ଜିଲାର ଅନ୍ତର୍ଗତ ।

ସେଠାରେ ଖେଳାଇ ଦେବୀଙ୍କର ମନ୍ଦିର ଅଛି ।

 

ଭାବେ ଭଦ୍ରକାଳୀ ୫ ଚରଣେ

ନମି ସାଳନ୍ଦୀ ତୀରେ,

ଚାଲିଲେ ଯାତ୍ରିକେ ପ୍ରହୃଷ୍ଟ-

ଚିତ୍ତେ ଖର ଗତିରେ ।

 

୫ - ଭଦ୍ରଖର ଅଧିଷ୍ଟାତ୍ରୀ ଦେବୀ ।

 

ନାଭିଗୟା କ୍ଷେତ୍ରେ ୬ ଏ ଅନ୍ତେ

ପୂଜି ବିରଜା ଦେବୀ,

ସ୍ନାନି ବୈତରଣୀ ସୁତୀର୍ଥେ

ଦେବ ବରାହେ ସେବି ।

 

୬ - ଯାଜପୁର ।

 

ପତିତପାବନୀ ବ୍ରାହ୍ମଣୀ

ପରେ ଚିତ୍ର-ଉତ୍ପଳା,

ଉତ୍କଳ-ଜାହ୍ନବୀ, ଉତ୍କଳ-

ଚାରୁ କଟି-ମେଖଳା ।

 

କ୍ରମେ ପାର ହୋଇ ବନ୍ଦିଲେ

ଯାଇ କଟକଚଣ୍ଡୀ,

ସରୁ କାରୁ ସ୍ୱର୍ଣ୍ଣଫୁଲେ ଯେ

ଥାନ୍ତି କବରୀ ମଣ୍ଡି ।

 

ତହୁଁ ଯାଇ ପାନ୍ଥେ ଭେଟିଲେ

ପଥେ ଏକାମ୍ରବନେ ୧

ଗୌରୀ ସଙ୍ଗେ ତହିଁ ଦର୍ଶନ

କଲେ ବୃଷଭାସନେ ।

 

୧ - ଭୁବନେଶ୍ୱର କ୍ଷେତ୍ର ।

 

ନାରିକେଳ ତାଳ ପୁନ୍ନାଗ-

ଶ୍ୟାମ ସାକ୍ଷିଗୋପାଳ,

ଗୋପାଳ-ଚରଣ-ରେଣୁରେ

ଚିତା କାଟି କପାଳେ,

 

ମିଳିଲେ ତଦନ୍ତେ ଶ୍ରୀକ୍ଷେତ୍ର

ମର୍ତ୍ତ୍ୟ ବୈକୁଣ୍ଠ ପୁରେ,

ବିହିଲେ ସାଷ୍ଟାଙ୍ଗେ ପ୍ରଣାମ

ଦାରୁବ୍ରହ୍ମା ଠାକୁରେ ।

 

ପ୍ରଭୁଙ୍କ ଆରତି, ସିଂହାର-

ବେଶ କରି ଦର୍ଶନ,

ମଣିଲେ ସାର୍ଥକ ସକଳେ

ସ୍ୱୀୟ ଚର୍ମନୟନ ।

 

ସାଦରେ ସେବିଣ ପ୍ରଭୁଙ୍କ

ପୁତ ମହାପ୍ରସାଦ,

ଖଣ୍ଡିଲେ ମାନସୁଁ ଅଜ୍ଞାନ

ପାପ ତାପ ପ୍ରମାଦ ।

 

ମାର୍କଣ୍ଡେୟ ଇନ୍ଦ୍ରଦ୍ୟୁମ୍ନାଦି

ପଞ୍ଚ ସୂତୀର୍ଥ ସେବି,

 

କଲେ ଅଷ୍ଟ ଶମ୍ଭୂ ଦର୍ଶନ

ଅଷ୍ଟ ଶାକତି ଦେବୀ ।

 

ପତିତପାବନ, ପାବନି ୨

କୃଷ୍ଣ, ସୂର୍ଯ୍ୟ, ମାଧବ,

ଅନନ୍ତ, ନୃସିଂହ, ଗଣେଶ,

ଉମା, ଉମାବଲ୍ଲଭ ।

 

୨ - ହନୁମାନ ।

 

ଲକ୍ଷ୍ମୀ, ସରସ୍ୱତୀ, ବରାହ

କଳ୍ପଭଟ, ବାମନ,

ବହୁ ଦେବଦେବୀ କଲେ ସେ

ନୀଳାଚଳେ ଦର୍ଶନ ।

 

ମଠ ଦେବାଳୟେ ଦେଖିଲେ

ନାନା ଶିଳ୍ପଚାତୁରୀ,

ତଦନ୍ତେ ଦକ୍ଷିଣେ ଗମିଲେ

ତେଜି ନୀଳାଦ୍ରି ପୁରୀ ।

 

ମାତ୍ର ପଥ ଭୁଲି ମିଳିଲେ

ଆସି ଶ୍ରମ ଆକୁଳେ,

ଚିର-କଲ୍ଲୋଳିନୀ ମରାଳ-

ମୟୀ ଚିଲିକାକୂଳେ ।

 

ତା’ ରୁଦ୍ର ସୁନ୍ଦର ତାଣ୍ଡବେ

ଫୁଲି ଉଠିଲା ମନ,

ମହାଶୋଭାରାଶି ଦର୍ଶନେ

ମହାଜନ ଭାଜନ ।

 

ଅନନ୍ତର ବିପ୍ର ସହିତେ

ଉଦେ ବୁଦେ ତ୍ୱରିତେ,

ଆରୋହଣ କଲେ ଆନନ୍ଦେ

ଏକ କ୍ଷୁଦ୍ର ବୋଇତେ ।

 

ବେଳାଭୂମି ଛାଡି ମଧ୍ୟକୁ

ଯେତେ ଚାଲିଲା ତରୀ,

ଆଣି ଦେଉଥିଲା ତେତିକି

ଚିଲିକା ଭାବ-ଲହରୀ ।

 

ପାର୍ଶ୍ୱଭାଗେ ରଖି ଅଦୁରେ

କାଳିଜୟୀ ଅଚଳେ,

ଅନୁକୂଳ ବାତେ ଚଳିଲା

ତରୀ ଅତି ଚଞ୍ଚଳେ ।

 

ଅଙ୍କଲା ତରଣା ଚିଲିକା

ବକ୍ଷେ ଯେ ଗତିରେଖା,

ଲିଭିଗଲା ତାହା ପଲକେ

ଆଉ ନ ଗଲା ଦେଖା ।

 

ଆରୋହି-ହୃଦୟେ ଉଦ୍ଭବି

ତଥା ଭାବନିଚୟ,

ବୁଜିଣ ବିସ୍ମୃତି-ସଲିଳେ

ଭଜୁଥିଲା ବିଲୟ ।

 

ଜଟିଆ, ଭାଲେରି ୧ ରଖିଣ

ସବ୍ୟେତର ପାର୍ଶ୍ୱରେ,

ଘଣ୍ଟଶିଳା ଶେଳ, ଚଢ଼ାଇ-

ଗୁହା ୨ ଦକ୍ଷିଣେତରେ ।

 

୧ - ଚିଲିକା ତାରବର୍ତ୍ତୀ ପର୍ବତଦ୍ୱୟ ।

୨ - ଚିଲିକା ମଧ୍ୟସ୍ଥ ପର୍ବତଦ୍ୱୟ ।

 

ପୁରୋଭାଗେ ଲକ୍ଷ ନଗରୀ

ରମ୍ଭା ସୁଷମା-ଖଣି,

ମାହେନ୍ଦ ମୁହୂର୍ତ୍ତେ ଲାଗିଲା

ଆସି ତୀରେ ତରଣୀ ।

 

ଆଗେ ଆଗେ ଦ୍ୱିଜ ଚାଲିଲେ

ପଛେ ଭାଇ ଦ୍ୱିଜଣ,

ଗାଧେୟ ପଶ୍ଚାତେ ଚାଲନ୍ତି

କିବା ରାମ ଲକ୍ଷ୍ମଣ ।

 

ଅତିକ୍ରମି ବହୁ ପ୍ରାନ୍ତର

ଗ୍ରାମ ଗିରି କାନନ,

ୠଷିକୁଲ୍ୟା କୁଳେ ଯାତ୍ରୀଏ

ରାତ୍ରି କଲେ ଯାପନ ।

 

ଉପସ୍ଥତ ପର ଦିବସେ

ଇଚ୍ଛାପୁର ନଗରେ,

ମହୋଦଧି ସହ ଚିଲିକା

ଯାର ଚରଣ ଧରେ ।

 

 

ନବ ଅଗନ୍ତୁକ ସ୍ୱଭାବେ

ବାଟ ଘାଟ ଅଜଣା,

ସିନ୍ଧୁ ତୀରେ ତୀରେ ଚାଲିଲେ

ପଥ ହୋଇଣ ବଣା ।

 

ଉଦ୍ୟାନଖଣ୍ଡନରେ ମିଳିଲେ

ଯାଇ ସେ ତିନି ଜଣ,

ଉତ୍କଳ-କମଳା ଦେବୀଙ୍କ

ମଧୁବନ ଯେ ବନ ।

 

ରସାଳ, କଦଳୀ, ପନସେ

ବନ ଅତି ଘଞ୍ଚାଳ,

ଧରିଛନ୍ତି ଫଳ ଅକାଳେ

ତହିଁ ପାଦପଜାଳ ।

 

ଦେଖି ଅଘଟନ ଘଟନ

ହୋଇ ବିସ୍ମୟାନ୍ତର,

ଭଜିଲେ ସକଳେ ବିଶ୍ରାମ

ତହିଁ ଦଣ୍ଡେ ମାତର ।

 

 

ସିକତିତ ପଥେ ଶିଥିଳେ

ଚାଲି ଚାଲି ସେଠାରୁ

ଦକ୍ଷିଣ ସମୁଦ୍ର ତୀରରେ

ଯାଇ ଭେଟିଲେ ବାରୁ ୩ ।

 

୩ - ସ୍ୱନାମପ୍ରସିଦ୍ଧ ତାମ୍ର ।

 

ବନମାଳୀ ଦେବଙ୍କର ସେ

ସ୍ଥାନ ପ୍ରିୟାଧିଷ୍ଠାନ,

ପୁଣି ସେ ଠାବରେ ଉତ୍କଟ-

ବଟ ବିରାଜମାନ ।

 

ଦେବଭୂମି ମଣି ତାହାକୁ

ତହିଁ ବିରଚି ବାସ,

କଟାଇଲେ କେତେ ଦିବସ

ହୋଇ ଅତି ଉଦାସ ।

 

Unknown

ଷଷ୍ଠ ସର୍ଗ

-ମଙ୍ଗଳ ଗୁଜ୍ଜରୀ-

 

ଶିବନାଥ ନାମେ ବୃଦ୍ଧ

ସୁରଙ୍ଗୀ ଈଶ୍ୱର,

ଅନପତ୍ୟ ଅବସ୍ଥାରେ

ପ୍ରାପ୍ତ ଲୋକାନ୍ତର

ସୁରାଜ୍ୟ ସୁରଙ୍ଗୀ ତହୁଁ

ହେଲା ଅରାଜକ,

ଗଣିଲେ ପ୍ରଜାଏ ମନେ

ଉବଦ୍ରବ ଦବ ।

ରାଜ୍ୟ ସେନାପତି କାଳୁ-

ବିଶୋଇ ନାମରେ,

ଡ଼କାଇ ପ୍ରଜାଙ୍କୁ ଦେଇ

ଧେଣ୍ଡୁରା ଗ୍ରାମରେ,

ବୋଇଲେ ସକଳେ

ଚାଲ ଦେବୀଙ୍କ ଆବାସେ,

ରାଜା ପାଇଁ ଜଣାଇବା

କ୍ରୂରାଶିନୀ ପାଶେ

ସେନାପତି ଆଶାବାକ୍ୟେ

ହୋଇଣ ଉନ୍ମନା,

କଲେ ସର୍ବେ ସମାରୋହେ

ଦେବୀ-ଆରାଧନା ।

ବଳି ପୂଜାଦିରେ ହୋଇ

ସୁପ୍ରସନ୍ନା ମତି,

ବିହିଲେ ଆଦେଶ ଦେବୀ

ସେନାପତି ପ୍ରତି-

‘‘କାଶୀଠାରୁ ଆସୁଛନ୍ତି

ତୁମ୍ଭ ରାଜ୍ୟେଶ୍ୱର,

କର ହେ ପ୍ରତୀକ୍ଷା ସର୍ବେ

ମାତ୍ର ସମ୍ବତ୍ସର ।

ତଦବଧି ରାଜାସନେ

ତୁମ୍ବିକା ସ୍ଥାପନ-

କରି କରୁଥିବୁ ତୁହି

ପରଜା ପାଳନ ।

ପାଇବୁ ନଦୀରୁ ପ୍ରାତେ

ସେ ତୁମ୍ବିକା କାଲି,

ରାଜାରୂପେ ସ୍ଥାପିବୁ

ତା ମୋ ଆଦେଶ ପାଳି ।’’

ଶୁଣି ସେନାପତି ଲଭି

ଆନନ୍ଦ ଅପାର,

କ୍ରୁରାଶିନୀ ପଦେ କଲେ

ସାଷ୍ଟାଙ୍ଗେ ଜୁହାର

ପରଦିନ ପ୍ରାତଃକାଳେ

ସଜାଇ ଶିବିକା,

ସାଡ଼ମ୍ବରେ ନଦୀଗର୍ଭୁ

ଆଣିଲେ ତୁମ୍ବିକା

ସ୍ଥାପିଲେ ତାହାକୁ ରାଜା

ପଦେ ଯଥାବିଧି,

ପାଳିଲେ ବିଶୋଇ ରାଜ୍ୟ

ହୋଇ ପ୍ରତିନିଧି

ଅନନ୍ତର କିଛିକାଳ

ଅନ୍ତେ ତ୍ରିନୟନା,

ସ୍ୱପୁଜକ ପତ୍ନୀ ପ୍ରତି

ହୋଇ ସୁପ୍ରସନ୍ନା;

କହିଲେ ‘‘ଏ ଅରାଜକ

ରାଜ୍ୟୁଁ ଦୁଃଖ-ରାତି,

ଏତେ କାଳ ପରେ ଏବେ

ଯିବ ଲୋ ପ୍ରଭାତି ।’’

ଦେବୀଙ୍କ ଏ ଆଜ୍ଞା-ବାଣୀ

ଶୁଣିଣ ସେବକ,

କଲା ବହୁ ସ୍ତୁତି ଲଭି

ଅତୀବ ପୁଲକ ।

ସ୍ତବେ ତୁଷ୍ଟ ହୋଇ ଦେବୀ

ଦେଇ ଦରଶନ,

ଭାଷିଲେ ମଧୁର ବାକ୍ୟେ

ପୁଜିବେ ଏସନ,-

‘‘ଆଣିଛି କାଶୀରୁ ମୁହିଁ

ରାଜା ତୁମ୍ଭପାଇଁ,

ନିଶ୍ଚୟ ସେ ସୁରଙ୍ଗୀର

ଯୋଗ୍ୟ ନରସାଈଁ ।

ଆସିଲେଣି ଦୁଇ ଭାଈ

ଉଦେ ବୁଦେ ନାମେ,

ବସା କରିଛନ୍ତି ସିନ୍ଧୁ-

ତୀରେ ବାରୁଗ୍ରାମେ ।

ଚନ୍ଦ୍ରବଂଶ ଅନ୍ତର୍ଗତ

ଜାଠବଂଶେ ବେନି,

ପରିଗ୍ରହିଛନ୍ତି ଜନ୍ମ

ରାଜକଳା ଘେନି

ପରମ ବୈଷ୍ଣବ ଉଭେ

ମହାତ୍ମା ବିଶେଷ,

ଧରିଛନ୍ତି ସୁଦ୍ଧା ସଦା

ସୁବୈଷ୍ଣବ ବେଶ

ବିଶୋଇକି କହ ତାଙ୍କୁ

ଆଣି ସେ ବହୁନେ,

ବସାଉ ରାଜବିଧାନେ

ରାଜସିଂହାସନେ

ଏହା ଭାଷି ଅନ୍ତର୍ହିତ

ହେଲେ ହୈମବତୀ,

କହିଲା ପୂଜକ ସବୁ

କଥା କାଲୁକତି ।

ଲଭିଲେ ବିଶୋଇ ଶୁଣି

ବିପୁଳ ଆହ୍ଲାଦ,

ଗ୍ରୀଷ୍ମେ ମେଘନାଦ * ଯଥା

ଶୁଣି ମେଘନାଦ

ସେହିକ୍ଷଣି ବହୁବିଧ

ଭିଆଇ ସମ୍ଭାର,

ନାଗରିକ ସହ କାଳୁ

ହୋଇଲେ ବାହାର ।

ଯଥାକାଳେ ପ୍ରବେଶିଲେ

ବାରୁଗ୍ରାମେ ଯାଇଁ,

ପୂର୍ବୁ ଯହିଁ ଥିଲେ ଉଦେ

ବୁଦେ ଦୁଇ ଭାଇ

କର ଯୋଡ଼ି ଉଭା ହୋଇ

ବିଶୋଇ ଅଦୁରେ,

ନିବେଦିଲେ ସବିନୟେ

ବେନିଙ୍କ ଛାମୁରେ-

‘‘ଭୋ ଦେବ ! ସୁରଙ୍ଗୀ

ରାଜ୍ୟ ଅଛି ଅରାଜକ,

ହୋଇଛନ୍ତି ପ୍ରଜାପୁଞ୍ଜ

ଦୀନ ଅରକ୍ଷକ ।

କରନ୍ତୁ ବିଜୟେ ତହିଁ

ହେବେ ଦଣ୍ଡଧର,

ଶ୍ରୀମୂଖ ଆଦେଶ ଏହା

ତ୍ରୁରାଶିନୀଙ୍କର ।’’

ଏହା ଭାଷି ଘେନି ତାଙ୍କୁ

ଯାନ ବାହନରେ,

ସମାରୋହ ଘେନି ଗଲେ

ସୁରଙ୍ଗୀ ନଗରେ

ତୁମ୍ବିକା ଦେଖିଣ ଉଦେ

ବୁଦେ ବେନି ଭ୍ରାତ,

ବିଚାର କଲେ ଏ ନିଶ୍ଚେ

ପ୍ରଭୁ ବିଶ୍ୱନାଥ ।

ସଂସ୍ଥାପି ତାହାଙ୍କୁ ଅଗ୍ରେ

ତୁମ୍ବେଶ୍ୱର ନାମେ,

ଦିବ୍ୟ ଦେବାଳୟ ରଚି

ସେ ପୁହୁଣ୍ଡୀ ଗ୍ରାମେ ।

ପଛେ କଲେ ସିଂହାସନ

ଆରୋହଣ ଉଦେ,

ମହାପାତ୍ର ପଦେ ହେଲେ

ପ୍ରତିଷ୍ଠିତ ବୁଦେ ।

ଉଦେ ରାଜ ରାଜତ୍ୱରେ

ରାଜ୍ୟର ଶ୍ରୀବୁଦ୍ଧି-

ହେଲା ସଂସାଧିତ, ପ୍ରଜା

ଲଭିଲେ ସମୃଦ୍ଧି ।

ବାର ବର୍ଷ ରାଜ୍ୟ ଭୁଞ୍ଜି

ସେ ରାଜ ଉଦାସୀ,

ଅକାଳେ ଭୂତଳ ତେଜି

ହେଲେ ସ୍ୱର୍ଗବାସୀ ।

ଅନନ୍ତର ରାଜା ହେଲେ

ବୁଦେ ମହାମତି,

ଦେବୀଙ୍କ କରୁଣା ଥିଲା

ପୂର୍ଣ୍ଣ ତାଙ୍କ ପ୍ରତି ।

ଯୁଧିଷ୍ଠିର ତୁଲ୍ୟ ସେହୁ

ଥିଲେ ନରପାଳ,

ତ୍ରିଂଶ ବର୍ଷ ରାଜ୍ୟ ପାଳି

ପ୍ରାପ୍ତ ହେଲେ କାଳ ।

ତଦନ୍ତେ ଶଙ୍କର ରାଜ

ବୁଦେଙ୍କ କୁମର,

ଚତୁତ୍ରିଂସ ସମ୍ବତ୍ସର

ହେଲେ ଦଣ୍ଡଧର

ତାଙ୍କ ପୁତ୍ର ବିଶ୍ୱନାଥ

ନୃପତି ଆଦର୍ଶ,

ପାଳିଲେ ସୁରଙ୍ଗୀ ରାଜ୍ୟ

ବୟାଳିଶ ବର୍ଷ ।

ପରେ ରାଜା ହେଲେ ତାଙ୍କ

କୁମାର ଶ୍ରୀରାମ,

ଶ୍ରୀରାମ ସଦୃଶ ସର୍ବ

ଶୁଭ-ଗୁଣଧାମ ।

ଶ୍ରୀ ଅନଙ୍ଗଭୀମଦେବ

ଖେମଣ୍ଡି ନୃବର,

ରଚିଲେ ଶ୍ରୀରାମ ରାଜ

ସହିତେ ସମର ।

ତିତିର ସିହଂରେ ତହୁଁ

ଶ୍ରୀରାମ ରାଜନ,

ରହିଲେ ଅଭେଦ୍ୟ ଦୁର୍ଗ

କରି ସଂସ୍ଥାପନ ।

ସେ ସ୍ଥାନେ ନିବସି କଲେ

ପୁନଶ୍ଚ ଆହବ,

ଅରିକୁଳ-ଧୁମକେତୁ

ସେ ମହାନୁଭବ

ତେୟାଳିଶ ବର୍ଷ ରାଜ୍ୟ

କରି ଧରା ପରେ,

ପ୍ରାକ୍ତନ ଶାସନେ ଗଲେ

ବୈକୁଣ୍ଠ ନଗରେ

ଏ ଅନ୍ତେ ନୃସିଂହରାଜ

ଶ୍ରୀରାମ ଆତ୍ମଜ,

ରାଜା ହୋଇ ଉପାର୍ଜିଲେ

ବିପୁଳ ଐଶ୍ୱର୍ଯ୍ୟ ।

ଏକାଧିକ ଶତବର୍ଷ

ହେଲା ତାହାଙ୍କର,

ରାଣୀଙ୍କର ହେଲା ଆସି

ସତାଶୀ ବତ୍ସୀର;

ତଥାପି ନ ହେଲା ପୁତ୍ର,

ତେଣୁ ନରପତି,

ବୃଦ୍ଧ କାଳେ ଥିଲେ ଆହା

ସଦା ଦୁଃଖମତି ।

କାଶୀକ୍ଷେତ୍ରୁଁ ଶିବଲିଙ୍ଗ

କରି ଆନୟନ,

ରାଜ୍ୟ ମଧ୍ୟେ ନନ୍ଦୀଗ୍ରାମେ

କଲେ ସଂସ୍ଥାପନ

ପୁତ୍ରପ୍ରାପ୍ତି ଆଶେ ରାଏ

ସେ ଶିବଙ୍କ ପାଶେ,

ପଡ଼ିଲେ ଧାରଣା ଦିନେ

ରହି ଉପବାସେ

ନିଶୀଥେ ଶଙ୍କର ତାଙ୍କୁ

ଦେଇ ଦରଶନ,

ଆଦେଶିରେ- ‘‘ଉଠ ଉଠ

ହେ ନୃପ ବହନ ।

ଭକ୍ତି-ଡ଼ୋରେ ତୁମ୍ଭେ ମୋର

ବାନ୍ଧିଛ ହୃଦୟ

ସେ ଫଳେ ମୁଁ ହେବି ନିଶ୍ଚେ

ତୁମ୍ଭର ତନୟ ।

ଚତୁର୍ବିଂଶ ବର୍ଷମାତ୍ର

ରହି ତୁମ୍ଭ ଘରେ,

ବାହୁଡ଼ି ଆସିବି ନିଜ

ଧାମକୁ ତତ୍ପରେ

ଏହା ଭାଷି ଆଶୁତୋଷ

ହେଲେ ଅନ୍ତର୍ଦ୍ଧାନ,

ଆଶା ବାନ୍ଧି ନୃପ କଲେ

ସ୍ୱସ୍ଥାନେ ପ୍ରସ୍ଥାନ

ଅନନ୍ତର ରାଜପୁତ୍ର

ରୂପେ ବ୍ୟୋମକେଶ,

ତନ୍ନ ଲଭି ବିତରିଲେ

ଆନନ୍ଦି ବିଶେଷ ।

ହେଲେ ସେହୁ ରାଜା, ଧରି

ନନ୍ଦରାଜ ନାମ,

ନନ୍ଦରାଜ ପୁର ନାମେ

ବସାଇଲେ ଗ୍ରାମ

ଯୋଗୀଶ୍ୱର ଅବତାର

ହେତୁ ସେ ସତତ,

ସଂସାରରେ ବାହ୍ୟେ ମିଶି

ଯୋଗେ ଥିଲେ ରତ

ନ ରଖି ପ୍ରତ୍ୟାଶା କିଛି

କର୍ମଫଳ ପ୍ରତି,

କରୁଥିଲେ କର୍ମ, ଯଥା

ଜନକ ନୃପତି ।

ଚତୁରବଂଶତି ବର୍ଷ

ବୟଃକ୍ରମ କାଳେ,

ଦେହ ତେଜି ପରେ ନୃପ

ନିଜଚିର ଅଳେ ।

ମୃତ ଦେହେ ତାଙ୍କ ପୂର୍ବ

ପ୍ରଦତ୍ତ ଆଜ୍ଞାରେ,

କରାଗଲା ସମାଧିସ୍ଥ

ରାଜ-ବ୍ୟବହାରେ

ସେ ସମାଧି ଭେଦି ଶିବ

ହୋଇ ସମୃତିତ୍ଥ,

ବିଶ୍ୱନାଥ ନାମେ ହେଲେ

ଲୋକେ ଅଭିହିତ

ତାଙ୍କ ପୁତ୍ର ପୁରରାଜ

ରାଜ୍ୟେ ହେଲେ ରାଜା,

ବତାଇଲେ ସେହୁ ଉଚ୍ଚେ

ପିତଭକ୍ତି-ବାଜା ।

ବିନିର୍ମାଣି ବିଶୁନାଥ

ଶିବଙ୍କ ଦେଉଳ,

ସଂସ୍ଥାପିଲେ ପିତୃ-ସ୍ମୃତି

ସେ ନୃପଶାର୍ଦ୍ଦୂଳ ।

ବିଶ୍ୱନାଥ ଦେବାଳୟ

ନାମେ ସେ ମନ୍ଦିର,

ଅଦ୍ୟାପି ମଣ୍ଡିଛି ବଗୀ

ନଦୀ ଚାରୁ ତୀର ।

ପୁରରାଜପୁର ନାମେ

ସ୍ଥାପି ଲୋକାଳୟ,

କରିଯାଇଛନ୍ତି ସ୍ଥାୟୀ

ସମଜ୍ଞା ସଞ୍ଚୟ ।

ବୟାଳିଶ ବର୍ଷକାଳ

ଭୁଞ୍ଜି ସେ ରାଜତ୍ୱ,

ଅନିତ୍ୟ ଶରୀର ତେଜି

ଲଭିଲେ ପଞ୍ଚତ୍ୱ ।

ସହଗତା ହେଲେ ତାଙ୍କ

ଧାର୍ମିକା ରମଣୀ,

ଚରିତ୍ର ସତୀତ୍ୱ-ଶାଣ-

ବିଶୋଧିତ ମଣି ।

ତାଙ୍କ ପୁତ୍ର ରାମରାଜ

ବର୍ଷ ଏକାବନ,

ଧର୍ମେ ରାଜ୍ୟ ପାଳି କଲେ

ସ୍ୱର୍ଗ ଆରୋହଣ ।

ଅତଃପର ଶ୍ରୀମୁକୁନ୍ଦ

ରାଜ ମହାଜନ,

ମଣ୍ଡିଲେ ସୁରଙ୍ଗୀ ରାଜ୍ୟ-

ରାଜସିଂହାସନ ।

ଖୋଲାଇଣ ଜଳାଧାର-

ମୁକୁନ୍ଦସାଗର,

କାମ ସହ କରିଛନ୍ତି

ନାମକୁ ଅମର ।

ଆବର ମୁକୁନ୍ଦରାଜ-

ପୁର ଗ୍ରାମ ସ୍ଥାପି,

ଖୋଳାଇଲେ ବହୁ ସର

ବହୁ କୂପ ବାପୀ ।

ସଙ୍ଗୀତେ ସେ ଥିଲେ ସର୍ବ

ସାଙ୍ଗୀତିକ ଗୁରୁ,

ଭ୍ରମୁଥିଲେ ମର୍ତ୍ତ୍ୟେ ଅବା

ଆପଣେ ତୁମ୍ଭରୁ ।

ଉଠି ତାଙ୍କ ମଧୁ କଣ୍ଠୁ

ସୁଧାମୟ ଗାନ,

ଅଲକ୍ଷ୍ୟରେ ହରିନିଏ

ଶ୍ରୋତା-ବାହ୍ୟଜ୍ଞାନ ।

ବିଶେଷେ ସେ ବୀଣାବାଦ୍ୟ

ବାଦନପ୍ରବୀଣ,

ବାଦ୍ୟ ଶୁଣି ଯିବ ନିଶ୍ଚେ

ପାଷାଣ ଦ୍ରବିଣ ।

ଭାବୁଥିଲେ ଦେଖି ତାଙ୍କୁ

ବାଦକପଙ୍କତି,

ଧରିଛନ୍ତି ଭାରତୀ କି

ପୁରୁଷ ମୂରତି ?

ଭ୍ରମୁଛନ୍ତି ଅବା

ମର୍ତ୍ତ୍ୟମଣ୍ଡଳେ ନାରଦ

ସଙ୍ଗୀତ-ନିପୁଣ ବୀଣା-

ବାଦ୍ୟ-ବିଶାରଦ ।

ଘୋଟିଲା ତାଙ୍କର ଦଶ

ଦିଶେ ଏ ସୁଖ୍ୟାତି,

ଉତ୍କଳସମ୍ରାଟ ହେଲେ

ଗୁଣ ପକ୍ଷପାତୀ ।

କେଶରୀ ନୃସିଂହଦେବ

ସେ କାଳ ସମ୍ରାଟ,

ସଭୟେ ଗର୍ଭିଣୀ ଗାଭୀ

ଛାଡ଼େ ତାଙ୍କୁ ବାଟ ।

ଶ୍ରୀମୁକୁନ୍ଦ ଦର୍ଶନାଥୀ

ହୋଇ ଦେବଯାତ,

ନୀଳାଚଳେ ଯାଇ କଲେ

ସମ୍ରାଟେ ସାକ୍ଷାତ ।

ସଙ୍ଗୀତ ଆଳାପ ତହୁଁ

ହେଲା ପରସ୍ପରେ,

ବାଜିଲା ବିବିଧ ବାଦ୍ୟ

ସୁମଧୁର ସ୍ୱରେ ।

ସଙ୍ଗୀତେ ଉତ୍କଳପତି

ଥିଲେହେଁ ପଣ୍ଡିତ,

ମୁକୁନ୍ଦଙ୍କ ଗୁଣେ ହେଲେ

ତଥାପି ମୋହିତ ।

ରଖାଇଲେ ତହୁଁ

ତାଙ୍କୁ ମହାସମାଦରେ,

ବଢ଼ିଲା ଦିନକୁ ଦିନ

ପ୍ରୀତି ପରସ୍ପରେ ।

ଇତିମଧ୍ୟେ କି କାରଣୁ

ଉତ୍କଳନରେଶ,

ବାଣପୁର ନୃପେ ଦେଲେ

ପ୍ରାଣଦଣ୍ଡାଦେଶ ।

ଶୁଣି ସୁରଙ୍ଗୀଶ ଏହା

ଦୟା ବହି ମନେ,

କହିଲେ ସମ୍ରାଟ ପାଶେ

ବିନୟ ବଚନେ-

‘‘କ୍ଷତ୍ରପକ୍ଷେ ସିନା ଆହେ

କୃପାମହାଦାରୁ,

ବଳେ ପଦଚ୍ଛେଦ ଦଣ୍ଡ

ଶିରଶ୍ଛେଦଠାରୁ ।

କାଢ଼ିନେଇ ତାଙ୍କଠାରୁ

ଭୁଇଁଆ ପଦବୀ,

ଦିଆଯାଉ ପ୍ରାଣଦଣ୍ଡୁ

ମୁକ୍ତି ନପ-ରବି ।’’

ଉତ୍କଳ ମହୁଡ଼ମଣି

ନୃପେନ୍ଦ୍ର କେଶରୀ,

ତଥାସ୍ତୁ ଉଚ୍ଚାରି ଦଣ୍ଡ

କହିଲେ ସେପରି ।

ପୂର୍ବ ହୋଇଥିଲେ ରାଏ

ସୁରଙ୍ଗୀଶେ ପ୍ରୀତ,

ସୁନୀତି ଶ୍ରବଣେ ହେଲେ

ଅଧିକେ ମୋହିତ ।

ଯଥେଷ୍ଟ ପ୍ରଶଂସା ତାଙ୍କୁ

କଲେ ବାରମ୍ବାର,

ପୁଣି ଇଚ୍ଛା କଲେ ଦେବେ

ଯୋଗ୍ୟ ପୁରସ୍କାର ।

ବୁଝନ୍ତି ଗୁଣିକେ ସିନା

ଗୁଣିକ ସମ୍ମାନ,

କରନ୍ତି ଗୁଣାନ ରୁପ

ପୁରସ୍କାର ଦାନ ।

ଚାକ୍ଷୁଷ ଭାବରେ ତାଙ୍କ

ଗୁଣ ଅନୁଭବି,

ପ୍ରଦାନିଲେ ତାଙ୍କୁ

‘‘ହରିଚନ୍ଦନ’’ ପଦବୀ ।

ଲଭି ରାଜଦତ୍ତ ପଦ

ମୁକୁନ୍ଦ ନୃବର,

ସେହି ନାମେ ବସାଇଲେ

ଗ୍ରାମ ମନୋହର * ।

* ହରିଚନ୍ଦନପୁର ।

 

ହାକିମ ଖାଁ ନାମେ ଏକ

ଯବନ ନବାବ,

ସେକାଳେ ବିସ୍ତାରିଥିଲା

ଅତୁଳ ପ୍ରଭାବ ।

ଡକାଇଲା ଇଚ୍ଛାପୁରେ

ସର୍ବ ନରବରେ

ଆସିଲେ ସକଳେ ତହୁଁ

ତା ପାଶେ ସତ୍ୱରେ ।

ସର୍ବୋପରି ମୁକୁନ୍ଦଙ୍କୁ

କଲେ ସେ ସତ୍କାର,

ପ୍ରଦାନିଲେ ଅଷ୍ଟାଦଶ

ଦ୍ରବ୍ୟ ଉପହାର ୧ ।

ଚତୁର୍ଦ୍ଦଶ ବର୍ଷ ରାଜ୍ୟ

କବି ଶ୍ରୀ ମୁକୁନ୍ଦ,

ଅନାମୟ ଧାମେ ଯାଇ

ଲଭିଲେ ମୁକୁନ୍ଦ ।

୧- ହୟ, ହସ୍ତୀ, ଚିତ୍ରାମ୍ବ ପ୍ରଭୁତି ।

ପରେ ରାଜା ହେଲେ

ତାଙ୍କ ପୁତ୍ର ଦାମୋଦର,

ଦୟାଶୀଳ କ୍ଷମାଶୀଳ

ବୈଷ୍ଣବପ୍ରବର ।

ଶ୍ରୀଅନଙ୍ଗଭୀମଦେବ

ଖେମଣ୍ଡୀ ନୃପତି,

ଲଭି ତାଙ୍କ ରୂପେ ଗୁଣେ

ବିଶେଷ ତୃପତି,

ରାଜବିଧିମତେ ରାଏ

କରିଣ ସମ୍ମାନ,

ଜାମାତୃ ପଦରେ ବରି

କଲେ କନ୍ୟାଦାନ ।

ବାରବର୍ଷ ମାତ୍ର ପ୍ରଜା

ପାଳି ଦାମୋଦର,

ନରଦେହ ତେଜି ଗଲେ

ଅମର ନଗର ।

ଅନନ୍ତର ବିମଣ୍ଡିଲେ

ରାଜସିଂହାସନ,

ଶ୍ରୀଗୋପାଳରାଜନାମେ

ତାହାଙ୍କ ନନ୍ଦନ ।

ଜଳନ୍ତର-ଜେମା ତାଙ୍କ

ପାଟ-ମହାଦେବୀ,

ମଣୁଥିଲେ କୃତାର୍ଥ ସେ

ସ୍ୱାମିପଦ ସେହି ।

ଜାତ ହେଲେ ତାଙ୍କ ଗର୍ଭୁ

ସୁନ୍ଦର କୁମାର,

ମାହେଶ୍ୱରୀ ଗର୍ଭୁ ଜାତ

ଯେସନ କୁମାର ।

ମହୁରୀ ନରେନ୍ଦ୍ରକନ୍ୟା

ରୁପଗୁଣବତୀ,

ଇଚ୍ଛିଲେ ଗୋପାଳରାଜ

ହେବେ ତାଙ୍କ ପତି ।

ଯଥା କାଳେ ଏ ପ୍ରସଙ୍ଗ

ମହୁରୀଶଙ୍କର,

କର୍ଣ୍ଣଗତ ହୁଅନ୍ତେ ସେ

ଦେଲେ ଏ ଉତ୍ତର-

‘‘ମୋହର ତନୟା ଗର୍ଭୁ

ଜନ୍ମିବ ଯେ ସୁତ,

ହେବ ସେ ସୁରଙ୍ଗୀ ସ୍ୱର୍ଗ

ଧାମେ ପୁରୁହୂତ ।

ଏହି ସତ୍ୟ କଲେ ଦେବି

ତନୁଜା ଅବଶ୍ୟ,

ଅନ୍ୟଥା ନୋହିବ ତୃପ୍ତ

ମୋହର ମାନସ ।’’

ଶୁଣିଣ ଏ ବଜ୍ରବାଣୀ

ଶ୍ରୀଗୋପାଳରାଜ,

ବୁଝିଲେ ଶ୍ୱଶୁର ମଣି

ଦୁରଭୀଷ୍ଟ ବ୍ୟାଜ,

ବୋଇଲେ- ‘‘ମୋ

ବଂଶଦୀପ ପୁତ୍ର ହରିହର,

ଥାଉଁ କେଉଁ ଲୋଡ଼ା

ମୋର ସହସ୍ର କୁମର ।

ଇଚ୍ଛେ କି ଦିବସ

କେବେ ଉପେକ୍ଷି ଭାସ୍କରେ,

ସୁଧାଧାର ଶଶୀ କିମ୍ବା

ତାରକାନିକରେ ?’’

ଏ ସକଳ ସମାଚାର

ଶୁଣି ହରିହର,

ଜନକ ସକାଶେ ଆସି

ମିଳିଲେ ସତ୍ୱର ।

ବୋଇଲେ- ‘‘ପବିତ୍ର

କ୍ଷତ୍ର କୁଳେ ଏ କଳଙ୍କ,

ଜୀବନ ବିନାଶଠାରୁ

ବଳି ଭୟାନକ ।

ହେବି ନାହିଁ ରାଜା ସତ୍ୟ

କରୁଛି ତ୍ରିବାର,

କରନ୍ତୁ ମହୁରୀପତି

ପ୍ରସ୍ତାବ ସ୍ୱୀକାର ।’’

ଯଥାକାଳେ ହେଲା ତହୁଁ

ବିବାହ ସମ୍ପନ୍ନ,

ପଡ଼ିଗଲା ହରିହର

ନାମେ ଧନ୍ୟ ଧନ୍ୟ ।

ମହୁରୀ-ଜେମାଙ୍କ ଗର୍ଭୁ

ହୋଇଲେ ସମ୍ଭୂତ,

କେଶବ ପୁରୁଷୋତ୍ତମ

ନାମେ ଦୁଇ ସୂତ ।

ବାର ବର୍ଷ ରାଜ୍ୟ ଶାସି

ପରିହରି ପ୍ରାଣ,

କଲେକ ଗୋପାଳରାଜ

ତ୍ରିଦିବେ ପ୍ରୟାଣ ।

ଅନନ୍ତର ହରିହର

ବିଚାରିଲେ ମନେ,

ବସାଇବେ କେଶବଙ୍କୁ

ରାଜସିଂହସନେ ।

ମାତ୍ର ତହିଁ ଅସ୍ୱୀକୃତ

ହୋଇଣ କେଶବ,

ବୋଇଲେ ‘‘କି ଲୋଡ଼ା

ମୋର ବିଷୟ ବୈଭବ ।

ନ୍ୟାୟଧର୍ମମତେ ତୁମ୍ଭେ

ରାଜ୍ୟ ଅଧିକାରୀ,

ମୁଁ ସିନା ସେବକ ତବ

ଆଜ୍ଞା ଅନୁସାରୀ ।’’

ତୁଷ୍ଟ ହୋଇ ହରିହର

କେଶବ ବଚନେ,

ବସାଇଲେ ତଦନୁଜେ

ରାଜସିଂହାସନେ ।

ତହୁ କିଛିକାଳ ପରେ

ଜଳନ୍ତରେ ଯାଇ ୨

ରହିଲେ ଶ୍ରୀ ହରିହର

ରାଧାକାନ୍ତେ ୩ ଧ୍ୟାୟି ।

ହୋଇଲେ ପୁରୁଷୋତ୍ତମ

ସୁରଙ୍ଗୀ ନୃପତି,

ପାଳିଲେ ପ୍ରକୃତିପୁଞ୍ଜ

ଧର୍ମେ ରଖି ମତି ।

୨- ଜଳନ୍ତରରେ ତାଙ୍କର ମାତୁଳାଳୟ ଥିଲା ।

୩- ହରିହରଙ୍କର ଇଷ୍ଟଦେବ । 

ଚିର-କୌମାରବ୍ରତ ସେ

କଲେକ ଧାରଣ,

ଦାରପରିଗ୍ରହ ତେଣୁ

ନ କଲେ ରାଜନ ।

ସାର୍ଦ୍ଧ ଦୁଇ ବର୍ଷ ମାତ୍ର

ହେଲେ ସେ ରାଜନ,

ମଣ୍ଡିଲେ କେଶବ ତହୁଁ

ରାଜସିଂହାସନ ।

ମାତ୍ର ଏକ ବର୍ଷେ

ତାଙ୍କୁ ହରିଲା ଅନ୍ତକ,

ସୁରାଜ୍ୟ ସୁରଙ୍ଗୀ ଆହା

ହେଲା ଅରାଜକ !

ଅନାଥ ହୋଇଲେ ପ୍ରଜା,

ଅନାଥା ଧରଣୀ,

ଝୁରିଲା ନଗରୀ ଯଥା

ମଣିଦୁରା ଫଣୀ ।

ମନ୍ତ୍ରୀ ପାରିଷଦେ ସାରି

ରାଜାଙ୍କ ସତ୍କାର,

ବସି ଏକାସନେ ସର୍ବେ

କଲେକ ବିଚାର ।

ଅରାଜକ ରାଜ୍ୟେ ବାସ

କରିବା କିପରି

ରାଜା କର୍ଣ୍ଣଧାର ବିନା

କେ ଚାହିବ ତରୀ ?

ରାଜା ସିନା ପ୍ରଜା-ପକ୍ଷୀ

ମହାଶୟ ତରୁ

ରଖିବ କେ ଉପୁଡ଼ି ସେ

ପଡ଼ିଲେ ମୂଳରୁ ।

ଅରାଜକ ରାଜ୍ୟେ ଘଟେ

ମହା ଉପଦ୍ରବ,

ସବୁ ଅସମ୍ଭବ ହୁଏ

ସେଠାରେ ସମ୍ଭବ ।

ଅରାଜକ ରାଜ୍ୟେ ନାଶ

ହୁଏ ପ୍ରଜାଧର୍ମ,

ସୁକର୍ମେ ଉପେକ୍ଷି ପ୍ରଜା

ସେବନ୍ତି ଅକର୍ମ ।

ଏସନ ବିଚାରି ସ୍ଥିର

କଲେ ସେ ମନରେ,

ବସାଇବେ ସିଂହାସନେ

ଆଣି ହରିହରେ ।

ତହୁଁ ରାଜ-ଉପଚାର

ଧରି ନାଗରିକେ,

ମିଳିଲେ ସକଳେ

ହରିହରଙ୍କ ଅନ୍ତିକେ ।

ବୋଇଲେ ‘‘ଶୁଣିବା

ହେଉ ହେ ମହାତ୍ମା ଆର୍ଯ୍ୟ,

ରାଜଶୂନ୍ୟ ହୋଇଅଛି

ତବ ପିତୃରାଜ୍ୟ ।

ବେଗେ ଯାଇ ପୂର୍ଣ୍ଣ କର

ଶୂନ୍ୟ ସିଂହାସନ,

କରୁଛୁଁ ବିନୟେ ସର୍ବେ

ଏହି ନିବେଦନ ।’’

ବୋଇଲେ ସେ ତହୁଁ

ଭାବେ ହୋଇ ଗଦଗଦ,

‘‘ରାଜତ୍ୱ ସମ୍ପଦ ମୋର

ରାଧାକାନ୍ତ ପଦ ।

ସେହି ମୋର ଧ୍ୟାନ ଜ୍ଞାନ

ଗତି ମୁକ୍ତି ଧନ,

ତାହା ବିନା ରାଜ୍ୟେ

ମୋର ନାହିଁ ପ୍ରୟୋଜନ ।

ନରକୁଳେ ମୁହିଁ କି ହେ

ଏଡ଼େ ଅଭାଜନ,

କରିବି ଶର୍କରା ରେଜି

କର୍କରା ଭୋଜନ ।’’

ଏହା ଶୁଣି ପାତ୍ର ମିତ୍ର

ଆଗନ୍ତୁକ ସର୍ବେ,

ବାକ୍ୟରୋଧୀ ମହାଦୁଃଖେ

ରହିଲେ ନୀରବେ ।

ଏମନ୍ତ ସମୟେ ଅସ୍ତ

ହେଲେ ଦିନମଣି,

ଆଚ୍ଛାଦିଲା ଅସ୍ତରାଗ

ଆକାଶ ଧରଣୀ !

ମୟୂରକଣ୍ଠିଆ ଛବି

ଧଇଲେ ଶଇଳେ,

ହସିଲେ କୁସୁମକୁଳ

ଝୁଲି ମନ୍ଦାନିଳେ ।

ଚକୋରୀ ପଦ୍ମିନୀ ସ୍କନ୍ଧେ

ଥୋଇ ଦୁଃଖଭାରେ,

ହସିଲା ବିଧୁ-ବାନ୍ଧବୀ

କୁମୁଦ କାସାରେ ।

ବାହାରି ଗିରି କନ୍ଦରୁଁ

ଅସଂଖ୍ୟ ବାଦୁଡ଼ି,

ଦଳେ ଦଳେ ଚଉଦିଗେ

ଗଲେ ଉଡ଼ି ଉଡ଼ି ।

କଉଶିଳ-ବଧୂ ସହ

ସମ୍ଭାଷି କୌଶିକ,

ଯୋଡ଼ି ଯୋଡ଼ି ଉଡ଼ିଗଲେ

ହୋଇଣ ନିର୍ଭୀକ ।

ସମୁଜ୍ଜ୍ୱଳ ମୋତି ପ୍ରାୟ

ପଶ୍ଚିମାଶା ନାସେ,

ଜଳଜଳି ସାନ୍ଧ୍ୟତାରା

ସୁଷମା ପ୍ରକାଶେ ।

ବନ ଶୈଳ ସୀମା ବାରି

ନ ହେଲା ଅନ୍ଧାରେ,

ରଜନୀ-ଖୁଣ୍ଟିଆ-ଶିବା

ଡାକେ ବାରେ ବାରେ

କ୍ରମେ କ୍ରମେ ବୃଦ୍ଧିଲାଭ

କଲାକ ରଜନୀ,

ନୀରବ ନିସ୍ତବ୍‌ଧା ଭାବ

ଭଜିଲା ଅବନୀ ।

ସାରି ଦେବସେବା

ହରିହର ଦୃଢ଼ବ୍ରତ,

ଆହାରାନ୍ତେ ମୃଗ ଛାଲେ

ହେଲେ ନିଦ୍ରାଗତ ।

ଆଦେଶିଲେ ରାଧାକାନ୍ତ

ତାହାଙ୍କୁ ସଦୟେ,

ସ୍ୱପନେ ମଧର ବାକ୍ୟ

ନିଶୀଥ ସମୟେ-

‘‘ଯାଅ ହରିହର ବସ

ପିତୃ-ସିଂହାସନେ,

ଭୟ ନାହିଁ ଯିବି ମୁହିଁ

ତୁମ୍ଭରି ଗହଣେ ।’’

ଏହା କହି ଭକ୍ତ ବନ୍ଧୁ

ପ୍ରଭୁ ଭାବଗ୍ରାହୀ,

ଆଚମ୍ବିତେ ଅନ୍ତର୍ହିତ

ହୋଇଗଲେ କାହିଁ ।

ଉଠି ବସି ହରିହର

ଚେତି ସ୍ୱପ୍ନାଦେଶ,

ରାଧାକାନ୍ତ ପଦେ ହେଲେ

କୃତଜ୍ଞ ବିଶେଷ ।

ଆଜ୍ଞା ଦେଲେ ତତକ୍ଷଣେ

ଆବେଶିକେ * ରାଇ,

ରାଜଧାନୀ ସୁରଙ୍ଗୀକୁ

ବେଗେ ଯିବା ପାଇଁ ।

ଶୁଣି ଆଗନ୍ତୁକେ ହେଲେ

ଆନନ୍ଦ ଅପାର,

ବୈଦ୍ୟ କି ବିହିଲା ରୋଗୀ

ବାଞ୍ଛିତ ଆହାର ।

* ଆଗନ୍ତୁକ ।

 

ଅଥବା ବିଶୁଷ୍କ କଣ୍ଠ-

ଚାତକ କର୍ଣ୍ଣରେ,

ଶୁଖିଲା କି ଆଶାପ୍ରଦ

ଘନଘୋଷ ଖରେ ।

କି ଅବା ଚିରପ୍ରବାସୀ

ହତାଶ ଶ୍ରବଣେ,

ସୁଧାସ୍ରାବୀ ମାତୃଭାଷା

ଶୁଭିଲା ବହନେ ।

ତହୁଁ ଜୟ ହରି ହରିହର

ଉଚ୍ଚାରି ସକଳେ,

ଚଳିଲେ ଭାବୀ ନୃପତି

ସଙ୍ଗେ ଦଳବଳେ ।

ଆଗେ ରାଧାକାନ୍ତେ କରି

ଦୁର୍ଗେ ସଂସ୍ଥାପନ,

ବିମଣ୍ଡିଲେ ହରିହର

ପଛେ ସିଂହାସନ ।

ସିକାକୋଲେ ହୋସେନ୍ ଖାଁ

କରି ଘୋର ଯୁଦ୍ଧ,

ସକଳ କ୍ଷତ୍ରିୟ ନୃପେ

କଲା ଅବରୁଦ୍ଧ ।

ରହିଲେ ତାହାଙ୍କ ସଙ୍ଗେ

ରାଜା ହରିହର,

ବେଣୁ ବାଦାନେ ସେ ଥିଲେ

ଯଥା ବେଣୁଧର ।

ବାଉଥିଲେ ବଂଶୀ ଦିନେ

ନୃପ ମଧ୍ୟେ ବସ୍ତି,

ଦଇବେ ଶୁଣିଲେ ତାହା

ଯବନ-ପ୍ରେୟସୀ ।

ମୁଗ୍‌ଧ ହୋଇ ମଧୁସ୍ୱରେ

ଯାଇ ସ୍ୱାମୀ କତି,

ଜଣାଇଲେ ସବିନୟେ

ଯବନ ଯୁବତୀ-

‘‘ବଜାଉଛି ନୃପମଧ୍ୟେ

କେ ଜଣେ ମୁରଲୀ,

ସେ ସ୍ୱର ଶୁଣିଲେ ଯିବ

ଉପକ ତରଳି ।’’

ଶୁଣି ଯବନେଶ ବହି

କୌତୁକ ଅନ୍ତରେ,

ଆହ୍ୱାନିଲେ ସମୀପକୁ

ନୃପ ହରିହରେ ।

ପରଖି ତାଙ୍କର ବାଦ୍ୟ

ବିଦ୍ୟାର ପ୍ରଭାବ,

ଲଭିଲେ ପରମ ପ୍ରୀତି

ଯବନ ନବାବ ।

ଉପହାର ଦାନେ କରି

ବହୁ ସମାଦର,

ବୋଇଲେ, ‘‘ହେ ନରନାହା

କି ଇଚ୍ଛା ତୁମ୍ଭର ?’’

ଭାଷିଲେ ଶ୍ରୀ ହରିହର

ଶୁଣି ତା ସେକାଳେ,

‘‘ଦିଆଯାଉ ମୁକ୍ତି ଏହି

ସକଳ ଭୂପାଳେ ।’’

ଯବନ ନରେଶ ତହିଁ

ନ କଲେ ଦ୍ୱିରୁନ୍ତି,

ଲଭିଲେ ରାଜନ୍ୟେ ତାଙ୍କ

ଅନୁଜ୍ଞାରେ ମୁକ୍ତି ।

କଲେ ହରିହର ସର୍ବ

ନୃବରେ ଉଦ୍ଧାର,

ଗାଇଲେ ତାଙ୍କର ଏହି

ଯଶ ବନ୍ଦିବାର ।

ଧାର୍ମିକ ପଣ୍ଡିତ ସେହି

ନୃପ ହରିହର,

ଚତୁସ୍ତ୍ରିଂଶ ସମ୍ବତ୍ସର

ହେଲେ ଦଣ୍ଡଧର ।

ପୁରରାଜ ନାମେ ଥିଲେ

ତାହାଙ୍କର ସୁତ,

ହେଲେ ସେ ନୃପତି ସର୍ବ-

ସୁଲକ୍ଷଣୟତ ।

ଖେମଣ୍ଡି ଚିକିଟି ସହ

ଯୁଦ୍ଧେ ବହୁକାଳ,

ଆତ୍ମନିୟୋଜିତ

କରିଥିଲେ ସେ ଭୂପାଳ ।

ରାଧାକାନ୍ତ ପ୍ରସାଦରୁ

ମାତ୍ର କଦାଚିତ,

ହେଉ ନ ଥିଲେ ସେ ରାୟ

ରଣେ ପରାଜିତ ।

ଚତୁବିଂଶ ବର୍ଷ ରାଜ୍ୟ

ଶାସି ବାହୁବଳେ,

ଅନାୟତ୍ତେ ପଡ଼ିଲେ ସେ

କାଳର କବଳେ ।

କେଶବ ତାହାଙ୍କ ପୁତ୍ର

ହେଲେ ନରବର,

କଳ୍ପନା-କମଳବନ-

ମତ୍ତ ମଧୁକର ।

ଯେପରି କୋବିଦ ଥିଲେ

ସେହିପରି କବି,

ପୁଣି ବଡ଼ ପାରଦର୍ଶୀ

ଅଙ୍କନରେ ଛବି ।

ତାଙ୍କ କୃତ କାବ୍ୟ

‘‘ରସ-ସିନ୍ଧୁ ସୁଲକ୍ଷଣା ।

ସୁବିମଳ କବି-କୀର୍ତ୍ତି

କରୁଛି ଘୋଷଣା ।

ଦେବଦତ୍ତ ଭୂ ସମ୍ପତ୍ତି

କେଶପୁର ଗ୍ରାମ,

ଅବଧି ଅକ୍ଷୁର୍ଣ୍ଣ ରଖିଅଛି

ତାଙ୍କ ନାମ ।

ବହି ରାଜ୍ୟଭାର ସେହୁ

ଅଠର ବରଷ,

ତେଜିଲେ ମାନବଲୀଳା

ହୋଇ କାଳବଶ ।

ରାଜା ହେଲେ ଦୀନବନ୍ଧୁ

କେଶବ କୁମାର,

ଦେବୋପମ ଶୁଦ୍ଧମନା

ସର୍ବଗୁଣାଧାର ।

କବିପୁତ୍ର କବି ସେହୁ

ଦୀପୁଁ ଜାତ ଦୀପ,

ଉତ୍କଳ-ସାହିତ୍ୟ-ରାଜ୍ୟ

ସୁଦକ୍ଷ ଅଧିପ ।

ବିରଚିଲେ ବହୁ ଗ୍ରନ୍ଥ

ସେ ନୃପ ଉଦାର,

ସୁକାବ୍ୟ ‘‘ରାଧାବିଳାସ’’

‘‘ମଥୁରାବିହାର’’

‘‘ମଥୁରା ମାହାତ୍ମ୍ୟ’’ ଗ୍ରନ୍ଥ

‘‘ଚୈତନ୍ୟ-ଚରିତ’’,

ଆବର କରିଛନ୍ତି

ବିବିଧ ସଙ୍ଗୀତ ।

ବଙ୍ଗଗୁରୁ-କୁଳୋଭବ

ନରସିଂହ ଦାସ,

ସ୍ମରଙ୍ଗୀ ନଗରେ କରି

କିଛିକାଳ ବାସ,

ଚୈତନ୍ୟ ମତରେ କଲେ

ତାହାଙ୍କୁ ଦୀକ୍ଷିତ,

କ୍ରମେ ସେହି ମତ ରାଜ୍ୟେ

ହେଲା ବିସ୍ତାରିତ ।

ବିବିଧ ବୈଷ୍ଣବ ଶାସ୍ତ୍ର

କରିଣ ବିମନ୍ଥ,

ବିରଚିଲେ ‘‘ବଇଷ୍ଣବ

ସାରୋଦ୍ଧାର’’ ଗ୍ରନ୍ଥ ।

ଉପଦେଶମାନ ତାର

ମାଣିକ୍ୟ କାଞ୍ଚନ,

ବୈଷ୍ଣବକୁଳର ତାହା

ଗର୍ବ-ଗଣ୍ଠିଧନ ।

ରଚି ‘‘ନବ ବୃନ୍ଦାବନ-

ବିହାର’’ ପୁସ୍ତକ,

କରିଯାଇଛନ୍ତି ରାଏ

ଜୀବନେ ସାର୍ଥକ ।

ଆବର ‘‘ବୈଷ୍ଣବାମୃତ

ସାରୋଦ୍ଧାର’’ ରଚି,

କୀର୍ତ୍ତି-କୋଷେ ନାମ-ରତ୍ନ

ଯାଇଛନ୍ତି ସଞ୍ଚି ।

‘‘ସଙ୍ଗୀତମାଳାର’’ ଦିବ୍ୟ

ମଧୁର ସଙ୍ଗୀତ,

ସମଭାବେ ମୋହୁଅଛି

ସମସ୍ତଙ୍କର ଚିତ୍ତ ।

ଶେଷେ ଲେଖୁଥିଲେ କବି

ଭାରତାନୁବାଦ,

ମାତ୍ର କ୍ରୂର କାଳ ତହିଁ

ସାଧିଲାକ ବାଦ ।

ଘେନିଗଲା କବିଙ୍କୁ ସେ

ଧରାଧାମୁ ତୁର୍ଣ୍ଣ,

ସେହେତୁ ଭାରତ ଗ୍ରନ୍ଥ

ରହିଲା ଅପୂର୍ଣ୍ଣ ।

ତୋଳାଇଲେ ଦୀନବନ୍ଧୁ

ବାଲାଜି ମନ୍ଦିର,

ଅବଧି ସେ ଉଭା ଧରି

ସ୍ଥବିର ଶରୀର ।

ତାହାଙ୍କ ଶାସନେ ଲୋକେ

ପାରି ସୁଖ-ଶଯ୍ୟା,

ମଣୁଥିଲେ ଆପଣାକୁ

ରାମରାଜ୍ୟ ପ୍ରଜା ।

କଠୋର ସଂଯମୀ ରାଜା

ମହାଜ୍ଞାନବନ୍ତ,

ଶେଷ ଜୀବନରେ ହେଲେ

ମଠରେ ମହନ୍ତ ।

ଦେଖାଇ ତ୍ୟାଗଶୀଳତା

ଲୋକେ ଆଲୋକିତ,

ହୋଇଲେ ଦୟାଳୁ ଦାସ

ନାମେ ଅଭିହିତ ।

ଜଳ ମାତ୍ର ପାନ କରି

ଦୁରୁହ ତପସ୍ୟା,

ସାଧନରେ ରତ ହେଲେ

ନୃପ ମହାଯଶା ।

ଜପି ଜପି ହରିନାମ

ଅନ୍ତିମ ସମୟେ

ସଜ୍ଞାନେ ଶରୀର ତେଜି

ଗଲେ ସୁରାଳୟେ ।

ପାଳନ କଲେ ସେ ରାଜ୍ୟ

ତ୍ରିଂଶ ସମ୍ବତ୍ସର,

ଅନନ୍ତର ରାଜା ହେଲେ

ତାହାଙ୍କ କୁମର ।

ଶ୍ରୀ ଶ୍ୟାମକିଶୋର ନାମେ

ହେଲେ ସେ ଆଖ୍ୟାତ,

ତାଙ୍କ ତହୁଁ ହେଲା ରାଜ୍ୟ

ସମୁନ୍ନତି ଜାତ ।

ପର ଉପକାରୀ ଦାତା

ଆଶ୍ରୟବତ୍ସଳ,

ସାହସାନୁ ରୁପ ତାଙ୍କ

ଥିଲା ବାହୁବଳ ।

ବିରଚି ସେ ବଙ୍ଗୋତ୍କଳ

ଉଭୟ ଭାଷାରେ-

ହରିବଂଶ ଗ୍ରନ୍ଥ, କୀର୍ତ୍ତି

ସ୍ଥାପିଲେ ସଂସାରେ ।

‘‘ଚୌବଦୀ ଚନ୍ଦ୍ରିକା’’ ପୁଣି

‘‘ମହିମା ସାଗର’’

ଗାଇଛନ୍ତି ଭକ୍ତିରସେ

ବୈଷ୍ଣବପ୍ରବର ।

ବିବିଧ ବୈଷ୍ଣବ ଗୁଢ଼

ମତର ମୀମାଂସା,

କରୁଥିଲେ ସୁବୈଷ୍ଣବେ

ତାଙ୍କଠାରେ ଆଶା ।

ବ୍ୟାପିଲା ଏ ଖ୍ୟାତି ତାଙ୍କ

ଦେଶ ଦେଶାନ୍ତରେ,

କ୍ରମେ ପ୍ରବେଶିଲା ତାହା

ସମ୍ରାଟ କର୍ଣ୍ଣରେ ।

ପ୍ରତାପୀ ପ୍ରତାପରୁଦ୍ର

ବୈଷ୍ଣବପ୍ରବର,

ଅଖିଳ ଉତ୍କଳେ ଥିଲେ

ରାଜରାଜେଶ୍ୱର ।

ବୈଷ୍ଣବଧର୍ମ ପ୍ରଚାର

ତାଙ୍କର ସତତ,

ଜୀବନରେ ଏକମାତ୍ର

ଥିଲା ଦୃଢ଼ବ୍ରତ ।

ତାହାଙ୍କ ରାଜତ୍ୱକାଳେ

ମହାତ୍ମା ଚୈତନ୍ୟ,

ପ୍ରଚାରି ଉତ୍କଳେ ଧର୍ମ

କଲେ ତାକୁ ଧନ୍ୟ ।

ଭକ୍ତକବି ଜଗନ୍ନାଥ

ସେହି ସମୟରେ,

ପ୍ରଚାରୁଣଥିଲେ ଧର୍ମ

ନୀଳାଦ୍ରି ନଗରେ ।

ପ୍ରଭୁଙ୍କ ଗୁଣ୍ଡିଚାଯାତ୍ରା

ଦେଖିବା କାରଣ,

ଶ୍ରୀଶ୍ୟାମକିଶୋର କଲେ

ଶ୍ରୀକ୍ଷେତ୍ରେ ଗମନ ।

ସମ୍ରାଟ ନିୟୋଗକ୍ରମେ

ଆଠଗଡ଼ ରାଜ,

କରୁଥିଲେ ପରମ୍ପରା

ଜଗଦ୍ଦେବ କାର୍ଯ୍ୟ ।

ନ ଥିଲେ ସେ କାଳେ ସେହି

ଦୈବେ ଉପସ୍ଥିତ,

ହେଲୁ ତହୁଁ ସୁରଙ୍ଗୀଶେ

ସେ କାର୍ଯ୍ୟ ଅର୍ପିତ ।

ସେହି କାଳୁଁ ସୁରଙ୍ଗୀରେ

ଜଗଦ୍ଦେବପଦ,

ହୋଇଅଛି ରାଜବଂଶେ

କୌଳିକ ସମ୍ପଦ ।

ଗୌରବ ପଦବୀ ଲାଭେ

ହୋଇ ହୃଷ୍ଟମନ,

କଲେ ଜଗଦ୍ଦେବପୁର

ଗ୍ରାମ ସଂସ୍ଥାପନ ।

ଶେଷ ଜୀବନରେ ରାଜା

ଶ୍ରୀଶ୍ୟାମକିଶୋର,

ଧରିଲେ ଜନକ ସମ

ସାଧନ କଠୋର ।

ପୂତ୍ରେ ରାଜ୍ୟ ଅର୍ପି ହୋଇ

ମଠରେ ମହନ୍ତ, *

ଅନନ୍ତେ ସୁମରି ହେଲେ

ଯଥାକାଳେ ଅନ୍ତ ।

 

*ଶ୍ୟାମକିଶୋର ରାଜ-ମହନ୍ତ ହୋଇ ସନ୍ଥଚରଣ ଦାସ ନାମ ଧାରଣ କରିଥିଲେ । ତାଙ୍କର ଏହି ନାମରେ ରଣିତ କେତେକ ଖଣ୍ଡ ପୁସ୍ତକ ମଧ୍ୟ ଅଛି ।

 

ଶାସିଲେ ସେ ରାଜ୍ୟ

ଚତୁବିଂଶ ସମ୍ବତ୍ସର,

ଆଠବର୍ଷ ହେଲେ ପୁଣି

ମତ୍ୱନ୍ତ ମଠର ।

ପରେ ରାଜା ହେଲେ ତାଙ୍କ

ନନ୍ଦନ ଗୋବିନ୍ଦ,

ସୁରଙ୍ଗୀ ଭାଗ୍ୟ-କାସାର-

ଭୂଷା-ଅରବିନ୍ଦ ।

ଦୁର୍ଗାଙ୍କ ପ୍ରସାଦୁ ଲଭି

ଅମୋଘ ଆୟୁଧ,

ଜିଣୁଥିଲେ ତାହା ବଳେ

ରାଏ ସର୍ବ ଯୁଦ୍ଧ ।

ଗଞ୍ଜାମର ବହୁ ରାଜ-

ବଂଶୀୟ ସମାଜେ,

ସ୍ଥାନ ଦାନ କରିଥିଲେ

ସାଦର ସ୍ୱରାଜ୍ୟେ ।

ସ୍ଥାପିଲେ ଗୋବିନ୍ଦରାଜ-

ପୁର ନାମେ ଗ୍ରାମ,

ନ ଥିଲା ତାଙ୍କର କର୍ମେ

ନିମେଷେ ବିଶ୍ରାମ ।

ଉଡ଼ିଲା ବିଦେଶେ ଦେଶେ

ତାଙ୍କ କୀର୍ତ୍ତି-କେତୁ,

ଖୋଳାଇଲେ ବହୁ ସର

ନିର୍ମାଣିଲେ ସେତୁ ।

ଯଥାକାଳେ ଅର୍ପିରାଜ

ପୁତ୍ରେ ରାଜ୍ୟଭାର,

ତୀର୍ଥ ପରିଭ ମଣରେ

ହେଲେକ ବାହାର ।

ଭାରତର ବହୁ ସ୍ଥାନ

କରି ପର୍ଯ୍ୟଟନ,

ତ୍ରିପତିତୀର୍ଥରେ କଲେ

ପ୍ରାଣ ବିସର୍ଜ୍ଜନ ।

ଶାସିଲେ ସୁରଙ୍ଗୀ ସେହୁ

ତେତ୍ରିଶ ବତ୍ସର,

ତଦନ୍ତେ ଚୈତନ୍ୟ ଚନ୍ଦ୍ର

ତାହାଙ୍କୁ କୁମର,

ପାଳିଲେ ନୃପତି ହୋଇ

ସୁରଙ୍ଗୀ ଧରଣୀ,

ରାଜନ୍ୟେ ସେ ଧନ୍ୟ, ଧନ୍ୟ

ତାହାଙ୍କ କରଣୀ ।

ସ୍ୱରାଜ୍ୟର ସର୍ବାଙ୍ଗୀନ

ଉନ୍ନତି କାମନା,

କରି ପାଳୁଥିଲେ ପ୍ରଜା

ନୃପ ମହାମନା

ଦୁର୍ଗ ମଧ୍ୟେ ତୋଳାଇଲେ

ପ୍ରାସାଦ ତ୍ରିତଳ,

ଭାସ୍ୱର ଭାସ୍କରମୟ

ଭତ୍ତୁଙ୍ଗ ସୁଢ଼ଳ ।

ନୂଆଗଡ଼େ ଦେବାଳୟ

ତୋଳିଲେ ଆବର,

ଭୁବନେଶ୍ୱର ମନ୍ଦିର

ଶିଳ୍ପର ଆବର ।

କରିଯାଇଛନ୍ତି ପେଣ୍ଠ

ଶାସନ ପ୍ରତିଷ୍ଠା

କର୍ତ୍ତବ୍ୟରେ ଥିଲା ତାଙ୍କ

ଅସାମାନ୍ୟ ନିଷ୍ଠା ।

ବୃନ୍ଦାବନ ଆଦି ବହୁ

ରମ୍ୟ ଉପବନ,

ରୋପି ସ୍ଥାନେ ସ୍ଥାନେ କଲେ

ତଡ଼ାଗ ଖନନ ।

ଅନାଥ ଆତୁରେ କରି

ଉପଜୀବ୍ୟ ଦାନ,

କରିଦେଉଥିଲେ ଅନ୍ନ-

ବସ୍ତ୍ରର ସଂସ୍ଥାନ ।

ରାଜନୀତି ତୁଲ୍ୟ ଅର୍ଥ-

ନୀତି ସୁପଣ୍ଡିତ,

କଲେ ବହୁ ଲକ୍ଷ ମୁଦ୍ରା

ଭଣ୍ଡାରେ ସଞ୍ଚିତ ।

ସର୍ବଗୁଣେ ବିଚକ୍ଷଣ

ସେ ନୃପ ସର୍ବଥା,

ଜାଣିପାରୁଥିଲେ ପଶୁ-

ପକ୍ଷୀ ପେଟବ୍ୟଥା ।

ନ ଭୁଞ୍ଜନ୍ତି ଅତିଥିର

ଆତିଥ୍ୟ ନ କରି,

ମଣନ୍ତି ଅତିଥି ପାଇ

ନିଧି ପ୍ରାପ୍ତି ପରି ।

ପ୍ରଜାଙ୍କ ସହିତ ମିଶି

ପ୍ରଜା ମନୋଭାବ,

ହେଉଥିଲେ ଅବଗତ

ସେ ମହାନୁଭାବ ।

ନ ହୁଅନ୍ତି କ୍ଷାନ୍ତ ଖାଲି

ଘେନି ରାଜାବର ।

ଗୁଣେ ଆକର୍ଷନ୍ତି ଭକ୍ତି

ପ୍ରୀତି ପ୍ରଜାଙ୍କର ।

ଜାଣୁଥିଲେ ସୂକ୍ଷ୍ମଦର୍ଶୀ

ସେ ନୃପପ୍ରବର,

ଦଣ୍ଡଦାନଠାରୁ କ୍ଷମା

ମୂଲ୍ୟ ମହତ୍ତର ।

କୃଷ୍ଣପ୍ରେମ ଭକ୍ତିରସେ

ସେହୁ ସୁରସିକ,

ରାଜନ୍ୟ-କର୍ତ୍ତବ୍ୟ-ଯଜ୍ଞ-

ପ୍ରବୀଣ ଯାଜ୍ଞିକ ।

ବଡ଼ ଥାଇ ଆପଣାକୁ

ମଣୁଥିଲେ ସାନ,

ନ ଥିଲା ରାଜ-ସୁଲଭ

ଗଭୀର ଗୁମାନ ।

ଜାହାଜ ଚଳାଇ କଲେ

ବାଣିଜ୍ୟ ଉନ୍ନତି,

ସର୍ବାଂଶେ ସେ ଚନ୍ଦ୍ରବଂଶେ

ଆଦର୍ଶ ନୃପତି ।

ସୁନାପୁର ଅଧିଷ୍ଠାତା

ଜଗନ୍ନାଥଙ୍କର,

ଭୋଗ ପାଇଁ ଭୂସମ୍ପତ୍ତି

ଖଞ୍ଜିଲେ ନୃବର ।

ଆବର ସୁରୁଳା ଗ୍ରାମେ

ବୀର ହନୁମାନେ,

ସନ୍ତୋଷିଲେ ସୁବିସ୍ତାର

ଦେବୋତ୍ତର ଦାନେ ।

ବୟାଳିଶ ବର୍ଷ ରାଜ୍ୟ

ପାଳି ସେହୁ କୃତୀ,

କାଳ ଯଜ୍ଞେ ସମର୍ପିଲେ

ସ୍ୱତନୁ ଆହୁତି ।

ସିଂହାସନ ଆରୋହଣ

କଲେ ଅତଃପୁର,

ଶ୍ରୀ ନୀଳାଦ୍ରି ଚନ୍ଦ୍ରରାଜ

ତାହାଙ୍କ କୁମର ।

ରାଜଭଣ୍ଡାର ସଞ୍ଚିତ

ସମୁଦାୟ ଧନ

ଦୁର୍ଭିକ୍ଷ ସମୟେ ସେହୁ

କଲେ ବିତରଣ ।

ନିର୍ମାଣ ଦେଉଳ ତହିଁ

ଶ୍ରୀରାମ ଲକ୍ଷ୍ମଣ,

ଚନ୍ଦ୍ରକଳ୍ପେଶ୍ୱର ଶିବେ

କଲେ ସଂସ୍ଥାପନ ।

ବସାଇଲେ ବହୁ ଗ୍ରାମ

ବିପଣିବୀଥିକା,

ଖୋଳାଇଲେ ତୋଳାଇଲେ

ସର ଅଟ୍ଟାଳିକା ।

ପୂର୍ବ ବିବର୍ଣିତ ଡିଆଁ

ମଣ୍ଡପ ସକଳ,

ପ୍ରକାଶୁଛି ନୀଳାଦ୍ରିଙ୍କ

ଯଶ ସୁବିମଳ ।

ନାକେଇ ପର୍ବିତପାଦେ

‘‘ନୀଳାଦ୍ରି ସାଗର’’

ବାନ୍ଧି ମହା ଉପକାର

କଲେ ପ୍ରଜାଙ୍କର ।

ଆବର ‘‘ନୀଳାଦ୍ରି ଚନ୍ଦ୍ର

ପୁର’’ ନାମେ ଗ୍ରାମ

ସ୍ଥାପି, ଚିରସ୍ମରଣୀୟ

କଲେ ନିଜ ନାମ ।

ଶାସନ ବସାଇ ବିପ୍ରେ

ଦେଲେ ଭୂସମ୍ପତ୍ତି,

ଭ୍ରମୂଥିଲା ସତ୍କାର୍ଯ୍ୟରେ

ସଦା ତାଙ୍କ ମତି ।

ଅତିରିକ୍ତ ଭୋଗ ଖଞ୍ଜି

ପ୍ରତି ଦେବାଳୟେ,

ନିତ୍ୟ ତା ବିତରୁଥିଲେ

ଦୀନଦୁଃଖିଚୟେ ।

ତାହାଙ୍କର ଖଞ୍ଜାଭୋଗ

ନୀଳାଦ୍ରି, ବଲ୍ଲଭ,

ଚିହ୍ନାଇ ଦେଉଛି ତାଙ୍କ

ସୂରୁଚି-ଗୌରବ ।

କୃଷି ଶିଳ୍ପ ସାହିତ୍ୟରେ

ସମାନଭାବରେ

ରତ ଥାଇ ଶୁଭାଦର୍ଶ

ଦେଖାଇଲେ ନରେ ।

ନବରସେ ସେ ମହାତ୍ମା

ଥିଲେ ସୁପଣ୍ଡିତ,

ଲେଖି ଯାଇଛନ୍ତି ନାନା

ଭାବେ ନାନା ଗୀତ ।

ନୈସର୍ଗିକ କବି ସେହୁ

କୋଳାହଳ ଦ୍ରୋହୀ,

ନିର୍ଜନେ ରଚନ୍ତି ଗୀତ

ଏକୁଟିଆ ହୋଇ ।

ଘୋର ଗ୍ରୀଷ୍ମେ ଯେବେ

ଗିରିବାସୀ ଜନ୍ତୁକୁଳ,

ଜଳ ବିନା ହେଉଥାନ୍ତି

ତୃଷାରେ ଆକୁଳ,

ସେକାଳେ ନୀଳାଦ୍ରି ଚନ୍ଦ୍ର

ରାଜାଙ୍କ ଆଦେଶେ,

ସଲିଳ ରକ୍ଷିତ ହୁଏ

ଗିରି ଶିରୋଦେଶେ ।

କ୍ଷମା ଅବତାର ସେହୁ

କରୁଣା-ବାରିଧି,

ତାହାଙ୍କ ରାଜତ୍ୱେ ଥିଲା

ନିଷିଦ୍ଧ ପାରିଧି,

ଚିର ମତ୍ସ୍ୟମାଂସଦ୍ୱେଷୀ

ପରମ ବୈଷ୍ଣବ,

ତୁଚ୍ଛନେତ୍ରେ ଦେଖୁଥିଲେ

ବିଷୟ-ବୈଭବ ।

ଅଷ୍ଟବିଂଶ ବର୍ଷ ରାଜ୍ୟ

ପାଳି ସେ ନୃବର,

ହୋଇଗଲେ ଯଥାକାଳେ

ପ୍ରପଞ୍ଚୁ ଅନ୍ତର ।

ଅନନ୍ତର ତାହାଙ୍କର

ସୁଯୋଗ୍ୟ କୁମର,

ଶ୍ରୀ କିଶୋରଚନ୍ଦ୍ର ରାଜ

ହେଲେ ଦଣ୍ଡଧର ।

ଚିର ନିରପେକ୍ଷ ସେହୁ

ଚିତ୍ରଗୁପ୍ତ ସମ,

ଶିଶୁପକ୍ଷେ ଶିଷ୍ଟ ପୁଣି

ଦୁଷ୍ଟ ରାକ୍ଷେ ଯମ ।

ପର୍ବତ ଉପରେ ଆମ୍ବ

ପଣସ ଉଦ୍ୟାନ,

ଲଗାଇଣ କଲେ ସେହୁ

ଆସ୍ଥାନେ ସୁସ୍ଥାନ ।

ଥିଲେ ପୁଣି କାଳୋଚିତ

ଯୋଗ୍ୟ ସଂସ୍କାରକ,

ନାଶୁଥିଲେ ସମାଜରୁ

କୁରୀତି-କଣ୍ଟକ ।

କରୁଥିଲେ ଘୃଣା ଦେଖି ।

ବ୍ରାହ୍ମଣ ପ୍ରାଧାନ୍ୟେ,

ତେଣୁ ଯଥାଶକ୍ତି ରତ

ତାର ତିରୋଧାନେ ।

ଢାଳନ୍ତି ନାହିଁ ତେଲ

ତେଲିଆ ମଥାରେ,

ନ କରନ୍ତି କର୍ଣ୍ଣପାତ

ସ୍ତାବକ କଥାରେ

ପର୍ବତେ ପର୍ବତେ ବୁଲି

ରମ୍ୟ ସ୍ଥାନ ଖୋଜି,

ଭୃତ୍ୟ ପାରିଷଦେ ଘେନି

କରୁଥିଲେ ଭୋଜି ।

ରାଜା, ମାତ୍ର ଥିଲା ନାହିଁ

ରାଜ-ଆଡ଼ମ୍ବର,

ଛୁଏଁ ନାହିଁ ତାଙ୍କ ଦେହ

ପାଟ ପୀତାମ୍ବର,

ପରିହିତ ବସ୍ତ୍ର ତାଙ୍କ

ଗେରୁଆ ଗାମୁଛା,

ପରିଚ୍ଛଦଶୂନ୍ୟ ଦେହ

ଥାଏ ସଦା ତୁଚ୍ଛା ।

ଅଶୋକ କାନନ ତାଙ୍କ

କୀର୍ତ୍ତି ଅନ୍ୟତମ,

ସେ ସୁରମ୍ୟ ଉପବନ-

ଶୋଭା ଅନୁପମ ।

ସାହିତ୍ୟ-ବଜାରେ ଥିଲେ

ପ୍ରଧାନ ଗ୍ରାହକ,

ରଚିଛନ୍ତି ନବଭାବେ

ପ୍ରହ୍ଲାଦ ନାଟକ ।

ପାଞ୍ଚିଥିଲେ ମନେ ରାଏ

ତେଜି ରାଜ୍ୟଭାର,

ସାଧିବେ ବିଜନେ ବସି

ମହାଯୋଗସାର ।

ସେଥିଲାଗି ତାଳଗୁଡ଼ି

ନିର୍ଜ୍ଜନ କଟକେ,

ହେଉଥିଲା ନିରମିତ

ଆଗାର ଇଷ୍ଟକେ ।

ମାତ୍ର କାଳ ସେ ସଦିଚ୍ଛା

ନାଶିଲା ସମୂଳେ,

ଚାଲେ ସିନା କାଳ,

ନର-ଇଚ୍ଛା ପ୍ରତିକୂଳେ ।

କିଶୋରଚନ୍ଦ୍ରଙ୍କ ରାଣୀ

ଦେବୀ ସୂର୍ଯ୍ୟମଣି,

ସୁରଙ୍ଗୀରାଜ-ଶୁଦ୍ଧାନ୍ତ-

ଖଣି-ଦୀପ୍ତମଣି ।

ମହିଳା-ମୁକୁଟ-ଝରା

ସତୀକୁଳେ ଧନ୍ୟା,

ବଗେଲବଂଶୀୟ ନବ-

ଦୁର୍ଗ ରାଜକନ୍ୟା ।

ପାତିବ୍ରତ୍ୟ ଧର୍ମ ସଦା

ପାଳୁଥିଲେ ଦେବୀ,

କୃତାର୍ଥ ସେ ମଣୁଥିଲେ

ପତି-ପଦ ସେବି ।

ପତି ଧର୍ମ, ପତି ଗୁରୁ

ପତି ହିଁ ଦେବତା,

ପତି ଏକା ସିନା ନାରୀ-

ମସ୍ତକର ଛତା ।

ଏହା ଭାବି ପତିପ୍ରାଣା

ପତି ଆରାଧନେ,

ରତ ଥିଲେ ସଦା

ପ୍ରୀତି ଭକ୍ତିଯୁକ୍ତ ମନେ ।

ଅନନ୍ତର କିଛିକାଳେ

ପତି ଆଗେ ସତୀ,

ଉପେକ୍ଷି ଭଙ୍ଗୁର ଭବ

କଲେ ସ୍ୱର୍ଗେ ଗତି ।

ଚିତାନଳେ ହେଲା ତନୁ

ଭସ୍ମେ ପରିଣତ,

କେବଳ ଇଟଳା ଗଭା

ରହିଲା ଅକ୍ଷତ ।

ଆଣି ତାହା ନୃପବର

ରଖି ସଯତନେ,

ପୁଜୂଥିଲେ ନିତି ଅର୍ପି

କୁସୁମ ଚନ୍ଦନେ ।

ନ କଲେ ବିବାହ ପୁଣି

ନବୀନ ଯୌବନେ

କାଟୁଥିଲେ କାଳ ଆହା

ଉଦାସୀନ ମନେ ।

ମାତ୍ର ଅପୁତ୍ରକ ହେତୁ

ହୋଇ କ୍ଷୁଣ୍ଣମନା,

କରୁଥିଲେ ସବୁବେଳେ

ଭବିଷ୍ୟ ଭାବନା ।

ଜାଣିଣ ଚିନ୍ତିତ ତାଙ୍କୁ

ପ୍ରଭୁ ରାଧାକାନ୍ତେ,

କଲେକ ଆଦେଶ ଦିନେ

ସ୍ୱପନେ ନିଶାନ୍ତେ-

‘‘ନ କର, ନ କର ଚିନ୍ତା

ନୃପ ଗୁଣାଳୟ,

ଆଶୁ ପୂର୍ଣ୍ଣ ହେବ ତବ

ମାନସ ନିଶ୍ଚୟ ।

ଖ୍ୟାତ ଧରାକୋଟ ଦୁର୍ଗେ

ଅଛନ୍ତି କୁମାର,

ସୂର୍ଯ୍ୟବଂଶେ ଅବତଂସ

ରୂପେ ଯଥା ମାର ।

ମୋହର ଆଦେଶ ତାଙ୍କୁ

ଆଣିଣ ତ୍ୱରିତ,

ଯୁବରାଜ ପଦେ କର

ରାଜ୍ୟେ ଅଧିଷ୍ଠିତ

ଦେବାଦେଶେ ନରେଶ୍ୱର

ଆଣି ଯୁବରାଜେ,

ଅଭିଷିକ୍ତ କଲେ ଭାବୀ

ରାଜାରୂପେ ରାଜ୍ୟେ ।

ଧାରଣ କଲେ ସେ

ଚନ୍ଦ୍ରଚୂଡ଼ାମଣି ନାମ,

ଆଶ୍ରିଲେ ତାହାଙ୍କୁ କ୍ରମେ

ଶୁଭଗୁଣଗ୍ରାମ ।

ଶ୍ରୀ କିଶୋରଚନ୍ଦ୍ର ରାଜ୍ୟ

ଆଠ ବର୍ଷ ଶାସି,

ଅକାଳେ ସମ୍ବରି ଲୀଳା

ହେଲେ ସ୍ୱର୍ଗବାସୀ ।

ଏଥୁଅନ୍ତେ ସିଂହସନେ

କଲେକ ମଣ୍ଡଣି,

ତାହାଙ୍କର ପୁତ୍ର ଦେବ

ଚନ୍ଦ୍ରଚୁଡ଼ାମଣି ।

ଅପ୍ରାପ୍ତ ବୟସ୍କ ହେତୁ

ତାଙ୍କ ରାଜ୍ୟଧନ,

ଅଭିଭାବକ ସ୍ୱରୁପେ

ଇଂରାଜ ରାଜନ,

ରକ୍ଷଣାବେକ୍ଷଣ କଲେ

ଶୃଙ୍ଖଳା ବିଧାନେ,

ପଢ଼ାଇଲେ ପାଠ ନେଇ

ଶିଶୁ ନରଗଣେ ।

ବ୍ରହ୍ମପୁରେ ଛତ୍ରପୁରେ

ମାନ୍ଦ୍ରାଜେ ତଦନ୍ତେ,

ପଢ଼ିଲେ ନୃମଣି ପାଞ୍ଚ

ବରଷ ପର୍ଯ୍ୟନ୍ତେ ।

ସ୍ୱଦେଶୀ ବିଦେଶୀ ଭାଷା

ସହ ରାଜନୀତି,

ଶିଖିଲେ ନରେଶ ବହି

ମାନସେ ସଂପ୍ରୀତି ।

ଯୋଗ୍ୟ ଜାଣି ଯଥାକାଳେ

ରାଜପ୍ରତିନିଧି

ସମର୍ପଣ କଲେ ତାଙ୍କୁ

ରାଜ୍ୟ ଯଥାବିଧି ।

ତଦବଧି କରୁଛନ୍ତି

ସେ ପ୍ରଜାପାଳନ,

ପର ସର୍ଗେ ହେବ ତାଙ୍କ

ଚରିତ ବର୍ଣ୍ଣନ ।

 

ସପ୍ତମ ସର୍ଗ

ନଟବାଣୀ

 

ନଗରୀସମାଜେ

ସୂରଙ୍ଗୀ ଇନ୍ଦ୍ରାଣୀ,

ସୂରଙ୍ଗୀ ତାହାର

ସ୍ଥାୟୀ ରାଜଧାନୀ ।

ନିସର୍ଗ ପର୍ବତ-

ପ୍ରାଚୀର ମଧ୍ୟରେ,

ତୁଙ୍ଗ ରାଜହର୍ମ୍ୟ

ବିଦ୍ୟ ଶୋଭା ଧରେ ।

ଧାଡ଼ି ଧାଡ଼ି ଚୂର୍ଣ୍ଣ-

ଚଉଁରୀ ୧ ପୁରତେ,

ଗୁରୁ ଆଗେ ଶିଷ୍ୟ

ପ୍ରାୟ ହୁଏ ପ୍ରତେ ।

ଶାଣୋତ୍କୀର୍ଣ୍ଣ ୨ ମଣି

ସଙ୍କାଶ ଭାସୁର,

ଦିଶେ ପୁଞ୍ଜ ପୁଞ୍ଜ

ରମ୍ୟ ରାଜପୁର ।

୧- ଏକତାଲା ଚୂନଘର ।

 

୨- ଶାଣଦ୍ୱାରା ଶାଣିତ ।

 

ଚନ୍ଦ୍ରବଂଶୀ ନୃପ

ସୁକୀର୍ତ୍ତି ଧବଳ,

ବସିଯାଇ ଅବା

ହୋଇଛି ବହୁତ ।

ଅଥବା ଅମର

ସ୍ୱର୍ଗମୌଳିମଣି,

ଉଠି ଆସି ଦିବୁଁ

ମଣ୍ଡିଛି ଧରଣୀ ।

ତୀର୍ଥ ସମ ଯେଣୁ

ପ୍ରସନ୍ନ ପାବନ,

ରାତ୍ରି ଶେଷଯାମେ

ମାନସ ଯେସନ ।

ପ୍ରକୃତି କୃପାରୁ

ନୀଳ ମହୀଧର,

ହୋଇଅଛି ତାର

ପୃଷ୍ଠେ ଅପସର ୩ ।

୩- ପୃଷ୍ଠଭାଗର ତଳିଆ ।

 

କିଙ୍କରୀ ପ୍ରକାରେ

ନିର୍ଝରିଣୀଗଣ,

ଦେଉଛନ୍ତି କରି

ପଦ ପ୍ରକ୍ଷାଳନ ।

ବ୍ୟଜନଧାରିଣୀ

ପ୍ରାୟ ତାଳୀଆଳି,

ବିଞ୍ଚେ ନିତି ବାହୁ-

ବାହୁଙ୍ଗା ସଞ୍ଚାଳି ।

ନଗରୀରାଣୀଙ୍କ

ପଶୁପକ୍ଷିଶାଳା-

ରୂପେ ରାଜେ ପୃଷ୍ଠେ

ଗିରିବନମାଳା ।

ଅଷ୍ଟ ଅଙ୍କାକୃତି

ତ୍ରିତଳ ପ୍ରାସାଦ,

ଶୋଭେ ଶିରୋଦେଶେ

ଧରି ଯୁଗ୍ମ ଛାଦ ।

ସ୍ୱଭାବ ଉଜ୍ଜ୍ୱଳା

ତାର ଚନ୍ଦ୍ରଶାଳା,

ଦିଶେ ତେଜସ୍ୱିନୀ

ଯଥା ଦେବବାଳା ।

ଇଷ୍ଟଦେବୀ ୪ ଇଷ୍ଟ-

ଦେବଙ୍କ ୫ ମନ୍ଦିର,

ପାଶେ ପାଶେ ରହି

ଦିଶେ ସୂରୁଚିର ।

୪- କ୍ରୂରାଶିନୀ ।

 

୫- ରାଧାକାନ୍ତ ।

 

କରିଛି ପ୍ରାଚୀର

ନବରେ ବେଷ୍ଟନ,

ଚନ୍ଦ୍ର ଚଉପାଶେ

ମଣ୍ଡଳ ଯେସନ ।

ସିଂହଦ୍ୱାର ପାଶୁଁ

ପରଜା ବସତି,

ବସିଛି ଦ୍ୱିପାଶେ

ବିସ୍ତାରି ପଙ୍କତି ।

ମଧ୍ୟେ ସୁନିର୍ମଳ

ଗଇରିକ ପଥ,

ରହିଛି ବିସ୍ତୃତ

ଯଥା ମନୋରଥ ।

ଅଥବା ନଗରୀ

ସୀମନ୍ତ ପ୍ରଦେଶେ,

ବିରାଜେ ସିନ୍ଦୂର-

ଦାଣ୍ଡୀ ସବିଶେଷେ ।

ଠାବେ ଠାବେ ମଠ

ରହି ବିଦ୍ୟମାନ,

ହୋଇଛି ଗ୍ରାମର

ଶୋଭା ଉପାଦାନ ।

ଗ୍ରାମ ପଛେ ଗ୍ରାମ,

ଗ୍ରାମ ତାହା ପଛେ,

ସ୍ତର ସ୍ତର ହୋଇ

ରହିଛି ନିଘଞ୍ଚେ ।

ଅତି ମନୋରମ

ଗ୍ରାମର ଝଟକ,

ମଧ୍ୟରେ ବିସ୍ତୃତ

ବହୁ ଶୃଙ୍ଗାଟକ ।

ନଗରୀ-ସୁନ୍ଦରୀ

ଖେଳିବାକୁ ଇଚ୍ଛି,

ଚଉସାର ପାଲି

ଅବା ବିସ୍ତାରିଛି ।

ନଗରୀ-ଇନ୍ଦ୍ରାଣୀ

ବହୁ ନେତ୍ର ପରି,

ବହୁଠାବେ ସ୍ଥିତ

ଅଚ୍ଛୋଦ ପୃଷ୍ଠରୀ ।

ବ୍ୟୟ କରି ସ୍ୱୀୟ

ସୁସଞ୍ଚିତ ଧନ,

ଯୋଗାନ୍ତି ସକଳେ

ନଗରେ ଜୀବନ ।

ସାଧୁ ସମ ସଦା

ବଦାନ୍ୟ-ସମ୍ରାଟ,

ସାଧୁ, ସର ଏକ

ଚାଟଶାଳୀ ଚାଟ ।

ଫୁଟିଅଛି ତହିଁ

କୁମୁଦ କହ୍ଲାର,

କମଳେ ଛୁରିତ

କେବଣ କାସାର ।

ଜଡ଼ିଲା ପରାଏ

କଳଧୌତେ ୧ ମଣି,

କେଶରେ ଭ୍ରମର

ଖଟିଛି ଖଟଣୀ ।

ମଧୁ ପିଇ ସାରି

ଚରଣ ପ୍ରହାରି,

ଉଡ଼ି ଯାଉଛନ୍ତି

ଅତି ସ୍ୱେଚ୍ଛାଚାରୀ ।

୧- ସ୍ୱର୍ଣ୍ଣରେ ।

 

ମାତ୍ର ଫୁଲେଶ୍ୱରୀ

କ୍ଷମେ ଦୋଷ ତାର,

ସତୀ ଯଥା ଦୁଷ୍ଟ-

ପତି ଅତ୍ୟାଚାର ।

ଦେବୀ ଦ୍ୱାରଶୁଣୀ

ଗ୍ରାମ ପ୍ରାନ୍ତଭାଗେ,

କରବୀର-କୁଞ୍ଜେ

ବସନ୍ତି ସରାଗେ ।

ଶତ୍ରୁ ଆକ୍ରମଣୁ

ପୂର୍ବେ ଦୁର୍ଗ ରକ୍ଷା-

କରୁଥିଲେ ଦେବୀ

ରକ୍ଷଃ-ରଣଦକ୍ଷା ।

ଦ୍ୱାରଶୁଣୀଙ୍କର

ପୁରତରେ ବାମେ,

ବିସ୍ତୃତ ଭୁଖଣ୍ଡ

ଫୁଲତୋଟା ନାମେ ।

କାଳଗର୍ଭେ ଲୀନ

ଏବେ ଉପବନ,

ନାମ ରହି କରେ

ସ୍ମୃତି ଉଦ୍ଦୋଧନ ।

ଅଦୁରେ ରସାଳ

ଉଦ୍ୟାନ ମଧ୍ୟରେ,

ବସେ ହାଟ ପ୍ରତି

ସପ୍ତାହରେ ଥରେ ।

ବସେ ପଣ୍ୟପୂର୍ଣ୍ଣ

ବିପଣିବୀଥିକା,

ଲାଗେ ବହୁବିଧ

ଦ୍ରବ୍ୟ କିଣାବିକା ।

ଲୋକେ ସିନା ସେହୁ

ହାଟ ନାମ ଧରେ,

ମାତ୍ର ପ୍ରଦର୍ଶନୀ

ପ୍ରକୃତ ପକ୍ଷରେ ।

କୃଷିଶିଳ୍ପଜାତ

ଦ୍ରବ୍ୟ ଆଗଣିତ,

ପ୍ରତି ପାଳି ତହିଁ

ହୁଏ ପ୍ରଦର୍ଶିତ ।

ପ୍ରଦର୍ଶିତ ହୁଏ

ସେ ହାଟେ ଆବର,

ଅରଣ୍ୟ ପାର୍ବତ୍ୟ

ପଦାର୍ଥ ବିସ୍ତର ।

ଘାଣ୍ଟିଆ, ମାଣ୍ଡିଆ

ଗଙ୍ଗା, କାଙ୍ଗୁ, ସୁଆଁ,

ରାଶି ରାଶି ରାଶି

ଆସି ହୁଏ ଥୁଆ ।

ଆମ୍ବୁଲ, ତେନ୍ତୁଳି

ବିବିଧ ଆଚାର,

ରହିଥାଏ ହାଟେ

କାହିଁ ଭାର ଭାର ।

କେଉଁଠାରେ ଅବା

ବେଲ ନାସଦାନୀ,

ଶିଳ୍ପକାରେ ବିକ୍ରି

କରୁଥାନ୍ତି ଆଣି ।

ନ ଆଉ ପଛକେ

ତାହା ପ୍ରୟୋଜନ,

କମ ଦେଖି ହୁଏ

କିଣିବାକୁ ମନ ।

ତାଳଗୁଡ଼ି ଶୈଳୁଁ

କୃଷ୍ଣଅଭ୍ର ଆଣି,

ବିକୁଥାନ୍ତି ହାଟେ

ବସି ଶଉରାଣୀ ।

ମଣ୍ଡିଥାନ୍ତି ଭାଲେ

କୃଷ୍ଣାଭ୍ର ଟିକିଲି,

ସୌର କରେ ତାହା

ଦିଶେ ଝିଲିମିଲି ।

ନେତ୍ର ରସାୟନ

ସେ ମିଶ୍ରିତ ଜ୍ୟୋତି,

ନୀଳମଣି ସହ

ଗୁନ୍ଥା କିବା ମୋତି ।

କେ ବିକେ ହଳଦୀ

କେହି ବିକେ ଅଦା,

କେହି ବଣଫଳ

କରିଅଛି ଗଦା ।

ବଂଶମୂଳନିର୍ମୀ ୨

ସୁଦୃଶ୍ୟ ପେଟିକା,

ସୁଲଭ ମୂଲ୍ୟରେ

ହୁଏ ହାଟେ ବିକା ।

ସୁରଙ୍ଗୀ ରାଜ୍ୟରେ

ସେ ହାଟ ନିଶ୍ଚିତ,

ରଖିଅଛି ସଦା

ବାଣିଜ୍ୟେ ଜୀବିତ ।

 

୨- ବାଉଁଶ ମୂଳରେ ସୁନ୍ଦର କ୍ଷୁଦ୍ର ବାକ୍‌ସ ନିର୍ମାଣ କରାଯାଏ । ଗଞ୍ଜାମ ଅଞ୍ଚଳରେ କବିରାଜମାନେ ଉକ୍ତ ବାକ୍‌ସରେ ଔଷଧ ରଖି ବ୍ୟବହାର କରନ୍ତି ।

 

ବହୁ ଦୁରୁ ହୁଏ

ଜନ ସମାଗମ,

ଗଞ୍ଜାମେ ସେ ପଣ୍ୟ-

କେନ୍ଦ୍ର ଅନ୍ୟତମ ।

ପ୍ରତି ସୋମବାର

ଦିବସେ ସେ ହାଟ,

ଧରେ ଜନସଙ୍ଘେ

ଆକାର ବିରାଟ ।

ରାଜ୍ୟ କୃଷି ଶିଳ୍ପ

ବାଣିଜ୍ୟ ଅବସ୍ଥା,

ସଙ୍କେତେ ସେ ହାଟ

ଚିହ୍ନାଏ ସର୍ବଥା ।

କୁରଙ୍ଗୀ-ସେବିତ

ସୁରଙ୍ଗୀ ନଗରୀ,

ଶୋଭାବତୀ ପଣେ

ଶୋଭା-ସ୍ୱର୍ଗାପସରୀ ।

ସମଗ୍ର ବାଲୁକା

ମହୁଡ଼-ମାଣିକ,

ଭାଗ୍ୟବତୀ ପଣେ

କେ ତାକୁ ଅଧିକ ।

ଆଜନ୍ମ ବୈଷ୍ଣବ-

ନୃପତି-ପାଳିତା,

ପ୍ରଶସ୍ତି ମାଳିନୀ

ଅରାତି-ଅଜିତା ।

ଅଶନି ଅଭେଦ୍ୟ

ଯା ଗିରି-ପ୍ରାଚୀରେ,

ଭେଦି ନ ପାରିଣ

ପୂର୍ବେ ବୈରି-ବୀରେ,

କଲେ ବହୁ ବାର

ଶିର ଅବନତ,

ଜୟାଶ କ୍ଲୀବତ୍ୱେ

ହେଲା ପରିଣତ ।

ସେ ନଗରୀ-ନଭେ

ନବ ଦିନମଣି-

ରୂପେ ଉଦେ ଏବେ

ଚନ୍ଦ୍ରଚୂଡ଼ାମଣି ।୧

 

୧-ଶ୍ରୀଯୁକ୍ତ ଚନ୍ଦ୍ରଚୂଡ଼ାମଣି ରାଜା ହରିଚନ୍ଦନ ଜଗଦ୍ଦେବ ମହୋଦୟ ସୁରଙ୍ଗୀର ବର୍ତ୍ତମାନ ନରପତି ।

 

ବହୁଦର୍ଶୀ ବିଜ୍ଞ

ଧୀର ବିଚକ୍ଷଣ,

ଉତ୍କଳ-ଜନନୀ

ଗର୍ବ-ଗଣ୍ଠିଧନ ।

ବହୁ ଭାଷା ଦକ୍ଷ

କବି,କାବ୍ୟକାର,

ଗୁଣୀ,ଗୁଣଗ୍ରାହୀ

ନୀତିଜ୍ଞ ଉଦାର ।

ଦେଶୋନ୍ନତି-ଯଜ୍ଞ-

ବିଜ୍ଞ ପୁରୋହିତ,

କର୍ତ୍ତବ୍ୟେ ସତତ

ଥାନ୍ତି ଅବହିତ ।

ରାଜନ୍ୟ-ସୁଲଭ

ବ୍ୟସନ, ବିଳାସ,

ପାରେ ନାହିଁ ପଶି

ଭୟେ ତାଙ୍କ ପାଶ ।

ବାହ୍ୟ ରିପୁ ତେଜି

ମଧ୍ୟରିପୁ ୨ ସହ,

୨-କାମ, କ୍ରୋଧ ଆଦି ।

 

ରଚନ୍ତି ସେ ନିତ୍ୟ

ସମର ଦୁଃସହ ।

ନାତି ଶୀତ ଉଷ୍ଣ

ତାହାଙ୍କ ଶାସନ,

ସୁଖଦ ମଳୟ

ମାରୁତ ଯେସନ ।

ଦୀନ ଧନୀ ସର୍ବ

ପ୍ରଜାଙ୍କୁ ସମାନ-

ନେତ୍ରେ ନିରେଖନ୍ତି

ନୃପ ମତିମାନ ।

ମହାସିନ୍ଧୁ ସିନା

କ୍ଷୁଦ୍ର,ବୃହତ୍ତର-

ନଦୀବର୍ଗେ ଅର୍ପେ

ସମାନ ଆଦର ।

ଜାଣନ୍ତି ସେ ଚିର-

ଚପଳା କମଳା,

ଅର୍ପିଛନ୍ତି ତାଙ୍କୁ

ସୂଦୃଢ ଶୃଙ୍ଖଳା ।

ଅର୍ଥାଗମ ନୀତି-

ଶାତ୍ସେ ସୁପଣ୍ତିତ,

କରିଛନ୍ତି ରାଜ୍ୟ-

ଆୟ ଦ୍ୱିଗୁଣିତ ।

ରସା ରସ ଶୋଷି

ଯଥା ଦିବାକର,

କରେ ବହୁଗୁଣେ

ତାହାକୁ ଉର୍ବର,

ତଥା ନେଇ ନୃପ

ପ୍ରଜାଠାରୁ ଧନ,

କରନ୍ତି ତା ସୁଖ-

ସୁବିଧା ବର୍ନ୍ଧନ,

ପ୍ରକୃତକୁ ସେହୁ

ପାଳନ୍ତି ଯେସନ,

ତେସନ ପ୍ରକୃତି

ଅର୍ପେ ତାଙ୍କୁ ଧନ ।

ଅରଣ୍ୟୁଁ ଔଷଧି

କ୍ଷେତ୍ର ଦେଇ ଶସ୍ୟ,

କରେ ପରିତୁଷ୍ଟ

ନରେଶ ମାନସ ।

କରନ୍ତି ସେ ସଦା

କର୍ମ ପ୍ରଶଂସିତ,

ମାତ୍ର ପ୍ରଶଂସାରେ

ହୁଅନ୍ତି ଲଜ୍ଜିତ ।

ତଥାପି ପ୍ରଶଂସା

ତାଙ୍କୁ ବଳେ ବଳେ,

ଅଶ୍ରନ୍ତି, ସାଗରେ

ଯଥା ନଦୀଜଳେ ।

ନିନ୍ଦା ସ୍ତୁତି ଉଭେ

ମଣନ୍ତି ସେ ଏକ,

ଶତ୍ରୁ ପ୍ରତି ତାଙ୍କ

ସଦୟ ବିବେକ ।

ଉପଯୁକ୍ତ ଶାସ୍ତି

ତଥାପି ଦୋଷର,

କରନ୍ତି ବିଧାନ

ନ୍ୟାୟେ ନରବର ।

ଶୀତଳ ସଲିଳ

ପୁଣି ଇରସ୍ପଦ,

ଧରେ ସିନା ଗର୍ଭେ

ଉଭୟେ ନୀରଦ ।

ବିରଚି ସଦ୍‌ଗୁଣେ

ଅମର୍ତ୍ତ୍ୟ ଭୂଷଣ,

କରିଛନ୍ତି ତହିଁ

ଶରୀର ମଣ୍ତନ ।

ସମୟ-ବିହଙ୍ଗେ

ବାନ୍ଧି କର୍ମ-ଫାଶେ,

ରଖିଛନ୍ତି ସଦା

ସ୍ୱବଶେ ସ୍ୱପାଶେ ।

ଗମନେ ‘‘ନଅର-

ଶୋଧା’’ ଦେବାର୍ଚ୍ଚନ,

ନୁହେଁ ତାଙ୍କ ରାଜ-

ନୀତିର ଲକ୍ଷଣ ।

ରାଜପଦ ସୃଷ୍ଟି

ପ୍ରଜାରକ୍ଷା ପାଇଁ

ବୁଝନ୍ତି ଏ ଉକ୍ତି

ଅର୍ଥ ନରସାଇଁ

ବୁଝନ୍ତି ପୁଣି ସେ

ଗୃହସ୍ଥ ବୈରାଗୀ

ନୁହେଁ ତାଙ୍କ ଜନ୍ମ

କେବେ ତାଙ୍କ ଲାଗି ।

କରେ ସିନା ଦୀପ

ଅପରେ ଉଜ୍ଜ୍ୱଳ,

ଅନ୍ଧକାରାଚ୍ଛନ୍ନ

ମାତ୍ର ତାହା ତଳ ।

ଜନ୍ମଭୂମିର ସେ

ଯୋଗ୍ୟତମ ସୂତ,

ମାନବ-ଦୁର୍ଲଭ

ଶୁଭେ ଗୁଣେ ଯୁତ ।

ତେଣୁ ଜନ୍ନଭୁମି

ଉତ୍ପକ୍ଷ୍ମ ନୟନେ,

ଚାହିଁଅଛି ତାଙ୍କୁ

ଆଶାଯୁକ୍ତ ମନେ ।

ଚାହେଁ ଯଥା ଧ୍ରୁବେ

ଶାରଦ ରଜନୀ,

ଅଗସ୍ତ୍ୟ-ନୟନେ

ଏକଦୃଷ୍ଟେ ଧନ ।

ଯଥାକାଳେ ରାଏ

ସାଧି ଯଥା କାମ,

କରୁଛନ୍ତି ପୂର୍ଣ୍ଣ

ମାତୃ ମନସ୍କାମ ।

ରାଜହାରେ ମାତୃ-

ବେଦନା ଜଣାଇ,

କରୁଛନ୍ତି ଚେଷ୍ଟା

ପ୍ରତିକାର ପାଇଁ ।

କୀରତି-କଳାପେ

ନୃପ କୀର୍ତ୍ତିମାନ,

ବାନ୍ଧି ରଖିଛନ୍ତି

ସ୍ୱର୍ଗକୁ ସୋପନ ।

ରାଜକବି ଦେବ

ଚନ୍ଦ୍ର ଚୁଡ଼ାମଣି,

ଲେଖନୀ ତାଙ୍କର

ସତ୍କବିତା ଖଣି ୧।

ଜଣାଣ ପୁସ୍ତକେ ୨

ଯମକ ଝଙ୍କାର,

ଅନୁପ୍ରାସ କ୍ରୀଡ଼ା

ସୂକ୍ଷ୍ମ ଅଳଙ୍କାର,

ଦେଖାଇଲେ କବି

କାବ୍ୟ-ବନ-ପିକ,

 

୧-ରାଜକବି ଶ୍ରୀଯୁକ୍ତ ଚନ୍ଦ୍ର ଚୂଡ଼ାମଣି ରାଜା ହରିଚନ୍ଦନ ଜଗଦ୍ଦେବ ମହୋଦୟଙ୍କର ତ୍ରୟୋଦଶ ବର୍ଷ ସମୟରେ କବିତା ସ୍‌ଫୁରଣ ଆରମ୍ଭ ହୋଇଥିଲା ।

୨-କ୍ରୂରାଶିନୀ ଜଣାଣ, ରାଧାକାନ୍ତ ଜଣାଣ ଓ ବିଶ୍ୱନାଥ ଜଣାଣ ।

 

ସାହିତ୍ୟ-ସୁମନ-

ଆଘ୍ରାଣ-ନୃସିକ ।

ରୁକ୍ମିଣୀ,ପ୍ରହ୍ଲାଦ

ନାଟକର ଛଟା,

ଲଭିଛି ନାଟକ-

କ୍ଷେତ୍ରେ ସ୍ଥାୟୀ ପଟ୍ଟା ।

‘‘ପ୍ରାର୍ଥନାବଳୀ’’ର

ପ୍ରାର୍ଥନାନିକର,

ତୁଳସୀମାଳା ସେ

ଭକ୍ତ ହୃଦୟର ।

ଶତବାର ପାଠେ

‘‘ଭମର ଚୌଳଶା’’,

ତେବେ ନ ତୁଟଇ

ପଠନର ନିଶା ।

‘‘ସ୍ୱରଷୋଡ଼ଶୀ’’ ର

କବିତା-ମାଧୁରୀ,

ଆସ୍ୱାଦନେ ହୃଦ

ଉଠେ ମୃଦେ ପୁରି ।

‘‘ଦଶ-ମହାବିଦ୍ୟା’’

ସ୍ତୃତି ‘‘ପଦ୍ୟମାଳା’’,

ଭକ୍ତ-କଣ୍ଠ-ଭୂଷା-

ପାରିଜାତମାଳା ।

ରଚି କେତେ ଗ୍ରନ୍ଥ ୩

ଉତ୍କଳ ଭାଷାରେ

 

୩-ଭଜନମାଳା ଓ ଉଷାହରଣ ନାଟକ ପ୍ରଭୁତି ଆହୁରି ଅନେକ ଗ୍ରନ୍ଥ ରାଜକବିଙ୍କଦ୍ୱାରା ରଚିତ ହୋଇ ପାଣ୍ତୁଲିପି ଅବସ୍ଥାରେ ଅଛି ।

 

ସଞ୍ଚୁଛନ୍ତି ଯଶ

ସାହିତ୍ୟ-ଭଣ୍ତାରେ ।

ସ୍ୱୟଂ ସୁପ୍ରତିଭ

ହେତୁ ନରବର,

କରନ୍ତି ଅନ୍ୟର

ପ୍ରତିଭା ଆଦର ।

କବିକ୍ଳେଶଜ୍ଞାତା

ନିଜେ ଯେଣୁ କବି,

ମୃତକବି ପାଇଁ

ଗଲା ହୃଦ ଦ୍ରବି ।

ସଂରକ୍ଷଣ ଆଶେ

ତାଙ୍କ ପୂତସ୍ମୁତି,

ଖଞ୍ଜିଥିଲେ ରାଏ

ରାଧାନାଥ ବୃତ୍ତି ୪।

 

୪-ଏହି ବୃତ୍ତି ଘେନି ଜନୈକ ଉତ୍କଳୀୟ କାଶୀରେ ଜ୍ୟୋତିଷ ଅଧ୍ୟୟନ କରିଥିଲେ ।

 

ଦୀନ ଗ୍ରନ୍ଥାକାର

ମହତ ଆଶ୍ରୟ,

ଅଟନ୍ତି ସେ ନୃପ

ଦାତା ଦୟାମୟ ।

ରାଜଲକ୍ଷ୍ମୀ ସହ

ଉତ୍କଳ-ଭାରତୀ,

ମଧୁର ମିଳନେ

ଛନ୍ତି ତାଙ୍କ କତି ।

ହୋଇ ସଭାପତି

ସାହିତ୍ୟ ସମାଜେ, ୫

 

୫-ମାନନୀୟ ରାଜା ମହୋଦୟ କଟକସ୍ଥ ଉତ୍କଳସାହିତ୍ୟ ସମାଜର ସପ୍ତମ ବାର୍ଷିକ ଅଧିବେଶନରେ ସଭାପତି ହୋଇଥିଲେ ।

 

ଅପୂର୍ବ ନୈପୁଣ୍ୟ

ଦେଖାଇଲେ କାର୍ଯ୍ୟେ ।

ଚନ୍ଦ୍ରଚୁଡ଼ାମଣି

ନାମେ ମୁଦ୍ରାଯନ୍ତ୍ର,

ସ୍ଥାପି ପ୍ରଚାରିଲେ

ଦେଶୋନ୍ନତି ମନ୍ତ୍ର ।

ପ୍ରକାଶି ‘‘ଉତ୍କଳ-

ବାସୀ’’ ଦେଶଚାର,

ଘରେ ଘରେ କଲେ

ସମ୍ବାଦ ପ୍ରଚାର ।

ଶିକ୍ଷାଦାନ କାର୍ଯ୍ୟେ

ସଦା ମୁକ୍ତହସ୍ତ,

ଥାଏ ମକ୍ତ ପୁଣି

ହୃବୟ ପ୍ରଶସ୍ତ ।

ଇଚ୍ଛାୟରେ ସ୍ଥାପି

ଉଚ୍ଚ ଶିକ୍ଷାଗାର,

ସାଧନ୍ତି ସ୍ୱଦେଶେ

ବହୁ ଉପକାର ।

ଦରିତ୍ର ବାଳକ

ପକ୍ଷରେ ସର୍ବଥା,

ଅଛି ରାଜଦତ୍ତ

ସାହାଯ୍ୟ ବ୍ୟବସ୍ଥା ।

ପୁଣି ଇଚ୍ଛାପୁରେ

ଓଡ଼ିଆଙ୍କ ପାଇଁ,

ନିମ୍ନ ବିଦ୍ୟାଳୟ

ସ୍ଥାପି ନରସାଇଁ,

ବିନା ବେତନରେ

ପଠନ ଆଦେଶ,

ପ୍ରଚାରିଲେ ତହିଁ

ବଦାନ୍ୟ ନରେଶ ।

ଦୀନ ଛାତ୍ର କେତେ

ଘେନି ଅର୍ଥଭିକ୍ଷା,

ଲଭିଛନ୍ତି, ଲଭୁ-

ଛନ୍ତି ଉଚ୍ଚଶିକ୍ଷା ।

ଉତ୍କଳ ଜାତୀୟ

ମହାସମ୍ମିଳନୀ-

ନେତୃପଦେ ବୃତ

ହୋଇ ନରମଣି, ୧

ବିଚକ୍ଷଣତାର

ଦେଲେ ପରିଚୟ,

 

୧-ଉତ୍କଳ ଜାତୀୟ ମହାସମ୍ମିଳନୀର ୬ଷ୍ଠ ବାର୍ଷିକ ଅଧିବେଶନରେ ସଭାପତି କାର୍ଯ୍ୟ ନିର୍ବାହ କରିଥିଲେ । ପରେ ଆଉ ଥରେ ମଧ୍ୟ ଉତ୍କଳ ସମ୍ମିଳନୀର ସଭାପତି ହୋଇଥିଲେ ।

 

ବ୍ୟାପିଲା ପ୍ରତିଷ୍ଠା

ତହୁଁ ଦେଶମୟ ।

ସ୍ୱଦେଶର ପ୍ରତି-

ମଙ୍ଗଳାନୁଷ୍ଠାନେ,

ଦିଅନ୍ତି ସେ ଯୋଗ

ଆତ୍ମକାର୍ଯ୍ୟଜ୍ଞାନେ ।

ଦେଶହିତୈଷିଣୀ

ସ୍ଥାୟୀ ସଭାମାନ,

ହେଉଅଛି ପୃଷ୍ଟ

ଲଭି ତାଙ୍କ ଦାନ ।

କେନ୍ଦ୍ରାପଡ଼ା ବନ୍ୟା

ଦୁର୍ଭିକ୍ଷ କାଳରେ,

କଲେ ବହୁଧନ

ଦାନ ଅକାତରେ ।

ନୀଳାଚଳ ଧାମେ

ବ୍ରାହ୍ମଣ ସମିତି,

ରାମଚନ୍ଦ୍ରଙ୍କର ୨

ସୁମହତୀ କୀର୍ତ୍ତି ।

ହୋଇ ସେ ସମିତ

ସୁପରିଚାଳିତ,

ବ୍ରାହ୍ମଣସମାଜେ

ସାଧୁଅଛି ହିତ ।

ତହିଁ ସଭାପତି

ହେଲେ ଯଶୋଧନ ୩,

 

୨-ପ୍ରାତଃସ୍ମରଣୀୟ ସ୍ୱର୍ଗୀୟ ରାମଚନ୍ଦ୍ର ଦାସଙ୍କ ଯତ୍ନରେ ଏହି ସମିତି ସ୍ଥାପିତ ହୋଇଥିଲା ।

୩-ପ୍ରଶଂସିତ ରାଜା ମହୋଦୟ ପୁରୀର ବ୍ରାହ୍ମଣ ସମିତିର ବାର୍ଷିକ ଅଧିବେଶନରେ ଥରେ ସଭାପତି କାର୍ଯ୍ୟ ନିର୍ବାହ କରିଥିଲେ ।

 

ଯୋଗ ହେଲା ଆହା

ମଣିରେ କାଞ୍ଚନ ।

ଗୋରକ୍ଷିଣୀ ସଭା

ଅନାଥ ଆଶ୍ରମେ,

କୃଷ୍ଠାଶ୍ରମେ ଅର୍ଥ

ଅର୍ପିଲେ ସମ୍ଭମେ ।

ଚରିତ୍ର ତାଙ୍କର

ଆଦର୍ଶ ବିଶୃଦ୍ଧ,

ନୁହେଁ ଖ୍ୟାତି ଖାଲି

ଦେଶେ ଅବରୁଦ୍ଧ ।

ଅତିକ୍ରମି ତାହା

ସ୍ୱଦେଶର ସୀମା,

ସୁଦୂର ବିଦେଶେ

ପ୍ରକାଶେ ମହିମା ।

ଜାତ ପ୍ରତି ଅଛି

ପ୍ରଭୂତ ମମତା,

ଧନ୍ୟ ତାଙ୍କ ନିଷ୍ଠା

ଧନ୍ୟ ଜାତୀୟତା ।

ଲଭିଛି ଯେ ଥରେ

ତାଙ୍କର ସାକ୍ଷାତ,

ଜାଣେ ସେ ସୌଜନ୍ୟ

କିପରି ପଦାର୍ଥ ।

ସୁଶୃଙ୍ଖଳାବଦ୍ଧ

ଶାସନ ପଦ୍ଧତି,

ଦୃଢ଼େ ଧରି ରାଜ୍ୟ

ପାଳନ୍ତି ନୃପତି ।

ନ ରଖି ସେ ପାତ୍ର

କିମ୍ବା ସହକାରୀ,

ଉଚ୍ଚ ବର୍ତ୍ତନରେ

ଉଚ୍ଚପଦଧାରୀ,

କରନ୍ତି ସ୍ୱହସ୍ତେ

ରାଜକାର୍ଯ୍ୟ ସର୍ବ,

ନ ଧରି ମାନସେ

ରାଜା ବୋଲି ଗର୍ବ ।

କର୍ତ୍ତବ୍ୟ ସାଧନ

ଧର୍ମୂ ନୁହେଁ ଭିନ୍ନ,

କର୍ତ୍ତବ୍ୟ ପାଳନ

ଗୌରବର ଚିହ୍ନ ।

ଯୋଗ୍ୟ କର୍ମଚାରୀ

ଆବଶ୍ୟକମତେ,

ରଖି ରାଜ୍ୟ-ତରୀ

ଚଳାନ୍ତି ସଂଯତେ ।

ଅଛି ରାଜ୍ୟକାର୍ଯ୍ୟେ

ରତ ଏକ ହସ୍ତ,

ଆନ ଅଛି ସଦା

ଦେଶକାର୍ଯ୍ୟେ ନ୍ୟସ୍ତ ।

ରାଜ୍ୟ ତନ୍ତୁ ବାୟେ

ଯୋଗାଇ ଜୀବିକା,

ତୋଳିଛନ୍ତି ରାଏ

କୀର୍ତ୍ତି-ଅଟଳିକା

ସଂସ୍ଥାପି କିଶୋର-

ଚନ୍ଦ୍ରପୁର ଗ୍ରାମେ,

ପିତୃ-ସ୍ମୃତି ରକ୍ଷା

କଲେ ଗୁଣଧାମ ।

ଇଚ୍ଛାପୁରଠାରୁ

ନିଜ ରାଜ୍ୟ ଯାଏଁ,

ବସାଇଅଛନ୍ତି

ଟେଲିଫୋନ ରାଏ ।

କ୍ଷଣମାତ୍ରେ ତହି

ଆସେ ଯାଏ କଥା,

ହୋଇଅଛି ଲଘୁ

ରାଜ୍ୟର ଦୂରତା ।

ରାଜ୍ୟରେ ସଡ଼କ

ପୁଣି ଡ଼ାକଘର

ଅଭାବେ ପୂରଣ

କଲେ ନରବର ।

ଅନାଥା ବିଧବା

ପାଳନାରିପ୍ରାୟେ,

ସାହାଯ୍ୟ ଭଣ୍ତାର

ସ୍ଥାପିଛନ୍ତି ରାୟେ

ଦ୍ୱିଶତ ବିଧବା

ପାଉଛନ୍ତି ବୃତ୍ତି,

 

୪-ଗତ ଦୁର୍ଭିକ୍ଷ ସମୟରେ ରାଜ୍ୟସ୍ଥ ତନ୍ତିମାନେ ଜୀବିକା ନିର୍ବାହର ଉପାୟାନ୍ତର ଜ ଦେଖି କଲିକତା,ରେଙ୍ଗୁନ ପ୍ରଭୃତି ସ୍ଥାନକୁ ବାହାରିଯିବାକୁ ଇଚ୍ଛା କରିବାରୁ ରାଜା ମହୋଦୟ ସେମାନଙ୍କୁ ସୂତା କିଣି ଦେଇ ଜାତୀୟ ଜୀବିକାରେ ନିଯୁକ୍ତି ରଖିଲେ । ତହୁଁ କ୍ରମଶଃ ସେମାନଙ୍କର ଅବସ୍ଥା ଉନ୍ନତ ହେଲା ।

 

ଧନ୍ୟ ତାହାଙ୍କର

ସ୍ୱଧର୍ମ ପ୍ରବୃତ୍ତି ।

ସାର୍ଥକ ତାଙ୍କର

ପଦ ପ୍ରଜା ପିତା,

ସ୍ୱଧର୍ମ-ସରୋଜ-

ସୂହୁଦ-ସବିତା

ବୁଝନ୍ତି ସେ ତାଙ୍କ

ଧୃତ ରାଜଦଣ୍ତ

ନୁହେଁ ଦୁର୍ବଳକୁ

ଦେବା ପାଇଁ ଦଣ୍ତ ।

ଦୀନ ଦୁର୍ବଳର

ପକ୍ଷ ସମର୍ଥନ,

ହେତୁ ସିନା ବିଧି

କଲେ ତା ସୁଜନ ।

କଷ୍ଟ ସହିଷ୍ଣୁତା

ଆଶ୍ଚର୍ଯ୍ୟ ତାଙ୍କର,

ଦେଖି ପୂର୍ଣ୍ଣ ହୁଏ

ବିସ୍ମୟେ ଅନ୍ତର ।

ପୀଡ଼ିତ ସମୟେ

ପୀଡ଼ାର ଯାତନା,

ଭୁଲିଯାନ୍ତି କାର୍ଯ୍ୟେ

ଲାଗି ମହାମନା ।

ନୈତିକ ସାହସେ

ସ୍ପଷ୍ଟବାଦୀ ପଣେ,

ସହସ୍ରେ ଦୁର୍ଲଭ

ତାଙ୍କ ପରି ଜଣେ ।

ମହାସହ୍ୟଶୀଳ

ଚତୁର ଅଗ୍ରଣୀ,

ପାରନ୍ତି ଉଡ଼ନ୍ତା

ପକ୍ଷୀ ପକ୍ଷ ଗଣି ।

ହୁଏ ନାହିଁ କଳି

ହୃଦୟ ତାଙ୍କର,

ସଦା ଅକଳିତ

ଯଥା ରତ୍ନାକର ।

ତୀବ୍ର ତିରସ୍କାର

ସ୍ତାବକର ସ୍ତବ,

ମଣନ୍ତି ସତତ

ସେ ମହାନୁଭବ ।

ତେଣୁ ସ୍ତବେ ତାଙ୍କ

ନାହିଁ ତିଳେ ପ୍ରୀତି,

ନୀରବେ ସ୍ତାବକେ

ଥାନ୍ତି ଗଣି ଭାବି ।

ଆନ ପରାମର୍ଶେ

ନ ହୋଇ ଚାଳିତ,

କରନ୍ତି ତାହା ଯା

ବୁଝନ୍ତି ବିହିତ ।

ଅନାଥ ଆତୁର

ଅକର୍ମଣ୍ୟ ଜନେ,

ପାଳନ୍ତି ନରେଶ

ଭାତେ ବରତନେ ।

କହୁଣୀ ଅପେକ୍ଷା

କରଣୀ ତାଙ୍କର,

କଳଇ ନିଶ୍ଚୟ

ଗୁଣେ ବହୁତର ।

ନିଖିଳ-ସୁଗୁଣ-

ଖଣେ ସେ ସୁମତି,

ଗଞ୍ଜାମ-ମଣ୍ତଳେ

ଆଦର୍ଶ ଭୁପତି ।

ଚନ୍ଦ୍ର ଚୂଡ଼ାମଣି

ନିସର୍ଗ ଭବିନ,

ସାହିତ୍ୟ ସଙ୍ଗୀତେ

ସମାନ ପ୍ରବୀଣ ।

ଯାତ୍ରା ସଂସ୍କାରାର୍ଥେ

ସେ ନର-ନାୟକ,

ନବ୍ୟ ରୁଚି ସିଦ୍ଧ

ରଚିଲେ ନାଟକ ।

ସଂସ୍ଥାପନ କରି

ପୁଣି ରଙ୍ଗାଜୟ,

କରାଉଅଛନ୍ତି

ନାଟ୍ୟ ଅଭିନୟ ।

ସମାଜର ପୁଣି

ମୂଖ୍ୟ ସଂସ୍କାରକ,

କରୁଛନ୍ତି ନାଶ

କୁରୀତ-କଣ୍ଟକ ।

ତାଙ୍କ ଦରବାରେ

ନାହିଁ କୁଧାରଣା,

କୁଞ୍ଚଟେକା କିମ୍ବା

ବସିବାକୁ ମନା ।

ଦେଖିଛ ଯେ ଥରେ

ତାଙ୍କ ଦରବାର,

ଜଣା ତାକୁ ଏକା

କିପରି ସଂସ୍କାର ।

ଶିକ୍ଷେଚ୍ଛା ତାଙ୍କର

ଅନିର୍ବଚନୀୟ,

ଅଟନ୍ତି ସେ ତେଣୁ

ପର୍ଯ୍ୟଟନପ୍ରିୟ ।

ଆହିମାଦ୍ରି କନ୍ୟା-

କୁମାରୀ ପ୍ରଦେଶ,

କରିଛନ୍ତି ରାଏ

ପର୍ଯଟନ ଶେଷ ।

ଭ୍ରମିଲେ ତତ୍ପରେ

ଜ୍ଞାନାର୍ଜ୍ଜନ କାମେ

ବାରିଧି-ମେଖଳ

ସ୍ୱର୍ଣ୍ଣଲଙ୍କାଧାମେ ।

ନ ତୁଟିଲା ତେବେ

ଦୁର୍ବାରାଭିଳାଷ,

ନ ତୁଟିଲା ଦେଶ-

ପର୍ଯ୍ୟଟନ ଆଶ ।

ପୁଣି ପର୍ଯ୍ୟଟନେ

ବାହାରି ନରେଶ,

ଭ୍ରମିଲେ ସୂଦୁର

ପାଶ୍ଚାତ୍ୟ ପ୍ରଦେଶ ।

ସଭ୍ୟଦେଶ ଟିକା

ଇରୋପ ଆଫ୍ରିକା,

ଅଦ୍ଭୁତ-ବିଜ୍ଞାନ-

ମୟୀ ଆମେରିକା ।

ଭ୍ରମି ବହୁ ଦେଶ

ସହି ବହୁ କ୍ଳେଶ,

କଲେ ଉପାର୍ଜନ

ସୁଜ୍ଞାନ ବିଶେଷ ।

ସେ ନିର୍ମଳ ଜ୍ଞାନ

ଉଜ୍ଜ୍ୱଳ କିରଣ,

କରୁଛନ୍ତି ରାଏ

ଦେଶେ ବିତରଣ ।

ଉତ୍କଳ ଜାତୀୟ

ମହାସମ୍ମିକନୀ *,

ମୂମୁର୍ଷୁ ଅବସ୍ଥା

ଲଭିଥିଲା ଧନୀ ।

ମନୋଭେଦେ କେହି

ନ ନେଲେ ତାତତ୍ତ୍ଵ,

 

* ଉତ୍କଳ ସମ୍ମିଳନୀର ନବମ ଅଧିବେଶନ ହୋଇ ପାରିବାର ଆଶା ନ ଥିଲା । ରାଜା ମହୋଦୟଙ୍କ ଅକ୍ଳାନ୍ତ ପରିଶ୍ରମରୁ ଉକ୍ତ ଅଧିବେଶନ ବ୍ରହ୍ମପୁରରେ ହୋଇଥିଲା । ଏହି ଅଧିବେଶନରେ ମଧ୍ୟ ରାଜ୍ୟ ମହୋଦୟ ସଭାପତି ପଦରେ କୃତ ହୋଇଥିଲା ।

 

ଲଭୁଥିଲା ତେଣୁ

ଅକାଳେ ପଞ୍ଚତ୍ନ ।

ଆହା ସେ ବୁର୍ଭାର

ଆସନ୍ନ ବିପାକୁ,

ସଞ୍ଜୀବନୀ ମନ୍ତ୍ରେ

ବଞ୍ଚାଇଲେ ତାକୁ ।

ଇଚ୍ଛାପୁରେ ନୃପ

ବିରଚି ଉଆସ,

କରୁଛନ୍ତି ତହିଁ

ସକୁଟମ୍ବେ ବାସ ।

କି ଉତ୍ତରାପଥେ

କି ଦକ୍ଷିଣାପଥେ,

ଉଜ୍ଜ୍ୱଳାନ୍ତି ଯଥା

ଭୂମି ରବି-ରଥେ ।

ତଥା ବେନି ଦୁର୍ଗେ ୧

ଚନ୍ଦ୍ର ଚୂଡ଼ାମଣି,

 

୧-ସୃରଙ୍ଗୀ ଏବଂ ଇଚ୍ଛାପୁର ଏହି ଦୁଇ ଦୁର୍ଗ ।

 

କରନ୍ତି ଉଜ୍ଜ୍ୱଳ

ନରେନ୍ଦ୍ର ଅଗ୍ରଣୀ ।

ଶୋଭେ ନବଦୁର୍ଗ

ବାହୁଦା ପ୍ରଚୀରେ,

ଚାରୁ ବୈଜୟନ୍ତୀ

ବହି ତୁଙ୍ଗ ଶିରେ ।

ଧରି ଅଙ୍କେ ନୃପେ

ପ୍ରକାଶେ, ସେ ଜ୍ୟୋତି

ମୃକ୍ତା ଶୃକ୍ତି ଯଥା

ଗର୍ଭେ ବହି ମୋତି ।

ସୁସଜ୍ଜିତ ହୋଇ

ରାଜୋଚିତ ସାଜେ,

ଶୋଭାର ସୁଷମା

ପରାଏ ବିରାଜେ ।

ନଅର ତ୍ରିପାଶେ

ରମ୍ୟ ଉପବନ,

ବସାଇଛି ନାନା

ଶୋଭାର ଆପଣ ।

ପଥ ବେନି ପାର୍ଶ୍ୱେ

ପିଚୁଳ ୨ କଳାପ,

କରନ୍ତି ଅସ୍ପଷ୍ଟ

ସଙ୍ଗୀତ ଆଳାପ ।

ଶାଖା ସଞ୍ଚାଳନେ

ଢାଳନ୍ତି ଚାମର,

୨-ଝାଉଁଗଛ ।

 

ଯଥା ଅନୁରକ୍ତ

ରାଜପରିକର ।

ବସନ୍ତ ସମୟେ

ଉଦ୍ୟାନ ମାଧୁରୀ,

ବଳିଯାଏ କବି

କବିତା-ଚାତୁରୀ ।

ଛାମୁରେ ଆଲଟ

ଧରଇ ସେବତୀ,

ଧରିଥାଏ ସୂର୍ଯ୍ୟ-

ମୁଖୀ ସ୍ୱର୍ଣ୍ଣଚ୍ଛତ୍ରୀ ।

ରଜତ କରଙ୍କ

ଶତଦଳ ମଲ୍ଲୀ,

ଧରିଥାଏ ପାର୍ଶ୍ୱେ

ପବନେ ଦୋହରି ।

ରଙ୍ଗ କରବୀର

ଆନ୍ଦୋଳି ପବନେ,

ଚାଲୁଥାଏ ପାଟ-

ଖଦିକା ସଘନେ ।

ପ୍ରକୃତି ଆଦେଶେ

ଥାଆନ୍ତି ସତନ-

ପ୍ରାକୃତିକେ,ରାଜ-

ସେବାରେ ନିରତ ।

ବିସ୍ତାରିଛି ଶାଖା

କାହିଁ ଏଳାଲତା,

ଶୁକ୍ଳରଙ୍ଗଯୁକ୍ତ

ପ୍ରସୁନେ ଆନତା ।

ଫୁଟିଛି ବିରାହ-

ଦାଢ଼ ମଣିବକ

ବରାହ ଦର୍ଶନ

ପ୍ରାୟ ଭୟାନକ ।

କାହିଁ ବଂଶଦଣ୍ତେ

ଛନ୍ଦି ନାଗବଲ୍ଲୀ,

ବିଞ୍ଚେ ପତ୍ର-ପଙ୍ଖା

ମୃଦୁ ବାତେ ହଲି ।

ବସନ୍ତ ରାଜାର

ଘେନି ଅନୁକମ୍ପା,

ବିକଶିତ କାହିଁ

ଶମ୍ପା-ଗୌରୀ ଚମ୍ପା ।

ଗୁଞ୍ଜଲତା ସହ

କାହିଁ କୁଞ୍ଜଲତା,

ନାମେ ମେଳ ହେତୁ

ରଚିଛି ମିତ୍ରତା ।

ଅନୁରୂପ ବର୍ଣ୍ଣେ

ଧରି ଫଳଫୁଲ,

ପ୍ରେମେ ମଗ୍ନପିନ୍ଧି

ଶ୍ୟାମଳ ଦୁକୁଳ ।

ଗୁଞ୍ଜ,ପଦ୍ମରାଗ

ପେଟିକା ଉପରେ,

ମର୍କତ ଢାଙ୍କୁଣି

ପ୍ରାୟ ଶୋଭା ଧରେ ।

କୁଞ୍ଜଲତା ଫୁଲ

ରକ୍ତିମା ଝଟକେ,

ଜଣେ ବସନ୍ତର

ପ୍ରବାଳ ଚଷକେ ।

କାହିଁ ଶ୍ୱେତରକ୍ତ

ପାଟକ ଗୋଲାପେ,

ରତ ପରସ୍ପର

ନୀରବ ଆଳାପେ ।

ଅଳଙ୍କାରଶୁନ୍ୟ

ହେତୁ ଶେଫାଳିକା,

ମନୋଦୁଃଖେ ରୁପ

କରିଅଛି ଫିକା ।

ନିରେଖି ମାଳତୀ

ଆନେ ପୂଷ୍ପବତୀ,

ଭାଗ୍ୟକୁ ଧିକ୍‌କାରି

ଶୋକେ ଝୁରେ ଅତି ।

ବୋଧେ ଜୟା ତାକୁ

ନୀରବ ଭାଷାରେ,

କାହା ଭାଗ୍ୟ ଚିର

ନୁହେ ଏ ସଂସାରେ ।

ପ୍ରାବୃଟ ବାନ୍ଧିବି !

ଆସିଲେ ପ୍ରାବୃଟ,

ତୋ ଭୂଷଣରାଶି

ହେବ ପରିସ୍ଫୁଟ ।

ଦେଖି ତୋ ସମ୍ପଦ

ଝୁରିବେ ଅପରେ,

ଏକାଳେ ଯେ ସ୍ଫୀତ

ସୌଭାଗ୍ୟ ଦର୍ପରେ ।

ଚାରି ମାସ ପରେ

ହେବୁ ତୁ ମାନିଆଁ,

ଏଥକୁ କିପାଇ

ହେଉ ଲୋ ଛାନିଆଁ ?

ଯୁଈ ଜାଈ କୁନ୍ଦ

ମାଧବୀ କାମିନୀ,

କୁରୁବେଲୀ ଭୂମି-

ଚମ୍ପକ ରଙ୍ଗିଣୀ,

ଇତ୍ୟାଦି ପାଦପ

ଲତା ଉପବନେ

ବସିଛନ୍ତି ସର୍ବେ

ଯେ ଯାହା ଆସନେ ।

କାହିଁ ବା ଖପୁର ୧

ବାଳ ନାରିକେଳ,

ଧରାଧରି ହୋଇ

ହେଉଛନ୍ତି ଗେଲ ।

କାହିଁ ବସି ଆମ୍ର-

ଶାଖାଜ ପାଦପ ୨

୧-ଗୁଆଗଛ ।

୨-କଲମଗଛ ।

ସହୁଅଛି ସମ-

ଭାବେ ଶୀତାତପ ।

ଧରେ ଯଥାକାଳେ

ସପୁରୀ ପନସ,

ମୁଣ୍ତେ ସପଲ୍ଲବ

ଚିତ୍ରିତ କଳସ ।

ଜାମୁ ନିଚୁ ରମ୍ଭା

କରକ ମାଲୂର,

ଆବରି ବିବିଧ

ପାଦପ ପ୍ରଚୁର,

ମଣ୍ତିଛନ୍ତି ସେହି

ସୁରମ୍ୟ ଉଦ୍ୟାନେ,

ମହାଦାତା ସର୍ବେ

ଫଳ ଛାୟାଦାନେ ।

ଅଗସ୍ତି କୁସୁମ

ଧରଇ ଉପାମା,

ବଳକ୍ଷ ପକ୍ଷର

ଦ୍ୱିତୀୟା ଚନ୍ଦ୍ରମା ।

କୁସୁମ ସୂବେଶ

ପାଇଁ ବହି ତୋଷ,

ରଚୁଅଛି ଆଛୁ

ଇନ୍ଦ୍ରନୀଳେ କୋଷ ।

ଫୁଟେ ଯଥାକାଳେ

ଧବଳ କଞ୍ଚନ,

ରୌପ୍ୟ ଗିନାକୃତି

ଯାହାର ଗଠନ ।

ନିର୍ଗୁଣୀ ପରାୟେ

ମନ୍ଦାର ନିକର,

ଦେଖାଉଛି ବାହ୍ୟ

ରୁପ ଆଡ଼ମ୍ବର ।

ପ୍ରାବଟ ବିଶ୍ରମ୍ଭୀ ୩

ଟଗର ସୁମନ,

୩-ବର୍ଷାକାଳପ୍ରଣୟୀ ।

ସୁସ୍ନିଗ୍‌ଧ ସୌରଭେ

ତୋଷେ ପ୍ରାଣ ମନ ।

କୁସୁମ ବିକାଶ

ପାଇ ଟେକି ମୁଣ୍ତ,

ବାନ୍ଧୁଛି ଇଟଳା

କେତେ ପର୍ଣ୍ଣକୁଣ୍ତ ।

ସଦାବିହାରୀର ୪

ସହ ସଖ୍ୟ କରି,

୪-ପୁଷ୍ପବିଶେଷ ।

ବସିଅଛି ‘‘ସନ୍ଧ୍ୟା-

ମାଳତୀ’’ ସୁନ୍ଦରୀ ୫

ଅମରୀ-କବରୀ-

ଅଳଙ୍କାର ଟିକା,

ବିସ୍ତାରିଛି ବପୁ

ଲବଙ୍ଗଲତିକା ।

କାହିଁ ବା ସୁଗନ୍ଧା,

ସୁଗନ୍ଧା ନାଗିଣୀ ୬

୫-ବଧୁଲୀ ପୁଷ୍ପ ।

୬-ପୁଷ୍ପବିଶେଷ ।

ବସିଛନ୍ତି ଯଥା

ଉଭୟ ସଙ୍ଗିନୀ ।

କାହିଁ ମଧୁରସା ୭

ଉଚ୍ଚବଂଶ ମଞ୍ଚେ,

ମାଡ଼ିଛି ବିସ୍ତାର

ବହୁଶାଖା ଘଞ୍ଚେ ।

ଫୁଟିଛି ବା କାହିଁ

କୁଷ୍ଣ ଅଙ୍କରାନ୍ତି,

୭-ଦ୍ରାକ୍ଷା ।

ଧିକ୍କାରି ଅତସୀ

ପୁଷ୍ପ ନୀଳକାନ୍ତି ।

ରସା ଯୋଷା ଅବା

ଆନନ୍ଦେ ଉତ୍‌ଫୁଲ୍ଲି,

ପନ୍ଧିଅଛି ନାସେ

ନୀଳ ରତ୍ନଫୁଲି ୮ ।

କାହିଁ ଅବା ବୃଦ୍ଧା

ବୈଷ୍ଣବୀ ୯ ଉହାଡ଼େ,

୮-ଅଳଙ୍କାରବିଶେଷ ।

୯-ତୁଳସୀ ।

ବହୁ ବିଷ୍ଣୁନ୍ତ୍ରାନ୍ତା ୧୦

ମାଡ଼ିଅଛି ବାଡ଼େ ।

ବୁଦା ବୁଦା କାହି

ବିରାଜେ ବିରଣ ୧୧,

ଶୋଇଛି ବା କାହି

ଭୂତଳ୍ପେ କାଙ୍କଣ ।

ମାଡ଼ିଅଛି କାହି

ପାଦପେ ଅଙ୍ଗୁର,

୧୦-ଅପରାଜିତା ।

୧୧-ବେଣାଗଛ 

ରୁପ ରସ ଗନ୍ଧ

ଯାର ସୁମଧୁର ।

ବାଳ ଶାଳ ତାଳ

ପନସ ଅର୍ଗୁଣା,

ଲେମ୍ବୁ ମାତୁଳଙ୍ଗ

ଜମ୍ଭୀର କରୁଣା ।

ଲଙ୍କା ଆମ୍ର, ନିମ୍ବ

ସୀତାଫଳ ଆଦି,

ଅଛନ୍ତି ଉଦ୍ୟାନେ

ଗହନେ ଆଚ୍ଛାଦି ।

ନେତ୍ର ବିନୋଦନ

ଦିଶଇ ଆବର,

ବିଦେଶୀ ବାମନ

ପାଦପ ନିକର ।

ସ୍ନିଗ୍‌ଧ ଗନ୍ଧେ ସଦା

ବନ ସୁବାସିତ,

ବହୁ ବିହଙ୍ଗମ

ଶବଦେ ଶବ୍ଦିତ ।

ଗାଆନ୍ତି କି ପକ୍ଷୀ

ବନ୍ଦୀ ନିତି ନିତି,

ଚନ୍ଦ୍ରଚୂଡ଼ାମଣି

ନୃପ ଯଶୋଗୀତ ।

ଢାଳିଦିଏ ତହୁଁ

ବାହୁଦା ତଟିନୀ,

କଳ କଳ ସ୍ୱରେ

କଳ-ନିନାଦିନୀ ।

ତା ତୀରେ ସେ ବନ

ଦିଶେ ଶୋଭାବନ,

ମନ୍ଦାକିନୀ କୂଳେ

ମିଶ୍ରକା ୧ ଯେସନ ।

ଉଦ୍ୟାନ ମଧ୍ୟସ୍ଥ

କୌତୁକ ମଣ୍ତପେ,

୧-ନନ୍ଦନ କାନନ ।

ମୃତ୍ପାନ୍ତ୍ରେ ଆସୀନ

ପୌଗଣ୍ତ ପାଦପେ ।

ପ୍ରୋଥିତ ଆଲୋକ

ସ୍ତମ୍ଭ ବେଦୀ ଶିରେ,

ଧରେ ଅପରୁପ

ଶୋଭା ରଜନୀରେ ।

ସ୍ୱଚ୍ଛ କାଚପାତ୍ର

ସ୍ତମ୍ଭଶିର ସ୍ଥିତ,

ବୈଦ୍ୟୁତିକାଲୋକେ

ହୁଏ ଆଲୋକିତ ।

ବଂଶ ଚନ୍ଦ୍ରମାଙ୍କୁ

ଦେଖିବା ସକାଶେ,

ଖସି ଆସିଛନ୍ତି

ଚନ୍ଦ୍ର ଅବା ପାଶେ ।

ସେ ଆଲୋକେ ସ୍ନାନି

ତରୁଲତାଗଣ,

କରନ୍ତି ଦିବ୍ୟ ଶ୍ରୀ

ଶରୀରେ ଧାରଣ ।

ପିଅନ୍ତି ନିତ୍ୟ ସେ

ସୁଷମା-ପୀୟୁଷ,

ଚନ୍ଦ୍ରଚୂଡ଼ାମଣି

ଆଦର୍ଶ ପୁରୁଷ ।

ସ୍ୱଦେଶୀ ବିଦେଶୀ

ଶାକ ଫଳମୂଳ,

ସେ ଉଦ୍ୟାନବର

ପ୍ରସବେ ବହୁଳ ।

ସ୍ଥୂଳତଃ ଆଦର୍ଶ

କୃଷିକ୍ଷେତ୍ର ସେହୁ,

ସ୍ତରେ ସ୍ତରେ ତହିଁ

ଖେଳେ କୃଷି ଢେଉ ।

କୃଷି ଶିଳ୍ପ ଶିକ୍ଷା

ବାଣିଜ୍ୟ ସାହିତ୍ୟ,

ଉନ୍ନତିରେ ରତ

ସୁରଙ୍ଗୀଶ ନିତ୍ୟ ।

ରାଜୋଚିତ ପୁଣି

ଦେବୋଚିତ ଗୁଣ-

ଗରିମାରେ ନୃପ

ବିଶେଷ ନିପୁଣ ।

ଲକ୍ଷାଧିକ ଟଙ୍କା

ପିତୃଋଣ ଶୋଧ,

କରି ନରବର

ଲଭିଲେ ପ୍ରମୋଦ ।

ମଣ୍ତପ, ପ୍ରାଚୀର

ଦେଉଳ,ନଅର ୨

ନିର୍ମାଣିଲେ ବହୁ

ବ୍ୟୟେ ନରବର ।

ଓଡ଼ିଆ ସିରସ୍ତା

ଓଡ଼ିଆ ଗୁମାସ୍ତା,

 

୨-ସୁରଙ୍ଗୀ ରାଜ-ଅନ୍ତଃପୁର,ଦେବ ସ୍ନାନ ମଣ୍ତପ,ପ୍ରାଚୀର ଏବଂ ବିନ୍ଧ୍ୟବାସିନୀ ଦେଉଳ ପ୍ରଭୃତି ବର୍ତ୍ତମାନ ନରପତିଙ୍କ ଦ୍ୱାରା ନିର୍ମିତ ।

 

ରଖି ପ୍ରଦର୍ଶିଲେ

ଜାତୀୟତା ଅସ୍ଥା ।

ଧନ୍ୟ ହେ ନୃପତି

ଚନ୍ଦ୍ରଚୂଡ଼ାମଣି,

ଉତ୍କଳ-କିରୀଟ-

ସମୁଜ୍ଜ୍ୱଳ ମଣି ।

ଧନ୍ୟ ସୁସାଧକ

ମହାଭାଗ୍ୟବାନ,

ଧନ୍ୟ ମୁଁ ଗାଇଲି

ତବ ପୁଣ୍ୟାଖ୍ୟାନ ।

କମଳାରୁପିଣୀ

ତବ ସଧର୍ମଣୀ,

ପୂଣ୍ୟଶୀଳା ସତୀ

ସ୍ୱଧର୍ମାଚାରିଣୀ ।

ତାଙ୍କ ପୁଣ୍ୟହୃଦ

କାନ୍ଦେ ପରଦୁଃଖେ

ନୁହନ୍ତି ସେ ତୃପ୍ତ

କେବେ ଆତ୍ମସୁଖେ ।

କରାଇ ପାରିଲେ

ସୁଖୀ ଦୀନ ଜନେ,

ମଣନ୍ତି ସାର୍ଥକ

ଆପଣା ଜୀବନେ ।

ଉତ୍କଳ ଜାତୀୟ

ସମ୍ମିଳନୀ ପ୍ରତି,

ଦେଖାଇଲେ ସେହୁ

ପ୍ରଗାଢ ଭକତି ।

କରି ଅଯାଚିତେ

ସାହାଯ୍ୟ ପ୍ରଦାନ,

କଲେ ବହୁଗଣ

ସ୍ୱକୀୟ ସମ୍ମାନ ।

ଦେଖାଇଲେ ରାଣୀ

ସମାଜେ ଆଦର୍ଶ,

ବିତରିଲେ ମାତୃ-

ଭୂମେ ନବହର୍ଷ ।

ଗୁପ୍ତ ନାରୀକବି

ବିଦୂଷୀପ୍ରବରା,

ଖଞ୍ଜିଅଛି ବିଧି

ଯୋଗ୍ୟେ ଯୋଗ୍ୟତରା ।

ଲେଖାଇ ‘‘ସମୁଦ୍ର

ଯାତ୍ରା’’ ସ୍ୱଭାଷାରେ,

କଲେ ସହାୟତା

ସମାଜସଂସ୍ଥାରେ ।

ଜନକ ଜନନୀ

ଶୁଭ ଗୁଣରାଶି,

ଯୋଗ୍ୟ ଜାଣି ତାଙ୍କୁ

ଆଶ୍ରିଛନ୍ତି ଆସି ।

ପିତା ନାରାୟଣ

ମର୍ବ୍ଦରାଜ ଦେବ,

ଖଲ୍ଲି କୋଟପତି

ଉର୍ପରୁପୀ ଦେବ ।

ମହାପୁଣ୍ୟଶୀଳ

ମହାକୀର୍ତ୍ତିଯୁକ୍ତ,

କଲେ ଅଷ୍ଟଦୁର୍ଗେ

ଅଧିକାରଭକ୍ତ ।

ଯୋଗେ ଯାଗେ ତାଙ୍କ

ବଡ଼ ଅନୁରାଗ,

ଲକ୍ଷାଧିକ ମୁଦ୍ରା

ବ୍ୟୟେ କଲେ ଯାଗ ।

ନୀଳାଚଳ ଧାମେ

ପୂଣି ବହୁବ୍ୟୟେ,

ମଣ୍ତିଲେ ଚାନ୍ଦୁଆ

ପ୍ରଭୁ ଦେବାଳୟେ ।

ତାଙ୍କ ମହାଦେଇ

ବୌଦ-ରାଜସୂତା,

ଧର୍ମପରାୟଣା

ପାତିବ୍ରତ୍ୟ-ପୂତା ।

ତୋଳାଇ ଏକାମ୍ରେ

ଶମ୍ଭୁରୋଷଘର,

ସଞ୍ଚିଛନ୍ତି ସତୀ

ସୁକୀର୍ତ୍ତି ଅମର ।

ଅନେକ ବିପୁଳ-

ହର ମହାଦାନ,

ଦେଇ ଦୀନ ଦ୍ୱିଜେ

କଲେ ଧନବାନ ।

ଦେବୀ ହରପ୍ରିୟା

ତାଙ୍କ ଜ୍ୟେଷ୍ଠା କନ୍ୟା,

ନ ହେବେ କିପାଇଁ

କୀର୍ତ୍ତି-ଧନେ ଧନ୍ୟା ?

ଜାତ ହେଲା ପ୍ରାୟ

ବିଦ୍ୟାରୁ ବିନୟ,

ତାଙ୍କ ଗର୍ଭ ଜାତ

ଯୁଗଳ ତନୟ ।

ଜ୍ୟେଷ୍ଠ ଯୁବରାଜ

ଶାନ୍ତ ଶିଷ୍ଟ ଧୀର,

ବିଦ୍ୟା-ଅନୂରାଗୀ

ବିନୟୀ ପ୍ରବୀର ।

ଗାମ୍ଭୀର୍ଯ୍ୟ ଔଦାର୍ଯ୍ୟ

ଉଠୁଛି ବିକଶି,

ଦୁଇ ପତ୍ରୁଁ ସିନା

ବାସଇ ତୁଳସୀ ।

ଆକାରେ ବୟସେ

ହେଲେ ହେଁ ସେ ସାନ,

ମାତ୍ର ପ୍ରତିଭାରେ

ମହା ଗରୀୟାନ ।

ଆଦର୍ଶ ପିତାଙ୍କ

ଶୁଭଗୁଣାବଳି,

ଆସୁଅଛି ତାଙ୍କ

ହୃଦେ ପ୍ରତିଫଳ ।

ସୂର୍ଯ୍ୟକାନ୍ତ ରତ୍ନେ

ଯଥା ସୂର୍ଯ୍ୟକର,

ପ୍ରତିଫଳି ତାକୁ

କରେ ତେଜସ୍କର ।

ପ୍ରଜା ପୁତ୍ର ସହ

ବସି ଏକାସନେ,

ଲଭୁଛନ୍ତି ଶିକ୍ଷା

ନିର୍ବିକାର ମନେ ।

ଦେଶେ ଅଭିନବ

ଏ ଦୃଶ୍ୟ ଉଦାର,

ଭାବି-ଉନ୍ନତିର

ମୃକ୍ତ ଆଶାଦ୍ୱାର ।

ରାଜା ପ୍ରଜାଙ୍କର

ନିସର୍ଗ ସମ୍ବନ୍ଧ,

ହେଉଅଛି ବାଳ-

କାହୁଁ ଦୃଢବଦ୍ଧ ।

ମନ ଜାଣି ସର୍ବ

ଦେଇଛନ୍ତି ହରି,

ଭବେ ଷୋଳ କଳା

ସୂଖ ପୂର୍ଣ୍ଣ କରି ।

କହିବି ଅଧିକ

କିସ ନରନାହା,

କହନ୍ତି ଯା, ତୁମ୍ଭେ

କରୁଅଛି ତାହା ।

ଦେଖୁଛି ତ ଦେଶ-

କାର୍ଯ୍ୟେ ଛାମୁଙ୍କର,

ରଜନୀ ଦିବସେ

ନାହିଁ ଅବସର ।

ନ ଚାହିଁଣ ସୁଖେ

ନ ଚାହିଁ ଶରୀରେ,

ରତ ମାତୃହିତେ

ଦିବା ରଜନୀରେ,

ନୀଳାଦ୍ରି,ଚୈତନ୍ୟ,

ଦୀନବନ୍ଧୁ ଆଦି,

ଗଲେକ ପବିତ୍ରି

ଯେଉଁ ରାଜଗାଦି,

ଉପବିଷ୍ଟ ତୁମ୍ଭେ

ସେହି ସିଂହାସନେ,

ନ ହେବ କି ପାଇଁ

ଧନୀ ମନ ଧନେ ।

ତୁମ୍ଭେ ପରି ରାଜା

ଥିଲେ ଦଶ ଜଣ,

ନ ଥାନ୍ତା ଅବଧି

ଜନନୀ-କଷଣ ।

ଦେଶକାର୍ଯ୍ୟେ ଏକା

ତୁମ୍ଭେ ଗୁଣାଧାର,

ଭୁଲିପାର ନିଦ୍ରା,

ପିପାସା, ଆହାର ।

ସଂଯୋଗ କରଣେ

ବିଚ୍ଛିନ୍ନ ଉତ୍କଳ,

କରୁଅଛ ତୁମ୍ଭେ

ଯତ୍ନ ଅନର୍ଗଳ ।

ସାଧୁଅଛି କାର୍ଯ୍ୟ

ଧନେ ମନେ ଜ୍ଞାନେ,

ନିଜେ କରି ପୁଣି

କରାଉଛ ଆନେ ।

ଇତିହାସେ ଏହା

ରହିବ ଅଙ୍କିତ,

ଗାଇବ ଉତ୍କଳ

ତୁମ୍ଭ ଯଶୋଗୀତ ।

ପୂଜିବେ ଉତ୍କଳ-

ବାସୀ ଘରେ ଘରେ,

ହୃଦୟେ ତୁମ୍ଭଙ୍କୁ

ଦେବତା ରୂପରେ ।

ବାହୁ ତୋଳି ତବ

ନାମେ ବାରମ୍ବାର,

କରିବେ ଘୋଷଣା

ଜୟ ଜୟକାର ।

* ମହାଦାନ ବିଶେଷ